Advertisment

୫୩ ବର୍ଷୀୟ ଦୁଷ୍କର୍ମକାରୀକୁ କାହିଁକି ନାବାଳକ ଭାବେ ଦିଆଯିବ ଦଣ୍ଡ ?

ଦୀର୍ଘ ୩୭ ବର୍ଷ ତଳେ ଜଣେ ୧୧ ବର୍ଷୀୟ ଝିଅ ରାଜସ୍ଥାନର ଆଜମେରରେ ଦୁଷ୍କର୍ମର ଶିକାର ହୋଇଥିଲା। ଏବେ ନାବାଳିକା ଝିଅର ଦୁଷ୍କର୍ମକାରୀକୁ ୫୩ ବର୍ଷ ହୋଇ ସାରିଛି। କିନ୍ତୁ ଏବେ ତାକୁ ସୁପ୍ରିମକୋର୍ଟ ନାବାଳକ ଘୋଷଣା କରିଛନ୍ତି।

author-image
Hemant Lenka
SC

SC

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ୫୩ ବର୍ଷୀୟ ବ୍ୟକ୍ତିକୁ ନାବାଳକ ଭାବେ ଦଣ୍ଡ ବିଧାନ କରାଯିବ। ଏଥିପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିକୁ ରାଜସ୍ଥାନର ଆଜମେର ସ୍ଥିତ ଗୋଟିଏ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୩ରେ ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେବା ପରେ ହଇଚଇ ସୃଷ୍ଟି ହୋଇଛି। ୫୩ ବର୍ଷୀୟ ଦୋଷୀକୁ କାହିଁକି ସୁପ୍ରିମକୋର୍ଟ ନାବାଳକ ଭାବେ ବିବେଚନା କରି ଦଣ୍ଡ ବିଧାନ କରିବାକୁ କହିଲେ, ତା’କୁ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

Advertisment

ପୂରା ଘଟଣା ଏମିତି କିଛି ଥିଲା। ଦୀର୍ଘ ୩୭ ବର୍ଷ ତଳେ ଜଣେ ୧୧ ବର୍ଷୀୟ ଝିଅ ରାଜସ୍ଥାନର ଆଜମେରରେ ଦୁଷ୍କର୍ମର ଶିକାର ହୋଇଥିଲା। ଏବେ ନାବାଳିକା ଝିଅର ଦୁଷ୍କର୍ମକାରୀକୁ ୫୩ ବର୍ଷ ହୋଇ ସାରିଛି। କିନ୍ତୁ ଏବେ ତାକୁ ସୁପ୍ରିମକୋର୍ଟ ନାବାଳକ ଘୋଷଣା କରିଛନ୍ତି।

ପୂର୍ବରୁ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏହାକୁ କୋର୍ଟ କାଏମ ରଖିଛନ୍ତି। କିନ୍ତୁ ଦଣ୍ଡବିଧାନ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ ହେବ ବୋଲି କହି ଦୋଷୀକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର ହେବାକୁ କହିଛନ୍ତି।

Advertisment

ଦୁଷ୍କର୍ମ ମାମଲା ୧୯୮୮ ମସିହା ନଭେମ୍ବର ମାସରେ ଘଟିଥିଲା। ଝିଅଟି ତା’ ସ୍କୁଲରେ ପାଣି ଭର୍ତ୍ତି କରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସିଙ୍କ ଖଣ୍ଡପୀଠ ଦୋଷୀର ସ୍କୁଲ ରେକର୍ଡ ଯାଞ୍ଚ କରିଥିଲେ। ସେ ୧୯୭୨ ମସିହାରେ ଜନ୍ମ ହୋଇଥିବା ଏଥିରେ ଉଲ୍ଲେଖ ରହିଥିଲା। ଏହାର ଅର୍ଥ ଦୁଷ୍କର୍ମ କରିବା ସମୟରେ ତା’ର ବୟସ ୧୬ ବର୍ଷ ୨ ମାସ ହୋଇଥିଲା।

କୋର୍ଟ ପୂର୍ବରୁ ଦୋଷୀକୁ ମିଳିଥିବା ୫ ବର୍ଷର ଜେଲଦଣ୍ଡକୁ ରଦ୍ଦ କରି ଦେଇଛନ୍ତି। ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୦୦ ମସିହା ଅନୁସାରେ ଦୋଷୀକୁ ଦଣ୍ଡବିଧାନ କରାଯିବ। ଏହି ଆଇନରେ ଦୋଷୀକୁ ସର୍ବାଧିକ ୩ ବର୍ଷ ଯାଏ ବାଳ ସୁଧାର ଗୃହକୁ ପଠାଇବାର ପ୍ରାବଧାନ ରହିଥିବା କୋର୍ଟ କହିଛନ୍ତି।

ଦୋଷୀକୁ ଏବେ ୫୩ ବର୍ଷ ବୟସ ହୋଇ ସାରିଥିବାରୁ ବୋର୍ଡ ପକ୍ଷରୁ ତା’କୁ ସାମାଜିକ ସେବା କରିବାକୁ ନିର୍ଦ୍ଦେଶ ମିଳିପାରେ। ସେହିପରି ମାମଲାରେ ଶୁଣାଣି ବେଳେ ସେ ଗୋଟିଏ ବର୍ଷ ଜେଲରେ ମଧ୍ୟ କାଟିଥିଲା। ତେଣୁ ବୋର୍ଡ ତା’ ପ୍ରତି କୋହଳ ମନୋଭାବ ଦେଖାଇ ପାରନ୍ତି ବୋଲି ଆଇନ ବିଶାରଦମାନେ କହିଛନ୍ତି।

ଟ୍ରାଏଲ କୋର୍ଟ କିମ୍ବା ହାଇକୋର୍ଟରେ ଶୁଣାଣି ବେଳେ ଦୋଷୀ ଜଣକ ନାବାଳକ ବୋଲି ପ୍ରସଙ୍ଗ ଉଠି ନଥିଲା। ୨୦୨୫ରେ ସୁପ୍ରିମକୋର୍ଟରେ ପ୍ରଥମଥର ପାଇଁ ଏହି ପ୍ରସଙ୍ଗ ଉଠିଥିଲା। ସୁପ୍ରିମକୋର୍ଟରେ ୨୦୨୫ ଜାନୁଆରୀରେ ରାଜସ୍ଥାନ ସରକାରଙ୍କୁ ଦୋଷୀର ବୟସ ଯାଞ୍ଚ କରିବାକୁ କହିଥିଲେ। ଆଜମେରରେ ଥିବା ଅତରିକ୍ତ ସେସନ୍ସ ଜଜ ଯାଞ୍ଚ କରି ସ୍କୁଲ ରେକର୍ଡରେ ଦୋଷୀର ଜନ୍ମ ତାରିଖ ୧୯୭୨ ଥିବା ଜାଣିବାକୁ ପାଇଥିଲେ।

ଏହାକୁ ଆଧାର କରି ସୁପ୍ରିମକୋର୍ଟ ଦୋଷୀକୁ ନାବାଳକ ଭାବେ ବିବେଚନା କରି ଦଣ୍ଡ ଦେବାକୁ କହିଛନ୍ତି। ମାମଲା ଶୁଣାଣିର ଯେକୌଣସି ସମୟରେ ବା ଶୁଣାଣି ଶେଷ ହେବା ପରେ ମଧ୍ୟ ନାବାଳିକା/ନାବଳକ ପ୍ରସଙ୍ଗ ଉଠିପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Rajasthan Supreme Court Stop Rape