Advertisment

୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା

କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍‌ ପାଇନାହାନ୍ତି।

author-image
Hemant Lenka
Cash

Cash

୩ ତଦନ୍ତକାରୀ ସଂସ୍ଥା- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗ(ଆଇଟି) ଓ ମଧ୍ୟପ୍ରଦେଶ ଲୋକାୟୁକ୍ତର ସ୍ପେଶାଲ ପୁଲିସ୍‌ ଏଷ୍ଟାବ୍ଲିଶମେଣ୍ଟ(ଏସପିଇ) ସୌରଭ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ବେଶ କିଛି ଦିନ ହେଲା ଖୋଜୁଛନ୍ତି। ଡିସେମ୍ବର ୧୯ରେ ଭୋପାଲର ଗୋଟିଏ ଗାଁ ନିକଟରୁ ତଦନ୍ତକାରୀ ଟିମ ପରିତ୍ୟକ୍ତ କାର ଜବତ କରିଥିଲା।

Advertisment

କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍‌ ପାଇନାହାନ୍ତି।

ତେବେ ସୌରଭ ଶର୍ମା କିଏ ଓ ସେ କେମିତି ଏତେ ସମ୍ପତ୍ତିର ମାଲିକ ହେଲେ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି। ଗ୍ୱାଲିୟରର ମୂଳବାସିନ୍ଦା ହେଉଛନ୍ତି ସୌରଭ ଶର୍ମା ଓରଫ ଚିନୁ। କିଶୋର ଅବସ୍ଥାରେ ସେ ସରକାରୀ ଚାକିରି ଆଶାୟୀ ରହିଥିଲେ।

Advertisment

ହିନ୍ଦୀ ସିନେମା 12th Fail ଯେଉଁ ବ୍ୟକ୍ତିଙ୍କ ଉପରେ ପର୍ଯ୍ୟବେସିତ, ସେହି ଗ୍ରୁପରେ UPSC ପାଇଁ ଅଭ୍ୟାସ କରୁଥିବା ପିଲାଙ୍କ ମଧ୍ୟରୁ ସୌରଭ ଅନ୍ୟତମ। ଏପରି କି ରାଜ୍ୟସ୍ତରୀୟ ପ୍ରଶାସନିକ ସେବା ପରୀକ୍ଷାରେ ସୌରଭ ଇଣ୍ଟରଭ୍ୟୁ ଯାଏ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ।

ଏସବୁ ଭିତରେ ତାଙ୍କ ଜୀବନର ଗତି ପଥ ଫିଲ୍ମର କାହାଣୀ ଭଳି ବଦଳି ଯାଇଥିଲା। ପ୍ରଶାସନିକ ସେବାରେ ଭର୍ତ୍ତି ହେବାକୁ ଚାହୁଁଥିବା ସୌରଭଙ୍କ ବାପା ହଠାତ୍‌ ସମସ୍ତଙ୍କୁ ଛାଡ଼ି ପର ପାରିକୁ ଚାଲି ଯାଇଥିଲେ। ବାପା ଜଣେ ସରକାରୀ ଚାକିରିଆ ହୋଇଥିବାରୁ ତାଙ୍କ ଦେହାନ୍ତ ପରେ ସୌରଭଙ୍କୁ ଉକ୍ତ ଚାକିରି ମିଳିଥିଲା। ସେ ପରିବହନ ବିଭାଗରେ କନଷ୍ଟେବଲ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ।

ଚାକିରି ଆରମ୍ଭର ମାତ୍ର କିଛି ମାସ ମଧ୍ୟରେ କେମିତି ଲାଞ୍ଚ କାରବାର ବିଭାଗରେ ହୋଇଥାଏ, ସେକଥା ଭଲ ଭାବେ ଶିଖି ଯାଇଥିଲେ। ସେହିପରି କ୍ଷତିପୂରଣ ଭାବେ ତାଙ୍କୁ ମିଳିଥିବା ଚାକିରିକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ଶର୍ମା ବାଧ୍ୟ ହୋଇ କିଛି ବର୍ଷ ପରେ ଇସ୍ତଫା ଦେଇଥିଲେ।

ଚାକିରି ଛାଡ଼ିବା ପରେ ସେ କନଷ୍ଟ୍ରକସନ ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ ଏହା ପଛରେ ସେ ଅନେକ ବେଆଇନ କାମ ମଧ୍ୟ ଜାରି ରଖିଥିଲେ। ରାତାରାତି ତାଙ୍କ ସମ୍ପତ୍ତି ହୁହୁ ହୋଇ ବଢ଼ି ଚାଲିଥିଲା।

ଡିସେମ୍ବର ୧୯ରେ ଲୋକାୟୁକ୍ତର ଏସ୍‌ପିଇ ଶର୍ମାଙ୍କ ସହ ଜଡ଼ିତ ଭୋପାଲର ଦୁଇଟି ସ୍ଥାନରେ ରେଡ କରିଥିଲା। ସେଠାରୁ ସୁନା ଓ ରୁପା ସହ ନଗଦ ୨.୧ କୋଟି ଟଙ୍କା ମିଳିଥିଲା। କିନ୍ତୁ ବିଳମ୍ବିତ ରାତିରେ ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି ଠାବ ହୋଇଥିଲା। ମେଣ୍ଡୋରି ଗାଁର ଗୋଟିଏ ଜଙ୍ଗଲରେ ପରତ୍ୟକ୍ତ ଅବସ୍ଥାରେ କାର ଛିଡ଼ା ହୋଇଥିବା ଖବର ଆୟକର ବିଭାଗକୁ ମିଳିଥିଲା।

ସ୍ଥାନୀୟ ପୁଲିସ୍‌ ସହାୟତାରେ ଆୟକର ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ଉକ୍ତ ଗାଡ଼ିରେ ଆଞ୍ଚଳିକ ପରିବହନ ଅଫିସର(ଆରଟିଓ) ନମ୍ବର ପ୍ଲେଟ ରହିଥିଲା। ସେଥିରେ ଗୋଟିଏ ସାଇରନ ମଧ୍ୟ ଲାଗିଥିଲା। ଗାଡ଼ି ଭିତରୁ ସର୍ଚ୍ଚ ଅପରେସନ ବେଳେ ଦୁଇଟି ବ୍ୟାଗ ମିଳିଥିଲା। ଗୋଟିଏ ବ୍ୟାଗରେ ନଗଦ ୧୧ କୋଟି ଟଙ୍କା ଓ ଅନ୍ୟ ବ୍ୟାଗରେ ୫୨ କେଜି ଓଜନର ସୁନା ରହିଥିଲା।

ଘଟଣା ପରଠାରୁ ଶର୍ମା ଫେରାର ରହିଛନ୍ତି। ସେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହା ଖାରଜ ହୋଇଯାଇଛି। ଡିସେମ୍ବର ୨୭ରେ ଇଡି ପକ୍ଷରୁ ଶର୍ମାଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ପୁଣି ରେଡ କରିଥିଲା। ଆୟକର ବିଭାଗ ତାଙ୍କୁ ହାଜର ହେବାକୁ ନୋଟିସ କରିଥିବା ଲୋକାୟୁକ୍ତର ଏସ୍‌ପିଇ ରାଜ୍ୟ ସିଆଇଡିକୁ ଶର୍ମାଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିବାକୁ କହିଛି।

ଶର୍ମାଙ୍କ ଠିକଣାରୁ ସୁନା ଓ ନଗଦ ଟଙ୍କା ସହ ତାଙ୍କ ସହ ଜଡ଼ିତ ଥିବା କିଛି ସରକାରୀ ବାବୁ ଓ ରାଜନେତାଙ୍କ ତାଲିକା ରହିଥିବା ଦସ୍ତାବିଜ ମଧ୍ୟ ମିଳିଛି। ସର୍ଚ୍ଚ ଅପରେସନ ବେଳେ ଦାମୀ ଘଣ୍ଟା ଓ ବ୍ୟାଗ ମଧ୍ୟ ଠାବ କରାଯାଇଥିବା ଜଣାପଡ଼ିଛି।

Madhya Pradesh Cash Seized