Advertisment

‘ପଠାନ’ ସମ୍ପର୍କରେ ପଚାରିବାରୁ ଶାହରୁଖ ଖାନ କିଏ ବୋଲି ପ୍ରଶ୍ନ କଲେ ଆସାମ ମୁଖ୍ୟମନ୍ତ୍ରୀ

୨୫ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଏହା ବିରୋଧରେ ନାରାବାଜୀ କରିଛନ୍ତି।

author-image
Hemant Lenka
Himanta Biswa Sarma

Himanta Biswa Sarma

 “ଶାହରୁଖ ଖାନ କିଏ? ମୁଁ ତାଙ୍କ ବିଷୟରେ କିମ୍ବା ଫିଲ୍ମ ପଠାନ ବିଷୟରେ କିଛି ବି ଜାଣିନି।” ଆଜି ଗୌହାଟୀରେ ସାମ୍ବାଦିକମାନେ ପଠାନ ଫିଲ୍ମକୁ ନେଇ ହେଉଥିବା ବିରୋଧ ସମ୍ପର୍କରେ ପ୍ରଶ୍ନ କରିବାକୁ ଏପରି ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

Advertisment

ଶୁକ୍ରବାର ବଜରଙ୍ଗ ଦଳର କର୍ମୀମାନେ ନାରେଙ୍ଗିରେ ଥିବା ଗୋଟିଏ ସିନେମା ହଲରେ ପଶି ଉତପାତ କରିଥିଲେ। ସେମାନେ ସିନେମା ହଲରେ ଲାଗିଥିବା ପଠାନ ପୋଷ୍ଟର ଚିରିବା ସହ ଏହାକୁ ଜାଳି ଦେଇଥିଲେ। ୨୫ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଏହା ବିରୋଧରେ ନାରାବାଜୀ କରିଛନ୍ତି।

ଏ ସମ୍ପର୍କରେ ଆଜି ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ଖାନ ମୋତେ ଫୋନ କରି ନାହାନ୍ତି। ବଲିଉଡର ଅନେକ ଏପରି ଅବଶ୍ୟ ମୋତେ ଫୋନ କରି ନିଜର ସମସ୍ୟା ସମ୍ପର୍କରେ କୁହନ୍ତି। ଯଦି ଖାନ କହିବେ, ତା’ହେଲେ ମୁଁ ପୂରା ପ୍ରସଙ୍ଗକୁ ଦେଖିବି। ତେବେ ଆଇନଶୃଙ୍ଖଳାକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କୁ ସହ୍ୟ କରାଯିବନି। ଯଦି କେହି ନିୟମ ଭାଙ୍ଗିବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହଲ ଭଙ୍ଗାରୁଜା ଘଟଣାରେ ମାମଲା ହୋଇଛି।”

Advertisment

ବଲିଉଡର କିଙ୍ଗ ଶାହରୁଖ ଖାନ ଓ ତାଙ୍କ ଫିଲ୍ମକୁ କିଛି ଲୋକ ଓ ହିନ୍ଦୁ ସଂଗଠନ ବିରୋଧ କରୁଛନ୍ତି। ଫିଲ୍ମର ବେଶରମ ରଙ୍ଗରେ ଅଭିନେତ୍ରୀ ଦୀପିକା ପାଦୁକୋନ ଗେରୁଆ ରଙ୍ଗର ବିକିନି ପିନ୍ଧିଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ବିଶ୍ୱ ହିନ୍ଦୁ ପରିଷଦ ଠାରୁ ଆରମ୍ଭ କରି ଆଉ କିଛି ତଥାକଥିତ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରୁଛନ୍ତି। ସେମାନେ ଫିଲ୍ମ ଉପରେ ବ୍ୟାନ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ଏପରି ଦାବି ଭିତରେ ଆସାମରେ ପୋଡ଼ାଜଳା ଦେଖାଦେଇଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମ୍ବାଦିକମାନଙ୍କୁ ଶାହରୁଖ ଖାନ କିଏ ବୋଲି ପ୍ରଶ୍ନ କରିବାରୁ ଏହାର ଉତ୍ତର ଆସିଥିଲା ଯେ ସେ ବଲିଉଡର ସୁପରଷ୍ଟାର। ଏହାର ଜବାବରେ ବିଶ୍ୱଶର୍ମା କହିଛନ୍ତି, “ରାଜ୍ୟର ଲୋକମାନେ ଆସାମିଜ ପ୍ରତି ଗୁରୁତ୍ୱ ଦିଅନ୍ତୁ। ହିନ୍ଦୀ ଫିଲ୍ମକୁ ନୁହେଁ। ଆସାମିଜ ଫିଲ୍ମ ଡା.ବେଜବାରୁଆ-ପାର୍ଟ ୨ ଖୁବଶୀଘ୍ର ରିଲିଜ ହେବ। ଏହାକୁ ଲୋକମାନେ ଦେଖନ୍ତୁ।”

ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ପଠାନ ଫିଲ୍ମ ଜାନୁଆରୀ ୨୫ରେ ରିଲିଜ ହେବାର ଅଛି।

Bollywood Assam