/odisha-reporter/media/post_attachments/uploadimage/library/16_9/16_9_0/Lalit_Jha_1702612354.jpg)
Lalit Jha
ଗଣତନ୍ତ୍ରର ମନ୍ଦିର ସଂସଦ ଭିତରେ ପଶି ଦୁଇ ଯୁବକ ଡିଆଁ ମାରିବା ସହ ହଳଦିଆ ଗ୍ୟାସ୍ ସ୍ପ୍ରେ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ପୁଲିସ୍ ପୂର୍ବରୁ ୪ ଜଣଙ୍କୁ ବାନ୍ଧିଥିବା ବେଳେ ଗତକାଲି ମାଷ୍ଟର ମାଇଣ୍ଡ ଲଳିତ ଝା ଆତ୍ମସମର୍ପଣ କରିଛି। ତେବେ କିଏ ଏହି ଲଳିତ ଝା, କ’ଣ ପାଇଁ ସଂସଦରେ ପଶିବାକୁ ସତସାହସ କରିବା ସହ ଯୋଜନା ପ୍ରସ୍ତୁତ କରିଥିଲେ ତାହା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି।
ଲଲିତ ଝା ଜଣେ ସାଧାସିଧା ଯୁବକ ହୋଇଥିବା ବେଳେ ସେ ବିହାର ବାସିନ୍ଦା। କିନ୍ତୁ ଗତ କିଛି ବର୍ଷ ହେବ ସେ ବିହାରରୁ ଆସି କୋଲକତାର ବୁରାବଜାରରେ ରହୁଥିଲେ। ସେଠାରେ ସେ କିଛି ସ୍ଥାନୀୟ ପିଲାଙ୍କୁ ପାଠ ପଢ଼ାଉଥିଲେ। କିନ୍ତୁ ଗତ ୨ ବର୍ଷ ହେବ ସେ ସେଠାରୁ ଗାଏବ ହୋଇ ଯାଇଥିବା ସ୍ଥାନୀୟ ବାସିନ୍ଦା ଜଣେ ସୂଚନା ଦେଇଛନ୍ତି। କୋଲକତାରେ ରହୂଥିବା ବେଳେ ସେ ଏକ ବେସରକାରୀ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ବୋଲି ବି ଜଣାପଡ଼ିଛି।
ସଂସଦ ଭିତରେ ପଶି ଏପରି ଆକ୍ରମଣ ନିମନ୍ତେ ୧୮ ମାସ ତଳୁ ଯୋଜନା ହୋଇଥିଲା। ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଅବସରରେ ଏପରି ଆକ୍ରମଣ ନିମନ୍ତେ ଲଳିତ ଝା ହିଁ ତାରିଖ ସ୍ଥିର କରିଥିଲା। ବେରୋଜଗାର, ମଣିପୁର ହିଂସା ଓ ଚାଷୀ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସେମାନେ ଏଭଳି କାଣ୍ଡ ଘଟାଇଥିବା ୪ ଅଭିଯୁକ୍ତ ପୁଲିସ୍ ସମ୍ମୁଖରେ କହିଛନ୍ତି। ତେବେ ଏହି ଘଟଣା ସହ କୌଣସି ଆତଙ୍କବାଦୀ ସଙ୍ଗଠନର ହାତ ଥିବାର ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳି ନ ଥିବା ପୁଲିସ୍ କହିଛି।
ପୁଲିସ୍ ସୂତ୍ରରୁ ପ୍ରକାଶ ଲଳିତ ଝା ଦିଲ୍ଲୀ ଗୁରୁଗ୍ରାମରେ ଭିକି ଶର୍ମା ଘରେ ରହୁଥିଲା। ଅନ୍ୟ ୪ ସହଯୋଗୀ ସାଗର, ନୀଲମ , ମନୋରଞ୍ଜନ ଓ ଅନମୋଳକୁ ସେ ଉକ୍ତ ଘରକୁ ଡାକିଥିଲେ। ସେଠାରେ ସେମାନଙ୍କ ଗୁପ୍ତ ବୈଠକ ବସିଥିବା ବେଳେ ସଂସଦରେ ଆତଙ୍କ ଖେଳାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।
ସମସ୍ତ ୬ ଜଣ ସଂସଦରେ ପଶି ଆତଙ୍କ ଖେଳାଇବାକୁ ଯୋଜନା କରିଥିଲେ। କିନ୍ତୁ କେବଳ ଦୁଇ ଜଣଙ୍କୁ ମହିଶୂର ସାଂସଦଙ୍କ ଦ୍ୱାରା ଭିଜିଟର୍ସ ପାସ୍ ମିଳିଥିଲା।
ତେଣୁ ନୂଆ ଯୋଜନା ଅନୁଯାୟୀ କେବଳ ସାଗର ଶର୍ମା ଓ ମନୋରଞ୍ଜନ ଲୋକସଭା ଚାମ୍ବରକୁ ପବ୍ଲିକ ଗ୍ୟାଲେରି ଦେଇ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସ୍ମୋକ କାନିଷ୍ଟରରୁ ହଳଦିଆ ରଙ୍ଗର ଧୂଆଁ ଛାଡ଼ିଥିବା ବେଳେ ଅନ୍ୟ ଜଣେ ସ୍ଲୋଗାନ ଦେଇଥିଲା। ଏହା କିଛି ସମୟ ପାଇଁ ସଂସଦରେ ଆତଙ୍କ ବାତାବରଣ ସୃଷ୍ଟି କରିଥିଲା।
ନୀଲମ ଓ ଅନମୋଲ ସାଂସଦ ବାହାରେ ହଙ୍ଗାମା କରୁଥିବା ବେଳେ ଲଳିତ ଏହା ଭିଡିଓ ରେକର୍ଡିଂ କରିଥିଲା। ଏହାପରେ ସେଠାରୁ ସେ ଫେରାର ହୋଇ ଯାଇଥିଲା। ତେବେ ଯିବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ନିଜ ସାଙ୍ଗରେ ନେଇ ଯାଇଥିଲା।
ପୁଲିସ୍ କହିଛି ଯେ ନିଜ ଯୋଜନା କାର୍ଯ୍ୟକାରୀ ପାଇଁ ୪ ଜଣଙ୍କୁ ସଂସଦ ପଠାଇବା ବେଳେ ହିଁ ଲଳିତ ସେମାନଙ୍କଠାରୁ ଫୋନ୍ ପାଖରେ ରଖିଥିଲା। । ସମ୍ଭବତଃ ସେ ସେଥିରୁ ସମସ୍ତ ପ୍ରମାଣ ନଷ୍ଟ କରିଦେଇଛି।
ଲଳିତ ଝା ସ୍ୱାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ପୁଲିସ୍ ସମ୍ମୁଖରେ କହିଛନ୍ତି। ଲଳିତ ବିରୋଧରେ ଆତଙ୍କବାଦୀ ନିରୋଧୀ ଦଫା (UAPA) ରେ ମାମଲା ରୁଜୁ କରାଯାଇଛି।
ଗିରଫ ଅନ୍ୟ ୪ ଜଣଙ୍କୁ ଦିଲ୍ଲୀ ପଟିଆଲ୍ଲା ହାଉସ୍ କୋର୍ଟ ୭ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଲଳିତ ଝାକୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
