ତାମିଲର ସୁରକ୍ଷା ପାଇଁ ମୁଁ ମରିବାକୁ ଯୋଜନା କରିଛି। ଗୋଟିଏ ଦିନ ମୋ ଲକ୍ଷ୍ୟ ହାସଲ ହେବ। ଏମିତି କିଛି ଲେଖି ତାମିଲନାଡୁର ତିରୁଚିରେ ରହୁଥିବା ୨୭ ବର୍ଷୀୟ ଚିନ୍ନାସାମୀ ନିଜକୁ ନିଜେ ନିଆଁରେ ଜାଳି ଦେଇଥିଲେ। ତାମିଲନାଡୁରେ ହିନ୍ଦୀ ଭାଷାକୁ ଲାଗୁ କରିବା ପାଇଁ ଚାଲିଥିବା ଯୋଜନାକୁ ବିରୋଧ କରି ସେ ବଳିଦାନ ଦେଇଥିଲେ। ୧୯୬୫ ମସିହା ସାଧାରଣତନ୍ତ୍ର ଦିବସରେ କେନ୍ଦ୍ର ସରକାର ତାମିଲନାଡୁରେ ହିନ୍ଦୀକୁ ଏକମାତ୍ର ସରକାରୀ ଭାଷା ଭାବେ ଲାଗୁ କରିବାକୁ ପ୍ରସ୍ତାବ ଆଣିଥିଲେ। ବାସ୍ ଏହାକୁ ନେଇ ଆରମ୍ଭ ହୋଇଥିଲା ଭୟଙ୍କର ବିକ୍ଷୋଭ।
ରାଜ୍ୟରେ ପୂର୍ବରୁ ହିଂସାମତ୍କ ବିକ୍ଷୋଭ ଚାଲଥାଏ। ଏମିତି ବେଳେ ଚିନ୍ନାସାମୀଙ୍କ ବଳିଦାନ ବିକ୍ଷୋଭକୁ ଆହୁରି ଭୟଙ୍କର କରିଥିଲା। ଚିନ୍ନାସାମୀଙ୍କ ପରେ ଏକାଧିକ ଆତ୍ମାହୁତି ଘଟଣା ଘଟିଥିଲା। ଚିନ୍ନାସାମୀଙ୍କ ଭଳି ଅନ୍ୟ ୬ ଜଣ ନିଜକୁ ନିଜେ ଜାଳି ଦେଇଥିଲେ। ସେହିପରି ଆଉ କିଛି ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେତେବେଳେ ଏହା ମାଡ୍ରାସ ରାଜ୍ୟ ଭାବେ ପରିଚିତ ଥିଲା।
ହିନ୍ଦୀ ଭାଷା ବିରୋଧ କରି ୭୦ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ଜେଲ ଯାଇଥିଲେ। ଦିନକୁ ଦିନ ଆତ୍ମାହୁତି, ବିଷ ପାନ ଓ ହିଂସାତ୍ମକ ବିକ୍ଷୋଭ ରାଜ୍ୟକୁ ଦୋହଲାଇ ଦେଇଥିଲା। ସ୍ଥିତି ବିଗିଡ଼ିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରିଥିଲେ।
ଶାସ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ହିନ୍ଦୀ ଭାଷା ସହ ପୂର୍ବଭଳି ଇଂରାଜୀ ରାଜ୍ୟର ଆସୋସିଏଟ ସରକାରୀ ଭାଷା ଭାବେ ରହିବ। ଏହି ପ୍ରତିଶ୍ରୁତି ପରେ ବିକ୍ଷୋଭର ନିଆଁ ଧୀରେଧୀରେ ଲିଭିବା ଆରମ୍ଭ କରିଥିଲା।
୬୦ ବର୍ଷ ପରେ ଏବେ ହିନ୍ଦୀ ଭାଷା ବିରୋଧରେ ପୁଣି ତାମିଲନାଡୁରେ ପ୍ରତିବାଦର ସ୍ୱର ଉଠିଛି। ଏହାର କାରଣ ହେଲା ନୂଆ ଶିକ୍ଷା ନୀତିରେ ୩ ଭାଷା ଫର୍ମୁଲାକୁ ସାମିଲ କରାଯାଇଛି। ତାମିଲନାଡୁର ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସତର୍କ କରାଇ ଦେଇଛନ୍ତି ଯେ ଯଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତାମିଲମାନଙ୍କ ଭାବାବେଗକୁ ନ ବୁଝିବେ, ତା’ହେଲେ ରାଜ୍ୟରେ ପୁଣିଥରେ ଭାଷା ଯୁଦ୍ଧ ଆରମ୍ଭ ହେବ।
ସେ କହିଛନ୍ତି, “୧୯୩୮ ମସିହା ହିନ୍ଦୀ ବିରୋଧୀ ବିକ୍ଷୋଭରେ ୨ ଜଣ ତାମିଲ ସେମାନଙ୍କ ଜୀବନର ବଳିଦାନ ଦେଇଥିଲେ। ୧୯୬୫ରେ ଶତାଧିକ ଯୁବକ ଜୀବନ ହାରିଥିଲେ। ଏବେ ଆମେ ୨୦୨୫ରେ ପହଞ୍ଚି ଯାଇଛୁ। ଯଦି ହିନ୍ଦୀ ଭାଷାକୁ ଆମ ଉପରେ ଲଦି ଦିଆଯିବ, ତା’ହେଲେ ଏଥର ଶତାଧିକ ନୁହନ୍ତି ବରଂ ହଜାର ହଜାର ଯୁବକ ତାମିଲ ଓ ଆମ ଅଧିକାରର ସୁରକ୍ଷା ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ।” ୧୯୬୫ରେ ଷ୍ଟାଲିନଙ୍କ ଡିଏମକେ ହିନ୍ଦୀ ଭାଷା ବିରୋଧରେ ମଙ୍ଗ ଧରିଥିଲା ଓ ଦଳକୁ ଏହା ନିର୍ବାଚନରେ ଫାଇଦା ମଧ୍ୟ ଦେଇଥିଲା।
ଉଦୟନିଧି ଷ୍ଟାଲିନ ହଜାର ହଜାର ଯୁବକ ବଳିଦାନ ଦେବାକୁ ପ୍ରସ୍ତୁତ ଥିବା କହିବା ପରେ ତାମିଲନାଡୁରେ ଭାଷା ଆନ୍ଦୋଳନର ଭୟଙ୍କର ବିକ୍ଷୋଭର ସ୍ମୃତି ତାଜା ହୋଇଯାଇଛି। ଯେତେବେଳେ ପ୍ରତିରୋଧ ଚରମସୀମାରେ ପହଞ୍ଚି ସାରିଥିଲା ସେତେବେଳେ କୀଟନାଶକ ପିଆଯାଇଥିଲା ଓ ପୋଡ଼ାଜଳା ନିତିଦିନିକି ଘଟଣାରେ ପରିଣତ ହୋଇଥିଲା। ନିଜର ଭାଷା ଓ ପରିଚୟ ପାଇଁ ତାମିଲନାଡୁରେ ଏପରି ଘଟିଥିଲା।
୧୯୩୮ ମସିହା ପେରିୟାର ଓ ତାମିଲ ଆତ୍ମ ସମ୍ମାନ ଅଭିଯାନ
୧୯୩୭ ମସିହାରୁ ତାମିଲନାଡୁରେ ହିନ୍ଦୀକୁ ବିରୋଧ କରାଯାଉଛି। ମାଡ୍ରାସ ପ୍ରେସିଡେନ୍ସୀରେ କଂଗ୍ରେସ ସରକାର ଥିବା ବେଳେ ଏହାର ମୁଖିଆ ସି ରାଜାଗୋପାଲଚାରୀ ସ୍କୁଲଗୁଡ଼ିକରେ ହିନ୍ଦୀକୁ ବାଧ୍ୟତାମୂଳକ କରିଥିଲେ। ରାଜାଗୋପାଲଚାରୀଙ୍କ ଏପରି ପଦକ୍ଷେପ ତାମିଲମାନଙ୍କୁ ଆଘାତ ଦେଇଥିଲା। ଦ୍ରାବିଡ ଐତିହ୍ୟକୁ ବରବାଦ କରିବାକୁ ହିନ୍ଦୀକୁ ବାଧ୍ୟତାମୂଳକ କରାଯାଇଥିବା ସେମାନେ ଆଶଙ୍କା କରିଥିଲେ।
୧୯୩୮ ମସିହା ଆନ୍ଦୋଳନ ବେଳେ ନଟରାଜନ ଓ ଥାଲାମୁଥୁ ନାମକ ଦୁଇ ଜଣ ବିକ୍ଷୋଭକାରୀ ପୁଲିସ୍ ହେପାଜତରେ ପ୍ରାଣ ହରାଇଥିଲେ। ସେମାନଙ୍କୁ ହିନ୍ଦୀ ବିରୋଧୀ ଅଭିଯାନର ପ୍ରଥମ ସହିଦ ବୋଲି କୁହାଯାଏ। ଦ୍ରାବିଡିଆନ ଅଭିଯାନ ପେରିୟାର ଇଭି ରାମାସାମୀ ନେଉଥିବା ବେଳେ ଏହା ପୂରା ରାଜ୍ୟକୁ ବ୍ୟାପିବାକୁ ଲାଗିଥିଲା। ହିନ୍ଦୀକୁ ବାଧ୍ୟତାମୂଳକ କରାଯିବା ପ୍ରସ୍ତାବକୁ ପେରିୟାର ଜୋରଦାର ବିରୋଧ କରୁଥିଲେ। ଉତ୍ତର ଭାରତ ଧାରାକୁ ଏଠାରେ ଲାଗୁ କରିବାକୁ ଚେଷ୍ଟା କରାଯାଉଥିବା ବିକ୍ଷୋଭକାରୀ କହିଥିଲେ। ବର୍ଷବର୍ଷ ଧରି ହିନ୍ଦୀକୁ ଉତ୍ତର ଭାରତର ଭାଷା ଭାବେ ଗଣତି କରାଯାଇ ଆସୁଛି। ୧୯୬୫ ମସିହା ବେଳକୁ ହିନ୍ଦୀ ଭାଷା ବିରୋଧୀ ଆନ୍ଦୋଳନ ଆହୁରି ଭୟଙ୍କର ହୋଇଥିଲା।
୧୯୬୫ରେ କାହିଁକି ହିନ୍ଦୀ ବିରୋଧୀ ଆନ୍ଦୋଳନ ତାମିଲନାଡୁରେ ତୀବ୍ର ହେଲା?
୧୯୫୦ରେ ଭାରତୀୟ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ଦେଶର ସରକାରୀ ଭାଷା ଭାବେ ହିନ୍ଦୀକୁ ମାନ୍ୟତା ମିଳିଥିଲା। ୧୫ ବର୍ଷ ଯାଏ ଅର୍ଥାତ ୧୯୬୫ ମସିହା ଜାନୁଆରୀ ୨୬ ଯାଏ ଇଂରାଜୀ ଆସୋସିଏଟ ସରକାରା ଭାଷା ଭାବେ ରହିଥିଲା। ୧୯୬୫ ମସିହା ଜାନୁଆରୀ ୨୬ ପାଖେଇ ଆସୁଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଲାଲା ବାହାଦୂର ଶାସ୍ତ୍ରୀ ସରକାର ଭାରତର ସରକାରୀ ଭାଷା କେବଳ ହିନ୍ଦୀ ରହିବ ବୋଲି ଯୋଜନା କରୁଥିବା ଜଣାପଡ଼ିଥିଲା।
ଏହା ଜାଣି ଅଧିକାଂଶ ତାମିଲ ଅନୁଭବ କରିଥିଲେ ଯେ ସେମାନଙ୍କ ସହ ଧୋକା ହେବାକୁ ଯାଉଛି। ସେମାନଙ୍କ ଭାଷାକୁ ଅଣଦେଖା ନ କରିବା ପାଇଁ ମିଳିଥିବା ପ୍ରତିଶ୍ରୁତିକୁ ସରକାର ବାଏଁବାଏଁ ଉଡ଼ାଇ ଦେବାକୁ ଚାହୁଁଥିବା ସେମାନେ ଆଶଙ୍କା କରୁଥିଲେ। ଏହି ଆଶଙ୍କାରେ ନିଆଁ ଲଗାଇଥିଲା ସେତେବେଳେ ବିରୋଧୀ ଦଳ ଭାବେ କାମ କରୁଥିଲା ଡିଏମକେ। ଡିଏମକେ ସହ ହିନ୍ଦୀ ବିରୋଧରେ ଥିବା ଦଳ, ସଂଗଠନ, ଶିକ୍ଷାର୍ଥ ଓ ସାଧାରଣ ଲୋକ ବିକ୍ଷୋଭ ଆରମ୍ଭ କରିଥିଲେ। କିଛି ଦିନ ପରେ ଏହି ବିକ୍ଷୋଭ ଭୟଙ୍କର ରୂପ ନେଇଥିଲା।
୧୯୬୫ ମସିହା ତାମିଲ ବିକ୍ଷୋଭର ପ୍ରଥମ ସହିଦ ଚିନ୍ନାସାମୀ
ଭୟଙ୍କର ବିକ୍ଷୋଭର ପ୍ରଥମ ଦିନ ଅର୍ଥାତ ୧୯୬୫ ମସିହା ଜାନୁଆରୀ ୨୫ରେ ଚିନ୍ନାସାମୀ ଆତ୍ମାହୁତି ଦେଇଥିଲେ। ରେଳ ଶ୍ରମିକ ଭାବେ କାମ କରୁଥିବା ଚିନ୍ନାସାମୀ ନିଜ ଦେହରେ କିରାସିନ ଢାଳିବା ପରେ ଗୋଟିଏ ସରକାରୀ ଅଫିସ ବାହାରେ ନିଆଁ ଲଗାଇ ଦେଇଥିଲେ। ସେ ଆତ୍ମାହୁତି ଦେବା ପୂର୍ବରୁ ଗୋଟିଏ ଚିଠି ଲେଖି ତାମିଲ ପ୍ରତି ତାଙ୍କର ଭଲ ପାଇବାକୁ ସମସ୍ତଙ୍କୁ ଜଣାଇଥିଲେ।
ସ୍କଲାର ଓ ଡିପ୍ଲୋମାଟ ଆର ଖାନ୍ନା ନିଜ ବହି Anna: The Life and Times of CN Annaduraiରେ ଲେଖିଛନ୍ତି ଯେ ହିନ୍ଦୀ ଭାଷା ପ୍ରସଙ୍ଗରେ ଚିନ୍ନାସାମୀ ଆତ୍ମାହୁତି ଦେଇଥିଲେ ହେଁ ସେତେବେଳେ ଖବରକାଗଜଗୁଡ଼ିକ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ଡିଏମକେର ତତ୍କାଳୀନ ପ୍ରମୁଖ ନେତା ସିଏନ ଆନ୍ନାଦୁରାଇ କହିଥିଲେ ଯେ ବଳିଦାନ ଯୋଗୁ ଚିନ୍ନାସାମୀ ତାମିଲନାଡୁ ଇତିହାସର ପ୍ରମୁଖ ସ୍ଥାନରେ ରହିବେ। ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ଚିନ୍ନାସାମୀ ମାଡ୍ରାସ ମୁଖ୍ୟମନ୍ତ୍ରୀ ମିନଜୁର ବିଙ୍କୁ ପ୍ରଶ୍ନ କରିଥିଲେ ଯେ “କ’ଣ ଆପଣ ତାମିଲଙ୍କ ସୁରକ୍ଷା ପାଇଁ ହିନ୍ଦୀ ଲାଗୁ କରାଯିବା ପଦକ୍ଷେପକୁ ରୋକି ପାରିବେ ନାହିଁ?” ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଲେଖିଥିବା ଚିଠିରେ କହିଥିଲେ ଯେ “ଓଃ ତାମିଲ! ମୁଁ ମରିବାକୁ ଯାଉଛି। ଏହାଦ୍ୱାରା ଆପଣମାନେ ଜୀବନ୍ତ ରହିପାରିବେ। ଓଃ! ତାମିଲ!”
କେମିତି ପୂରା ତାମିଲନାଡୁକୁ ବ୍ୟାପି ଥିଲା ହିନ୍ଦୀ ବିରୋଧୀ ଆନ୍ଦୋଳନ?
ଚିନ୍ନାସାମୀଙ୍କ ମୃତ୍ୟୁ ପରେ ହିନ୍ଦୀ ବିରୋଧୀ ବିକ୍ଷୋଭ ତୀବ୍ର ରୂପ ଧାରଣ କରିଥିଲା। ଜାନୁଆରୀ ୨୬ରେ ପୂରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ମାଡ୍ରାସ(ଏବେ ତାମିଲନାଡୁ) ଜଳିବାରେ ଲାଗିଥିଲା। ଆଗାମୀ ଦିନ ଗୁଡ଼ିକରେ ଚେନ୍ନାଇ, ମଦୁରାଇ ଓ କୋଏମ୍ବାଟୁରରେ ବିକ୍ଷୋଭ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ପୁଲିସ୍ ଓ ଶିକ୍ଷାର୍ଥୀ ସଂଘର୍ଷ କରିଥିଲେ। ରେଳ ରୋକ ହେବା ସହ ଟ୍ରେନଗୁଡ଼ିକୁ ଲାଇଚ୍ୟୁତ କରାଯାଇଥିଲା। ସରକାରୀ ବିଲଡିଂରେ ନିଆଁ ଲଗାଇ ଦିଆଯାଇଥିଲା।
ଡିଏମକେର ଆନ୍ଦୋଳନ ହିନ୍ଦୀ ବିରୋଧରେ ଏପରି ଢଙ୍ଗରେ କରାଯାଇଥିଲା ଯେ ଚିନ୍ନାସାମୀ ଆପେଆପେ ପ୍ରଥମ ସହିଦର ମାନ୍ୟତା ପାଇ ଯାଇଥିଲେ। ଦଳର କର୍ମକର୍ତ୍ତାମାନେ ଚିନ୍ନାସାମୀଙ୍କ ବଳିଦାନକୁ ବିଭିନ୍ନ ସ୍ଥାନରେ ପ୍ରମୁଖ ପ୍ରସଙ୍ଗ କରି ଶୋକ ପାଳନ କରିଥିଲେ ବୋଲି ଖାନ୍ନା ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।
ଜାନୁଆରୀ ୨୬ ତାରିଖ ସକାଳେ ଯେତେବେଳେ ଏମ କରୁଣାନିଧିଙ୍କ ସମେତ ଅନେକ ଡିଏମକେ ନେତାଙ୍କୁ ପୁଲିସ୍ ଉଠାଇଥିଲା ସେତେବେଳେ ଦଳର ସଦସ୍ୟ ଶିବାଲିଙ୍ଗମ ନିଜ ଦେହରେ ପେଟ୍ରୋଲ ଢାଳି ଏହାକୁ ବିରୋଧ କରିଥିଲେ। କେହି କିଛି ବୁଝିବା ଆଗରୁ ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। କୋଡାମବକମ୍ମ ଠାରେ ସେ ଏପରି କରିବାରୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ନାଁ ଅନୁସାରେ ଉକ୍ତ ଅଞ୍ଚଳକୁ ନାମିତ କରାଯାଇଥିଲା।
ଅରଙ୍ଗନାଥନ ନାମକ ଜଣେ ବ୍ୟକ୍ତି ଶିବାଲିଙ୍ଗମଙ୍କ ଶେଷ ଦର୍ଶନ ପାଇଁ ଯାଇଥିଲେ। କିନ୍ତୁ ଜାନୁଆରୀ ୨୬ ସକାଳେ ସେ ମଧ୍ୟ ଆତ୍ମାହୁତ ଦେଇଥିଲେ। ଏହାପରେ ଜଣଙ୍କ ଜଣେ ତାମିଲ ଯୁବକ ବଳିଦାନ ଦେବା ଆରମ୍ଭ କରିଥିଲେ। ଅରଙ୍ଗନାଥନଙ୍କ ଭଳି ଆୟାନପଲାୟମ ଓ ମୁଥୁ ନିଜକୁ ନିଆଁରେ ଜାଳିଥିବା ବେଳେ କୀରାନୁର ମୁଥ, ବୀରାଲିମଲାଇ ଓ ପିଲାମେଡୁ ବିଷ ପିଇ ଜୀବନ ଦେଇଥିଲେ।
ବିକ୍ଷୋଭକାରୀଙ୍କ ଦାବି ପୂରା ସ୍ପଷ୍ଟ ରହିଥିଲା। ସେମାନେ ଦାବି କରିଥିଲେ ଯେ କେନ୍ଦ୍ର ସହ ଯୋଗାଯୋଗ କରିବା ପାଇଁ ହିନ୍ଦୀ ବଦଳରେ ଇଂରାଜୀ ଭାଷାର ବ୍ୟବହାର କରାଯାଉ। ରାଜ୍ୟରେ ତାମିଲମାନଙ୍କୁ ଗୁରୁତ୍ୱ ଅଧିକ ଦିଆଯାଉ। ଆତ୍ମହତ୍ୟା, ଦଙ୍ଗା, ବସ ପୋଡ଼ି ଓ ବିକ୍ଷୋଭ ପୂରା ରାଜ୍ୟକୁ ଦୋହଲାଇ ଦେଇଥିଲା। ପୂରା ରାଜ୍ୟରେ ଅସ୍ଥିରତା ଦେଖାଯାଇଥିବା ବେଳେ ସରକାର ୧୫ ଶହରୁ ଅଧିକ ଲୋକଙ୍କୁ ଗିରଫ କରିଥିଲେ।
ପୁଲିସ୍ କର୍ମଚାରୀଙ୍କୁ ଜୀବନ୍ତ ଜାଳି ଦେଇଥିଲେ ବିକ୍ଷୋଭକାରୀ
୧୯୬୫ ଫେବୃଆରୀ ୧୦ ଓ ୧୫ରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଥିଲା। ଏଥିପାଇଁ ପୁଲିସ୍କୁ ଅତିକମରେ ୨୦ଟି ସ୍ଥାନରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଗୁଳି ଚାଳନା କରିବାକୁ ପଡ଼ିଥିଲା। ବିକ୍ଷୋଭକାରୀ ଅନେକ ରେଳ ଷ୍ଟେସନ, ପୋଷ୍ଟ ଅଫିସ, ପୁଲିସ୍ ଷ୍ଟେସନ ଓ ସରକାରୀ କୋଠାରେ ନିଆଁ ଲଗାଇ ଦେଇଥିଲେ। ଉକ୍ତ ରାସ୍ତାରେ ଯାଉଥିବା ପ୍ରାୟ ସବୁ ଟ୍ରେନକୁ ପଥର ମାଡ଼ କରାଯାଉଥିଲା ଓ ବସଗୁଡ଼ିକୁ ପୋଡ଼ି ଦିଆଯାଉଥିଲା।
ସବୁଠାରୁ ଭୟଙ୍କର ହିଂସା କୁମାରାପାଲାୟମ ଓ କୋଏମ୍ବାଟୁରରେ ଦେଖିବାକୁ ମିଳିଥିଲା। ବିକ୍ଷୋଭକାରୀଙ୍କ ଉପରକୁ ପୁଲିସ୍ ଗୁଳି କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ବିକ୍ଷୋକାରୀମାନେ ୨ ଜଣ ପୁଲିସ୍ କର୍ମଚାରୀଙ୍କୁ ଜୀବନ୍ତ ନିଆଁ ଲଗାଇ ପୋଡ଼ି ମାରି ଦେଇଥିଲେ। ବିକ୍ଷୋଭବେଳେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଳାଇଥିବା ଗୁଳି ଯୋଗୁ ୫୦ରୁ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଥିଲା। କିନ୍ତୁ ବାସ୍ତବରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୫୦୦ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଥିଲା।
ହିନ୍ଦୀ ନିଆଁକୁ ଲିଭାଇବାକୁ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଦେଇଥିଲେ ପ୍ରତିଶ୍ରୁତି
ବିକ୍ଷୋଭ ଯୋଗୁ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିଲା। ୧୯୬୫ ମସିହା ଫେବୃଆରୀ ୧୧ରେ ସେ ଘୋଷଣା କରିଥିଲେ ଯେ ଇଂରାଜୀ ଅନିର୍ଦ୍ଦିଷ୍ଟ କାଳ ଯାଏ ଆସୋସିଏଟ ଭାଷା ହୋଇ ରହିବ। ଏହି ଘୋଷଣା ପରେ ମଧ୍ୟ କିଛି ଦିନ ଯାଏ ପୋଡ଼ା ଜଳା ଜାରି ରହିଥିଲା। ଅନେକ ଲୋକ ପ୍ରାଣ ହରାଇବା ପରେ ଓ ଭୟଙ୍କର କ୍ଷୟକ୍ଷତି ପରେ ଶେଷରେ ହିନ୍ଦୀ ବିରୋଧୀ ନିଆଁ ଲିଭିବା ଆରମ୍ଭ କରିଥିଲା।
କେନ୍ଦ୍ର ସରକାର ବାରମ୍ବାର କହିଥିଲେ ଯେ କାହା ଉପରେ ହିନ୍ଦୀ ଭାଷାକୁ ବଳପୂର୍ବକ ଲଦି ଦିଆଯିବ ନାହିଁ। ଏହା ଶୁଣିବା ପରେ ୧୯୬୫ ମସିହା ଫେବୃଆରୀ ୨୨ରେ ହିନ୍ଦୀ ବିରୋଧୀ ବିକ୍ଷୋଭକୁ ପ୍ରତ୍ୟାହାର କରାଯାଇଥିଲା। ପ୍ରତିଶ୍ରୁତି ପରେ ନିଆଁ ତ ଲିଭିଛି। କିନ୍ତୁ ଏବେ ବି ଭାବାବେଗର ଧୂଆଁ ସେଥିରୁ ବାହାରି ଚାଲିଛି। ବିକ୍ଷୋଭର ଦୁଇ ବର୍ଷ ପରେ ଡିଏମକେକୁ ଏହା ନିର୍ବାଚନରେ ଫାଇଦା ଦେଇଥିଲା। ସିଏନ ଆନ୍ନାଦୁରାଇଙ୍କ ନେତୃତ୍ୱରେ ଡିଏମକେ ୧୯୬୭ ନିର୍ବାଚନ ଜିତିଥିଲା।
ବିକ୍ଷୋଭ ଆରମ୍ଭ ବେଳେ ମିନଜୁର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ। ସେବେଠାରୁ କଂଗ୍ରେସ କାହାକୁ ବି ସେଠାରେ ମୁଖ୍ୟମନ୍ତ୍ରୀ କରିବାର ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଭାଷା ଆନ୍ଦୋଲନ ଯୋଗୁ ଡିଏମକେ ବଡ଼ ଭାଇ ହୋଇ ରହିଥିବା ବେଳେ କଂଗ୍ରେସ ସାନ ଭାଇ ଭାବେ ରାଜ୍ୟରେ କାମ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।