Advertisment

Humanity Failed: ଯେତେବେଳେ ମାନବିକତା ମରିଯାଏ: ହାର୍ଟ ଆଟାକ ଓ ଅସହାୟ ପତ୍ନୀର କରୁଣ ଚିତ୍କାର

କିଛି ସମୟ ପରେ କିନ୍ତୁ ଯନ୍ତ୍ରଣା ବଢ଼ିବା ସହ ଗୋଡ଼ ହାତ ମଧ୍ୟ ବିନ୍ଧିବା ଆରମ୍ଭ କରିଥିଲା। ବେଡରୁ ଉଠି ଭେଙ୍କଟରମଣ ଅସହଜ ଅନୁଭବ କରିଥିଲେ। ପତ୍ନୀଙ୍କୁ ନିଦରୁ ଉଠାଇଥିଲେ। ପତ୍ନୀ ତୁରନ୍ତ କୌଣସି ଉପାୟ ନ ପାଇ ସ୍ୱାମୀଙ୍କୁ ସ୍କୁଟିରେ ବସାଇ ସ୍ଥାନୀୟ ହସ୍ପିଟାଲକୁ ନେଇ ଯାଇଥିଲେ।

author-image
Hemant Lenka
Bengaluru

ଭେଙ୍କଟରମଣ

ସମୟ ଭୋର ୩.୩୦। ସ୍ଥାନ-ଦକ୍ଷିଣ ବେଙ୍ଗାଲୁରୁ(Bengaluru)ର ବାଲାଜୀ ନଗର। ଏଠାରେ ଥିବା ଗୋଟିଏ ଘରେ ସ୍ୱାମୀ, ସ୍ତ୍ରୀ, ୫ ବର୍ଷର ପୁଅ ଓ ୧୮ ମାସର ଝିଅ ଶୋଇଥିଲେ। ଘରେ ବୁଢ଼ୀ ମା’ ମଧ୍ୟ ଥିଲେ। ହଠାତ୍‌ ୩୪ ବର୍ଷୀୟ ସ୍ୱାମୀ ଭେଙ୍କଟରମଣ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଭାବିଥିଲେ କୌଣସି ଛୋଟ କାରଣ ପାଇଁ ଏପରି ହେଉଛି।

Advertisment

କିଛି ସମୟ ପରେ କିନ୍ତୁ ଯନ୍ତ୍ରଣା ବଢ଼ିବା ସହ ଗୋଡ଼ ହାତ ମଧ୍ୟ ବିନ୍ଧିବା ଆରମ୍ଭ କରିଥିଲା। ବେଡରୁ ଉଠି ଭେଙ୍କଟରମଣ ଅସହଜ ଅନୁଭବ କରିଥିଲେ। ପତ୍ନୀଙ୍କୁ ନିଦରୁ ଉଠାଇଥିଲେ। ପତ୍ନୀ ତୁରନ୍ତ କୌଣସି ଉପାୟ ନ ପାଇ ସ୍ୱାମୀଙ୍କୁ ସ୍କୁଟିରେ ବସାଇ ସ୍ଥାନୀୟ ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ସେଠାରେ କୌଣସି ଡାକ୍ତର ନଥିଲେ। 
ଅସୁସ୍ଥ ସ୍ୱାମୀଙ୍କୁ ପୁଣି ସେଠାରୁ ସ୍କୁଟିରେ ବସାଇ ଅସହାୟ ପତ୍ନୀ ଆଉ ଗୋଟିଏ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲେ।

ସେଠାରେ ୩୪ ବର୍ଷୀୟ ଭେଙ୍କଟରମଣଙ୍କ ଇସିଜି କରାଯାଇଥିଲା। ଜଣାପଡ଼ିଥିଲା ଯେ ସେ ଛୋଟ ଧରଣର ହାର୍ଟ ଆଟାକର ସମ୍ମୁଖୀନ ହୋଇଥିଲା। ଏହା ଜାଣି ପତ୍ନୀ ପୂରା ଡରି ଯାଇଥିଲେ। ଏଥିସହ ଚିକିତ୍ସା ଆରମ୍ଭ କରିବାକୁ ହସ୍ପିଟାଲ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ହେଲେ ହସ୍ପିଟାଲ କର୍ମଚାରୀ ଜଣେ ଅସହାୟ ପତ୍ନୀର କୌଣସି କଥା ଶୁଣି ନଥିଲେ। ଜରୁରୀ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିବା କହିବା ସହ ସେମାନେ ଭେଙ୍କଟରମଣଙ୍କୁ ତୁରନ୍ତ ଜୟନଗରରେ ଥିବା ଶ୍ରୀ ଜୟଦେବ ଇନଷ୍ଟିଚ୍ୟୁଟ ଅଫ କ୍ରାଡିଓଭାସକୁଲାର ସାଇନ୍ସକୁ ନେଇ ଯିବାକୁ କହିଥିଲେ। 

Advertisment

ଅସୁସ୍ଥ ସ୍ୱାମୀଙ୍କୁ ପତ୍ନୀ ନେବାକୁ ରାଜି ହେବା ସହ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ କହିଥିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ କିଛି ବି ଶୁଣି ନଥିଲେ। ଶେଷରେ ଶୀତୁଆ ଭୋର ସମୟରେ ପତ୍ନୀ ଜଣଙ୍କ ସ୍ୱାମୀଙ୍କୁ ସ୍କୁଟିରେ ବସାଇ ଶ୍ରୀ ଜୟଦେବ ଇନଷ୍ଟିଚ୍ୟୁଟ ଅଫ କ୍ରାଡିଓଭାସକୁଲାର ଅଭିମୁଖେ ବାହାରି ଯାଇଥିଲେ। କିନ୍ତୁ ଅଧା ବାଟରେ ଘଟିଥିଲା ଅଘଟଣ। ରାସ୍ତାରେ ଯାଉଥିବା ବେଳେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। 

ପାଖରେ ଅସୁସ୍ଥ ସ୍ୱାମୀ ଥିବା ବେଳେ ଦୁର୍ଘଟଣା ଯୋଗୁ ପତ୍ନୀ ଆଉ ଗାଡ଼ି ଚଳାଇ ପାରି ନଥିଲେ। ସ୍ୱାମୀ ରାସ୍ତା କଡ଼ରେ ପଡ଼ିଥିବା ବେଳେ ପତ୍ନୀ ଜଣଙ୍କ ସେହି ବାଟେ ଯାଉଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ରାସ୍ତାରେ ଏକାଧିକ ଗାଡ଼ି ଯାଉଥିବା ବେଳେ ସମସ୍ତଙ୍କୁ ପତ୍ନୀ ଜଣଙ୍କ ନେହୁରା ହୋଇଥିଲେ। କହିଥିଲେ ମୋ ସ୍ୱାମୀଙ୍କୁ ଟିକିଏ କେହି ହସ୍ପିଟାଲ ନେଇ ଯାଅ। ହେଲେ ସ୍ୱାର୍ଥ ମଣିଷ ଅସହାୟ ପତ୍ନୀଙ୍କ କରୁଣ ଚିତ୍କାରକୁ ଆଦୌ ଖାତିର କରିନଥିଲେ।

୨ଟି କାର, ଗୋଟିଏ ଟେମ୍ପୋ ଓ ଗୋଟିଏ ବାଇକ ସେହି ବାଟେ ଯାଇଥିଲେ ହେଁ କେହି ବି ଭେଙ୍କଟରମଣଙ୍କୁ ସହଯୋଗ କରିବାକୁ ଆଗେଇ ଆସି ନଥିଲେ। ନିବେଦନ କରି ନିରାଶ ହେବା କ୍ଷଣୀ ଅସୁସ୍ଥ ସ୍ୱାମୀ ପାଖକୁ ଦୌଡ଼ି ଆସୁଥିଲେ ପତ୍ନୀ। ତାଙ୍କୁ ଟିକିଏ ଦେଖି ପୁଣି ସହଯୋଗ ଆଶାରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକିବାକୁ ନେହୁରା ହେଉଥିଲେ।

ବେଶ କିଛି ମିନିଟ ଏପରି ଘଟିବା ପରେ ଜଣେ କ୍ୟାବ ଡ୍ରାଇଭର ଅଟକି ଥିଲେ। ସେ ଭେଙ୍କଟରମଣଙ୍କୁ ରାସ୍ତା କଡ଼ରୁ ଉଠାଇ ପତ୍ନୀଙ୍କ ସହ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ହସ୍ପିଟାଲରେ ଭେଙ୍କଟରମଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ଯଦି ଠିକଣା ସମୟରେ ଭେଙ୍କଟମଣ ହସ୍ପିଟାଲରେ ପହଞ୍ଚି ପାରିଥାଆନ୍ତେ, ତା’ହେଲେ ହୁଏତ ତାଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା। ଏବେ ଭେଙ୍କଟରମଣଙ୍କୁ ହରାଇ ତାଙ୍କ ପତ୍ନୀ, ୫ ବର୍ଷର ପୁଅ, ୧୮ ମାସର ଝିଅ ଓ ବୁଢ଼ୀ ମା’ ଏକା ହୋଇ ଯାଇଛନ୍ତି। ଦୁଇ ଛୋଟ ପିଲାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ସବୁ ଦିନ ପାଇଁ ଚାଲି ଯାଇଛି। 

ଗୋଟିଏ ଗ୍ୟାରେଜରେ ମେକାନିକ ଭାବେ କାମ କରୁଥିଲେ ଭେଙ୍କଟରମଣ। ସେ ୨୦୨୦ରେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ସେହିପରି ସେ ତାଙ୍କ ମା’ଙ୍କ ଏକମାତ୍ର ପୁଅ ଥିଲେ। ପୂର୍ବରୁ ଭେଙ୍କଟରମଣ ନିଜର ୫ ଭାଇ ଭଉଣୀଙ୍କୁ ହରାଇ ସାରିଥିଲେ। ଏବେ ଭେଙ୍କଟରମଣଙ୍କ ମଧ୍ୟ ମୃତ୍ୟୁ ହୋଇଛି। 

ଏତେ ସବୁ ପରେ ମଧ୍ୟ ଭେଙ୍କଟରମଣଙ୍କ ପରିବାର ଲୋକ ବଡ଼ କାମ କରିଛନ୍ତି। ମୃତ୍ୟୁ ପରେ ସେମାନେ ଭେଙ୍କଟରମଣଙ୍କ ଆଖିକୁ ଦାନ କରି ଦେଇଛନ୍ତି। ଏବେ ଆଉ ଜଣେ କେହି ତାଙ୍କ ଆଖିରେ ଏ ଦୁନିଆକୁ ଦେଖିବ। ଏହି ଦୁନିଆର ଲୋକମାନେ ସିନା ସ୍ୱାର୍ଥ ପର ହୋଇଗଲେ, ହେଲେ ଭେଙ୍କଟରମଣ ମୃତ୍ୟୁ ପରେ ମଧ୍ୟ ଅମର ହୋଇ ଯାଇଛନ୍ତି। 

Bengaluru