/odisha-reporter/media/post_attachments/uploadimage/library/16_9/16_9_0/Terror_1745404035.jpg)
Terror
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ପୂରା ଦେଶକୁ ଦୋହଲାଇ ଦେଇଛି। ଉପତ୍ୟକାର ଅନନ୍ତନାଗର ପହଲଗାମ ସ୍ଥିତ ବୈସରାନ ଘାଷ ଗାଲିଚାରେ ଆତଙ୍କବାଦୀମାନେ ଗୁଳି ବର୍ଷା କରିବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୦ ଜଣ ଆହତ ହୋଇଛନ୍ତି। ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ସହଯୋଗୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ ଘଟଣା ପାଇଁ ନିଜକୁ ଦାୟୀ କରିଛି। ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ଲସ୍କର କମାଣ୍ଡର ସୈଫୁଲ୍ଲା କସୁରୀ। ସେହିପରି ଟିଆରଏଫ ପକ୍ଷରୁ ପହଲଗାମରେ ହୋଇଥିବା ନରସଂହାରର ନେତୃତ୍ୱ ଆସିଫ ଫୌଜି ନେଇଥିଲା।
ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ୨୦୧୯ ଅଗଷ୍ଟ ୫ରେ ହଟାଇ ଦିଆଯାଇଥିଲା। ଏଥିସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଲଦାଖକୁ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ମାନ୍ୟତା ମିଳିଥିଲା। ଏହାର ପ୍ରାୟ ୬ ବର୍ଷ ପରେ ନିକଟରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା। କିନ୍ତୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଟିଆରଏଫ ଗଠନ ହୋଇଥିଲା।
ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ବୃଦ୍ଧି କରିବା ପାଇଁ ଟିଆରଏଫକୁ ପାକିସ୍ତାନରେ ସକ୍ରିୟ ଲସ୍କର ସବୁ ପ୍ରକାରର ସହାୟତା କରି ଆସୁଛି। ଏବେ ଟିଆରଏଫ ଉପତ୍ୟକାରେ ସବୁଠାରୁ ବଡ଼ ଆକ୍ରମଣ କରିଛି। ଏହାପୂର୍ବରୁ ୨୦୧୯ ଫେବୃଆରୀ ୧୪ରେ କଶ୍ମୀରର ପୁଲୱାମାରେ ଜୈଶ ପକ୍ଷରୁ ଭୟଙ୍କର ଆକ୍ରମଣ କରାଯାଇଥିଲା। ଏଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲା। ଏହାର ବଦଲା ନେବାକୁ ଭାରତୀୟ ସେନା ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା। ଏବେ ଏପ୍ରିଲ ୨୨ରେ ୪ରୁ ୫ ଜଣ ଆତଙ୍କବାଦୀ ପହଲଗାମରେ ନରସଂହାର କରିଛନ୍ତି। ଏମାନଙ୍କ ମଧ୍ୟରେ କିଛି ପାକିସ୍ତାନୀ ଆତଙ୍କବାଦୀ ରହିଥିବା ଜଣାପଡ଼ିଛି।
୧- ସୈଫୁଲ୍ଲା କସୁରୀ କିଏ?
ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର ବରିଷ୍ଠ କମାଣ୍ଡର ହେଉଛି ସୈଫୁଲ୍ଲା କସୁରୀ ଓରଫ ଖାଲିଦ। ପହଲଗାମ ଆକ୍ରମଣର ବ୍ଲୁପ୍ରିଣ୍ଟ ସୈଫୁଲ୍ଲା ପ୍ରସ୍ତୁତ କରିଥିଲା। ଲସ୍କରର ପ୍ରତିଷ୍ଠାତା ହାଫିଜ ସୟିଦର ଘନିଷ୍ଠ ସହଯୋଗର ଭାବେ ମଧ୍ୟ ସେ ପରିଚିତ। ସେ ବେଶ ସତର୍କତାର ସହ ଆକ୍ରମଣ ପାଇଁ ଯୋଜନା କରିଥିଲା। ଏଥିପାଇଁ କିଛି ଦିନ ତଳେ ପାକିସ୍ତାନରୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ପହଲଗାମର ଜଙ୍ଗଲିଆ ଅଞ୍ଚଳରେ ରହିଥିଲେ। ସେମାନେ ଭଲ ଭାବେ ପୂରା ଅଞ୍ଚଳକୁ ଯାଞ୍ଚ କରିଥିଲେ। ଏହାପରେ ଆମେରିକା ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଆସିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଯିବା ଦିନ ହିଁ ଆକ୍ରମଣ କରାଯାଇଥିଲା। ସୈଫୁଲ୍ଲା ଜାଣିଶୁଣି ମଙ୍ଗଳବାରକୁ ଆକ୍ରମଣ ପାଇଁ ବାଛି ଥିଲା।
୨- ଲସ୍କରର ପେଶାୱର ମୁଖ୍ୟାଳୟର ମୁଖ୍ୟ ହେଉଛି ସୈଫୁଲ୍ଲା
ସୈଫୁଲ୍ଲା କସୁରୀ ଓରଫ ଖାଲିଦ ପ୍ରଥମେ ମିଲ୍ଲି ମୁସଲିମ ଲିଗ ବା ଏମଏମଏଲ ନାମକ ରାଜନୀତିକ ଦଳର ସଭାପତି ଭାବେ ସାମ୍ନାକୁ ଆସିଥିଲା। ଏମଏମଏଲ ହେଉଛି ହାଫିଜର ଜମାତ ଉଦ ଦାୱା(ଜେୟୁଡି)ର ରାଜନୀତିକ ସଂଗଠନ। ସୈଫୁଲ୍ଲା ୨୦୧୭ ଅଗଷ୍ଟ ୮ରେ ପ୍ରଥମଥର ପାଇଁ ସର୍ବସାଧାରଣକୁ ଆସିବା ସହ ଏମଏମଏଲର ସଭାପତି ଭାବେ ପ୍ରଥମେ ଦଳର ଗଠନ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ କହିଥିଲା।
ସୈଫୁଲ୍ଲା ଲସ୍କରର ପେଶାୱର ମୁଖ୍ୟାଳୟର ମୁଖିଆ ଭାବେ କାମ କରେ। ଜେୟୁଡି ଅଧୀନରେ ସେ କେନ୍ଦ୍ରୀୟ ପଞ୍ଜାବ ପ୍ରଦେଶର ସମନ୍ୱୟ କମିଟିରରେ ମଧ୍ୟ ସେ ରହିଛି। ୨୦୧୬ରେ ଜେୟୁଡିକୁ ଆମେରିକା ପକ୍ଷରୁ ଲସ୍କରର ସହଯୋଗୀ ଭାବେ ଗଣତି କରାଯାଇଥିଲା। ହାଫିଜକୁ ମଧ୍ୟ ଆମେରିକା ଓ ମିଳିତ ଜାତିସଂଘ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିଛି।
୩- ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ କ’ଣ?
ବ୍ୟାନ ହୋଇଥିବା ଲସ୍କରର ସହଯୋଗୀ ସଂଗଠନ ହେଉଛି ଟିଆରଏଫ। ୨୦୧୯ରେ ଧାରା ୩୭୦ରୁ ଉଚ୍ଛେଦ ହେବା କ୍ଷଣି ଏହା ଜମ୍ମୁ-କଶ୍ମୀରରେ ଗଠନ ହୋଇଥିଲା। ଜାଣିଶୁଣି ସଂଗଠନ ନିଜ ନାଁରେ ରେଜିଷ୍ଟାନ୍ସ ବା ପ୍ରତିରୋଧ ଶବ୍ଦର ବ୍ୟବହାର କରିଥିଲା। ଏପରି ନାଁ ରଖି ସଂଗଠନ କଶ୍ମୀର ଯୁବପିଢ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲା। ଟିଆରଏଫ ପକ୍ଷରୁ ଉପତ୍ୟକାରେ ହିଂସା ସୃଷ୍ଟି କରାଯିବା ସହ ସାମ୍ବାଦିକମାନଙ୍କୁ ଧମକ ଦିଆଯାଇଥିଲା। ବାରମ୍ବାର ଏପରି ଘଟଣା ଘଟିବାରୁ ଭାରତ ସରକାର ଟିଆରଏଫକୁ ଗୋଟିଏ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲେ।
ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟିଆରଏଫ ଅନଲାଇନ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦିଏ। ଆତଙ୍କବାଦୀଙ୍କ ଅନୁପ୍ରବେଶ, ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚୋରାଚାଲାଣରେ ମଧ୍ୟ ଟିଆରଏଫ ସହଯୋଗ କରିଥାଏ। ପାକିସ୍ତାନରୁ ସହାୟତା ପାଉଥିବା ଟିଆରଏଫ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ ୨୦୧୯ରୁ ଉଦ୍ୟମ ଜାରି ରଖିଛି।
୨୦୧୯ରେ ଯେତେବେଳେ ଟିଆରଏଫ ପ୍ରତିଷ୍ଠା ହୋଇଥିଲା ସେତେବେଳେ ଶେଖ ସାଜଦ ଗୁଲ ଏହାର ନେତୃତ୍ୱ ନେଉଥିଲା। ସେ ସୁପ୍ରିମ କମାଣ୍ଡର ଭାବେ କାମ କରୁଥିବା ବେଳେ ବାସିତ ଅହମଦ ଦାର ସଂଗଠନର ମୁଖ୍ୟ ଅପରେସନାଲ କମାଣ୍ଡର ରହିଥିଲା। ଟିଆରଏଫ ହେଉଛି ହିଜବୁଲ ମୁଜାହିଦ୍ଦିନ ଓ ଲସ୍କରର ଭଳି ବିଭିନ୍ନ ଆତଙ୍କବାଦୀ ସଂଗଠନର ମିଶ୍ରଣ। ଜମ୍ମୁ-କଶ୍ମୀରର ଗାନ୍ଦେରବଲ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କ ଉପରେ ଟିଆରଏଫ ଆକ୍ରମଣ କରିଛି। ୨୦୨୨ରେ ଉପତ୍ୟକାରେ ପ୍ରାଣ ହରାଇଥିବା ଅଧିକାଂଶ ଆତଙ୍କବାଦୀ ଟିଆରଏଫର ରହିଥିଲେ।
୪- ଟିଆରଏଫର ଆସିଫ ଫୌଜି କିଏ?
ମଙ୍ଗଳବାର ପହଲଗାମରେ ହୋଇଥିବା ନରସଂହାର ପାଇଁ ଟିଆରଏଫ ନିଜକୁ ଦାୟୀ କରିଛି। ବୁଧବାର ଜମ୍ମୁ-କଶ୍ମୀର ପୁଲିସ୍ ଆକ୍ରମଣକାରୀଙ୍କ ମଧ୍ୟରୁ ୩ ଜଣଙ୍କ ସ୍କେଚ ଓ ୪ ଜଣଙ୍କ ଫଟୋ ଜାରି କରିଛି। ଚିହ୍ନଟ ହୋଇଥିବା ୩ ଆତଙ୍କବାଦୀ ହେଲେ ଆସିଫ ଫୌଜି, ସୁଲେମାନ ଶାହ ଓ ଅବୁ ତାଲହା। ଆକ୍ରମଣର ନେତୃତ୍ୱ ଆସିଫ ଫୌଜି ନେଉଥିଲା। କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଆସିଫ ଜଣେ ସ୍ଥାନୀୟ ଆତଙ୍କବାଦୀ। କିନ୍ତୁ ଆଉ କିଛି ରିପୋର୍ଟରେ କୁହାଯାଇଛି ଯେ ସେ ପାକିସ୍ତାନ ସେନାରେ କାମ କରୁଥିଲା। ତେଣୁ ତା’ ନାଁରେ ଫୌଜି ରହିଛି।
ଘଟଣାକୁ ନିଜ ଆଖିରେ ଦେଖିଥିବା ଜଣେ ବ୍ୟକ୍ତି କହିଛନ୍ତି, “ଦୁଇ ଜଣ ଆତଙ୍କବାଦୀ ପାସ୍ତୋ ଭାଷାରେ କଥା ହେଉଥିଲେ। ଏଥିରୁ ସେମାନେ ପାକିସ୍ତାନୀ ବୋଲି ଜଣାପଡ଼ୁଛି। ସେହିପରି ଆଉ ଦୁଇ ଜଣ ହେଉଛନ୍ତି ସ୍ଥାନୀୟ ଆତଙ୍କବାଦୀ। ଦୁଇ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଓ ଆସିଫଙ୍କ ଘର ଯଥାକ୍ରମେ ବିଜବହେରା ଓ ତ୍ରାଲରେ।” ଆକ୍ରମଣକାରୀଙ୍କ ଡିଜିଟାଲ ଫୁଟପ୍ରିଣ୍ଟକୁ ଟ୍ରାକ କରିବା ବେଳେ ଏହାର ଲିଙ୍କ ମୁଜାଫରବାଦ ଓ କରାଚିରେ ରହିଥିବା ଜଣାପଡ଼ିଛି। ତେଣୁ ଆକ୍ରମଣ ପଛରେ ସୀମା ପାର ଆକ୍କାମାନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି।
୫- ହମଲା ପୂର୍ବରୁ ଅସୀମ ମୁନିର ଓ ଅବୁ ମୁସାର ବୟାନ
ପହଲଗାମ ନରସଂହାର ପୂର୍ବରୁ ପାକିସ୍ତାନରେ ଅନୁଷ୍ଠିତ ଦୁଇଟି କାର୍ଯ୍ୟକ୍ରମରେ ଦିଆଯାଇଥିବା ଭାଷଣ ଲିଙ୍କ ଏବେ ସାମ୍ନାକୁ ଆସିଛି। ଏହି ଭାଷଣକୁ ଶୁଣିଲେ ଲାଗିବ ଯେ ପାକିସ୍ତାନର ଲିଙ୍କ ପହଲଗାମ ଆକ୍ରମଣ ସହ ରହିଛି। ଏହି ଦୁଇଟି ଭାଷଣ ମଧ୍ୟରୁ ଗୋଟିଏ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଦେଇଥିଲେ। ଏପ୍ରିଲ ୧୬ରେ ସେ ଦୁଇ ଦେଶ ଥିଓରୀ ଉପରେ ଫୋକସ କରିଥିଲେ ଓ ହିନ୍ଦୁ-ମୁସଲିମ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ। ଭାରତୀୟ ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି ଯେ ମୁନିରଙ୍କ ହିନ୍ଦୁ ବିରୋଧୀ ବୟାନ ଜାଣିଶୁଣି ଦିଆଯାଇଥିଲା ଓ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନକୁ ଏକାଠି ହେବାକୁ ସେ ସଙ୍କେତ ଦେଇଥିଲେ।
ଏପ୍ରିଲ ୧୮ରେ ଲସ୍କର କମାଣ୍ଡର ଅବୁ ମୁସା ଗୋଟିଏ ରାଲିରେ ଜିହାଦ ଓ କଶ୍ମୀରରେ ରକ୍ତ ରଞ୍ଜିତ କଥା ଉଠାଇଥିଲା। ପିଓକେର ରାୱଲକୋଟରେ ହୋଇଥିବା ଏହି ରାଲିରେ ଅନେକ ଆତଙ୍କୀ ଆକ୍କା ଯୋଗ ଦେଇଥିଲେ। ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ଲସ୍କରର ଦୁଇ ସଦସ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏପରି ରାଲି କରାଯାଇଥିଲା। ଧାରା ୩୭୦ ଉଚ୍ଛେଦର ବଦଲା ନେବାକୁ ମୁସା କଶ୍ମୀରରେ ଆକ୍ରମଣ ପାଇଁ ଆହ୍ୱାନ ଦେବାର ଭିଡିଓ ବି ଭାଇରାଲ ହୋଇଛି। ମୁସାର ଭାରତ ବିରୋଧୀ କାର୍ଯ୍ୟକ୍ରମକୁ ପାକିସ୍ତାନ ପୂରା ସହାୟତା କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
