Advertisment

ଟ୍ରମ୍ପଙ୍କ ଘୋଷଣାକୁ ୩ ସପ୍ତାହ ପୂରିଲା: ୨୬/୧୧ ହମଲାର ଅଭିଯୁକ୍ତକୁ ଭାରତ ପଠାଇବ ତ ଆମେରିକା?

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମୁମ୍ବାଇ ଆତଙ୍କୀ ହମଲାର ଅଭିଯୁକ୍ତ ତହବୁର ରାଣା ତତ୍କାଳ ପ୍ରତ୍ୟର୍ପଣ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ଦାବି କରିଛି। ସେ ତା’ର ଆବେଦନରେ କହିଛି ଯେ ଭାରତରେ ତା’କୁ ଭୟଙ୍କର ନିର୍ଯାତନା ଦିଆଯିବାର ଆଶଙ୍କା ରହିଛି। ସେ ପାକିସ୍ତାନୀ ମୁସଲିମ ହୋଇଥିବାରୁ ନିର୍ଯାତନା ଦିଆଯିବାର ଆଶଙ୍କା ଅଧିକ।

author-image
Hemant Lenka
Rana

Rana

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯାଇଥିବା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଥିଲେ। ଟ୍ରମ୍ପ କହିଥିଲେ ଯେ ତାଙ୍କ ପ୍ରଶାସନ ମୁମ୍ବାଇ ୨୬/୧୧ ହମଲାର ଅଭିଯୁକ୍ତ ତଥା ପାକିସ୍ତାନ ନାଗରିକ ତହବୁର ରାଣାକୁ ଭାରତ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେଇ ସାରିଛି। ଏହି ଘୋଷଣାକୁ ୩ ସପ୍ତାହ ବିତି ଯାଇଥିଲେ ହେଁ ରାଣା କେବେ ଭାରତ ଆସିବ, ତା’ର ସୂଚନା କାହା ପାଖରେ ନାହିଁ। ଏସବୁ ଭିତରେ ରାଣା ପ୍ରତ୍ୟର୍ପଣରୁ ବର୍ତ୍ତିବା ପାଇଁ ଶେଷ ବିକଳ୍ପର ବ୍ୟବହାର କରିଛି। ପ୍ରତ୍ୟର୍ପଣ ଉପରେ ରୋକ ଲଗାଇବା ପାଇଁ ସେ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Advertisment

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମୁମ୍ବାଇ ଆତଙ୍କୀ ହମଲାର ଅଭିଯୁକ୍ତ ତହବୁର ରାଣା ତତ୍କାଳ ପ୍ରତ୍ୟର୍ପଣ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ଦାବି କରିଛି। ସେ ତା’ର ଆବେଦନରେ କହିଛି ଯେ ଭାରତରେ ତା’କୁ ଭୟଙ୍କର ନିର୍ଯାତନା ଦିଆଯିବାର ଆଶଙ୍କା ରହିଛି। ସେ ପାକିସ୍ତାନୀ ମୁସଲିମ ହୋଇଥିବାରୁ ନିର୍ଯାତନା ଦିଆଯିବାର ଆଶଙ୍କା ଅଧିକ।

ଲସ ଆଞ୍ଜେଲସ ଜେଲରେ ଥିବା ୬୩ ବର୍ଷୀୟ ରାଣା କହିଛି ଯେ ସେ ଏବେ ଏକାଧିକ ରୋଗରେ ପୀଡ଼ିତ। ତା’ର ହୃଦରୋଗ ଥିବା ବେଳେ ପାର୍କିସନ ସମସ୍ୟା ରହିଛି। ସେ ବ୍ଲାଡର କର୍କଟରେ ମଧ୍ୟ ଆକ୍ରାନ୍ତ ହୋଇପାରେ। ସେ ସମ୍ଭବତଃ ଭାରତରେ ଶୁଣାଣିରେ ସମ୍ମୁଖୀନ ହେବାକୁ ଜୀବିତ ରହି ପାରିବ ନାହିଁ। ଭାରତରେ ରାଣାକୁ ତା’ର ନାଗରିକତା, ଧର୍ମ ଆଧାରରେ ଟାର୍ଗେଟ କରାଯାଇ ପାରେ ବୋଲି ଆବେଦନର ଦର୍ଶାଯାଇଛି।

Advertisment

ଆମେରିକାର ସୁପ୍ରିମକୋର୍ଟ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। କିନ୍ତୁ କେବେ ଏହାର ଶୁଣାଣି ହେବ, ସେକଥା କହି ନାହାନ୍ତି। ଯେହେତୁ ରାଣା ଆବେଦନ କରିଛି, ତେଣୁ ତା’ର ପ୍ରତ୍ୟର୍ପଣ ବିଳମ୍ବ ହେବ। ଏପରି ସ୍ଥିତିରେ ରାଣାକୁ କାଉଣ୍ଟର କରିବା ପାଇଁ ଟ୍ରମ୍ପ ସରକାର କ’ଣ ଯୁକ୍ତି ଉପସ୍ଥାପନ କରୁଛି, ତା’ ଉପରେ ମଧ୍ୟ ନଜର ରହିବ।

ଜାନୁଆରୀ ୨୧ରେ ରାଣା ପକ୍ଷରୁ ପ୍ରତ୍ୟର୍ପଣ ବିରୋଧରେ କରାଯାଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହପରେ ମୋଦିଙ୍କ ଆମେରିକା ଗସ୍ତ ବେଳେ ଟ୍ରମ୍ପ ସର୍ବସମ୍ମୁଖରେ ରାଣାକୁ ପ୍ରତ୍ୟର୍ପଣ କରାଯିବ ବୋଲି କହିଥିଲେ।

ଭାରତ ସରକାଙ୍କ କହିବା କଥା ଯେ ପ୍ରତ୍ୟର୍ପଣ ପାଇଁ ଆବଶ୍ୟକ ଦସ୍ତାବିଜ ଆମେରିକୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ସେଠାରୁ ଅନୁମତି ମିଳିବା ପରେ ଏନଆଇଏ ଟିମ ରାଣାକୁ ଆଣିବା ପାଇଁ ଆମେରିକା ଯିବ। ମୁମ୍ବାଇ ଟେରର ଆଟାକ ଘଟଣାରେ ଏନଆଇଏ ୨୦୧୧ରେ ୯ ଜଣଙ୍କ ନାଁରେ ଚାର୍ଜଶିଟ ଦାଖଲ କରିଥିଲା। ଏହି ୯ ଜଣଙ୍କ ମଧ୍ୟରେ ରାଣାର ନାଁ ବି ରହିଛି। ସେ ଭାରତର ମୋଷ୍ଟ ୱାଣ୍ଟେଡ। ମୁମ୍ବାଇ ଟେରର ଆଟାକର ଅନ୍ୟତମ ମାଷ୍ଟର ମାଇଣ୍ଡ ହେଉଛି ରାଣା। ଲସ୍କର ଆତଙ୍କୀ ଡାଭିଡ ହେଡଲୀର ସହଯୋଗୀ ଭାବେ ରାଣା କାର୍ଯ୍ୟ କରୁଥିଲା।

ତହବୁର ରାଣାର ପ୍ରତ୍ୟର୍ପଣ ଘଟଣାକ୍ରମ(୨୦୨୫)

୧- ଜାନୁଆରୀ ୧- ଆମେରିକାର ୯ମ ସର୍କିଟ କୋର୍ଟ ପ୍ରତ୍ୟର୍ପଣ ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ରାଣା କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ସେହିଦିନ ଆମେରିକାର ନୂଆ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କ ଭାରତ ପ୍ରତିପକ୍ଷ ଜୟଶଙ୍କରଙ୍କୁ ଭେଟିଥିଲେ।

୨- ଫେବୃଆରୀ ୧୧- ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ଦିନକୁ ପୂର୍ବରୁ ରୁବିଓ ବିଧିବଦ୍ଧ ଭାବେ ରାଣାର ପ୍ରତ୍ୟର୍ପଣ ସମ୍ପର୍କରେ ଘୋଷଣା କରିଥିଲେ।

୩- ଫେବୃଆରୀ ୧୨- ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବୈଠକ କରିବାକୁ ୱାଶିଂଟନ ଡିସିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି।

୪- ଫେବୃଆରୀ ୧୨- ରାଣାର ପ୍ରତ୍ୟର୍ପଣ ସମ୍ପର୍କରେ ଆମେରିକାର ବିଦେଶ ମନ୍ତ୍ରଣାଳୟର ଅତିରିକ୍ତ ଆଇନ ପରାମର୍ଶଦାତା ଓଲିଭର ଲ୍ୟୁସ୍‌ ନୋଟିସ କରିଥିଲେ। ଏହା ରାଣାର ଲିଗାଲ ଟିମ ପାଖକୁ ପଠାଯାଇଥିଲା।

୫- ଫେବୃଆରୀ ୧୩- ରୁବିଓ କେଉଁ ଆଧାରରେ ପ୍ରତ୍ୟର୍ପଣ ନିଷ୍ପତ୍ତି ନେଇଛନ୍ତି, ତା’କୁ ଜାଣିବା ପାଇଁ ରାଣାର ଲିଗାଲ ଟିମ ପୂରା ପ୍ରଶାସନିକ ରେକର୍ଡ ମନ୍ତ୍ରଣାଳୟକୁ ମାଗିଥିଲା। ରାଣାର ମେଡିକାଲ ଚିକିତ୍ସା ପାଇଁ ଭାରତ କୌଣସି ଗ୍ୟାରେଣ୍ଟୀ ଦେଇଛି କି ନାହିଁ, ସେକଥା ଜାଣିବାକୁ ଚାହିଁଥିଲା। କିନ୍ତୁ ଆମେରିକା ସରକାର ତଥ୍ୟ ଦେବାକୁ ମନା କରି ଦେଇଥିଲେ।

୬- ଫେବୃଆରୀ ୧୩- ପ୍ରତ୍ୟର୍ପଣ ଉପରେ ଜରୁରୀ ରୋକ ଲଗାଇବା ପାଇଁ ରାଣା ଦ୍ୱିତୀୟ ଆବେଦନ କରିଥିଲା। ସେହିଦିନ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ। ଦୁଇ ନେତା ଜାରି କରିଥିବା ମିଳିତ ବିବୃତିରେ ରାଣାର ପ୍ରତ୍ୟର୍ପଣକୁ ନିଶ୍ଚିତ କରାଯାଇଥିଲା।

୭- ଫେବୃଆରୀ ୧୯: ଜିଲ୍ଲା କୋର୍ଟ ରାଣାର ପ୍ରତ୍ୟର୍ପଣ ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କରିଥିଲେ।

୮- ଫେବୃଆରୀ ୧୯- ରାଣା ୯ମ ସର୍କିଟ କୋର୍ଟରେ ଆବେଦନ ଦାଖଲ କରି ତୁରନ୍ତ ପ୍ରତ୍ୟର୍ପଣ ଉପରେ ରୋକ ଲଗାଇବାକୁ କହିଥିଲା।

୯- ଫେବୃଆରୀ ୨୧- ରାଣାର ଆବେଦନକୁ ୯ମ ସର୍କିଟ କୋର୍ଟ ଖାରଜ କରିବାରୁ ପ୍ରତ୍ୟର୍ପଣ ରାସ୍ତା ଆହୁରି ସ୍ପଷ୍ଟ ହୋଇଥିଲା।

୧୦- ଫେବୃଆରୀ ୨୮- ଯଦି ରାଣା ସୁପ୍ରିମକୋର୍ଟରେ ଆବେଦନ କରିବ, ତା’ହେଲେ ତା’ର ପ୍ରତ୍ୟର୍ପଣ ତାରିଖକୁ ଘୁଞ୍ଚାଇବାକୁ ଆମେରିକା ସରକାର ରାଜି ବୋଲି କହିଥିଲେ।

୧୧- ଫେବୃଆରୀ ୨୮- ରାଣା ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରତ୍ୟର୍ପଣ ଉପରେ ଗୋଟିଏ ଜରୁରୀ ରୋକ ଲଗାଇବାକୁ ଆବେଦନ କରିଥିଲା।

୧୨- ମାର୍ଚ୍ଚ ୨- ନିଜର ଏମର୍ଜେନ୍ସି ଆପ୍ଲିକେସନ ଉପରେ ଆଉ ଗୋଟିଏ ସପ୍ଲିମେଣ୍ଟ ଆବେଦନ ଦାଖଲ କରି ବନ୍ଧୁକ ବେପାରୀ ସଞ୍ଜୟ ବଣ୍ଡାରୀର ଉଦାହରଣ ଦେଇଛି ରାଣା। ନିର୍ଯାତନା ଆଶଙ୍କାରେ ଭଣ୍ଡାରୀର ପ୍ରତ୍ୟର୍ପଣ ଉପରେ ରୋକ ଲାଗିଥିଲା। ତେଣୁ ତା’ ପତ୍ୟର୍ପଣ ଉପରେ ରୋକ ଲଗାଇବାକୁ ସେ କହିଛି।

୧୩- ମାର୍ଚ୍ଚ ୫- ଆମେରିକା ସୁପ୍ରିମକୋର୍ଟ ରାଣାର ଏମର୍ଜେନ୍ସି ଆପ୍ଲିକେସନକୁ ରେକର୍ଡକୁ ନେଇଛନ୍ତି। ଏହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇନି।

Pakistan USA India 26/11 Mumbai Attack Tahawwur Rana