Advertisment

ପୂର୍ବତନ ମନ୍ତ୍ରୀ ପୁଅଙ୍କ ‘ସିକ୍ରେଟ ବ୍ୟାଙ୍କକ’ ଟ୍ରିପ୍‌ କାହିଁକି ମଝି ଆକାଶରେ ଅଟକି ଗଲା?

ଅପହରଣ ଅଭିଯୋଗ ପରେ ପୁଣେ ପୁଲିସ୍‌ ଜୋରଦାର ସର୍ଚ୍ଚ ଅପରେସନ କରିଥିଲା। ଏକାଧିକ ଚିକିତ କରିବା ଭଳି ଟ୍ୱିଷ୍ଟ ପରେ ଯେଉଁଠୁ ସବୁ କିଛି ଆରମ୍ଭ ହୋଇଥିଲା, ସେଇଠି ଶେଷ ହୋଇଛି।

Pilot

Pilot

Advertisment

ସବୁ କିଛି ଠିକ ଠାକ ଚାଲିଥିଲା। ଚାର୍ଟାର୍ଡ ଫ୍ଲାଇଟ ବ୍ୟାଙ୍କକ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ବିମାନ ମଝି ଆକାଶରେ ଥିବା ବେଳେ ପାଇଲଟଙ୍କୁ ମିଳିଥିଲା ଅପ୍ରତ୍ୟାଶିତ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ସବୁ କିଛି ବଦଳାଇ ଦେଇଥିଲା। ବ୍ୟାଙ୍କକ ଅଭିମୁଖେ ଯାଉଥିବା ବିମାନକୁ ପୁଣେକୁ ଆସିବାକୁ ପଡ଼ିଥିଲା। 

Advertisment

ମଝି ଆକାଶରୁ ୟୁଟର୍ଣ୍ଣ ନେଇଥିବା ବିମାନରେ ବସିଥିଲେ ଋଷିରାଜ ସାୱନ୍ତ। ଋଷିରାଜ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା(ଏକନାଥ ସିନ୍ଦେ)ର ବିଧାନ ପରିଷଦ ସଦସ୍ୟ ବା ଏମଏଲସି ତାନାଜୀ ସାୱନ୍ତଙ୍କ ପୁଅ। ସୋମବାର ହଠାତ୍‌ ଋଷିରାଜ ତାଙ୍କର ଦୁଇ ଜଣ ସାଙ୍ଗ ସହ କେଉଁ ଆଡ଼େ ଚାଲି ଯାଇଥିଲେ।

ଏହି ଖବର ସାୱନ୍ତ ପରିବାରରେ ଆତଙ୍କ ଖେଳାଇ ଦେଇଥିଲା। ଅପହରଣ ଅଭିଯୋଗ ପରେ ପୁଣେ ପୁଲିସ୍‌ ଜୋରଦାର ସର୍ଚ୍ଚ ଅପରେସନ କରିଥିଲା। ଏକାଧିକ ଚିକିତ କରିବା ଭଳି ଟ୍ୱିଷ୍ଟ ପରେ ଯେଉଁଠୁ ସବୁ କିଛି ଆରମ୍ଭ ହୋଇଥିଲା, ସେଇଠି ଶେଷ ହୋଇଛି।

Advertisment

କ’ଣ ସବୁ ଘଟିଥିଲା? ମଝି ଆକାଶରେ ହାଇଡ୍ରାମା କେମିତି ଥିଲା?

ଋଷିରାଜ ହଠାତ୍‌ ‘ନିଖୋଜ’

ଡ୍ରାମା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ୩୨ ବର୍ଷୀୟ ଋଷିରାଜ ସାୱନ୍ତ ନିଜର ଦୁଇ ଜଣ ସାଙ୍ଗ ସହ ଚାର୍ଟାର୍ଡ ବିମାନରେ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିଥିଲେ। ସେ ଦୁଇ ବନ୍ଧୁଙ୍କ ସହ ବ୍ୟାଙ୍କକ ବାହାରିଥିଲେ ହେଁ ଏକଥା ପରିବାର ଲୋକଙ୍କୁ ଜଣାଇ ନଥିଲେ। ପରିବାର ଲୋକ ପୁଅକୁ ନ ପାଇ ପୂରା ବ୍ୟସ୍ତ ହୋଇଯାଇଥିଲେ। ପୁଅର ଚିନ୍ତା ପରିବାର ଲୋକଙ୍କୁ ଘାରିଥିଲା। ପରିବାର ଲୋକ ପୁଅକୁ ଖୋଜୁ ଥିବା ବେଳେ ହଠାତ୍‌ ପୁଣେ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କୁ କିଛି ଅଜଣା ଲୋକ ଅପହରଣ କରି ନେଇଥିବା ପୁଲିସକୁ କଲର ଜଣଙ୍କ କହିଥିଲା।

ସାୱନ୍ତ ପରିବାର ମାଲିକାନରେ ଥିବା ଜେଏସପିଏ ଟ୍ରଫର ଜେଏସ୍‌ପିଏ ନରହେ ଟେକ୍ନିକାଲ କ୍ୟାମ୍ପସର ଜଣେ କର୍ମଚାରୀ ଦାବି କରିଥିଲେ ଯେ ଋଷିରାଜଙ୍କୁ ୨ ଜଣ ଗୋଟିଏ କାରରେ ବଳପୂର୍ବକ ଅପହରଣ କରି ନେଇଛନ୍ତି। ଉକ୍ତ ଟେକ୍ନିକାଲ କ୍ୟାମ୍ପସର ନିର୍ଦ୍ଦେଶକ ହେଉଛନ୍ତି ଋଷିରାଜ। ଏପରି ଅଭିଯୋଗ ପାଇବା ପରେ ପୁଣେ ପୁଲିସ୍‌ ଅପହରଣ ନେଇ ଗୋଟିଏ ଏଫଆଇଆର କରିଥିଲା। ତୁରନ୍ତ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ ତାନାଜୀ ସାୱନ୍ତ

ପୁଅର ଅପହରଣ ଖବର ବାପା ତାନାଜୀ ସାୱନ୍ତଙ୍କ ନିଦ ହଜାଇ ଦେଇଥିଲା। ତାନାଜୀ ଓ ତାଙ୍କ ପରିବାର ବରିଷ୍ଠ ଅଧିକାରୀଙ୍କ ପାଖରେ ସହାୟତା ପାଇଁ ପହଞ୍ଚି ଯାଇଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ତୁରନ୍ତ ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ।

ସାୱନ୍ତ କହିଛନ୍ତି, “ଆମ ଘରେ ପୂର୍ବରୁ କେବେ ବି ଏମିତି ହୋଇ ନଥିଲା। ଋଷିରାଜ ଯେଉଁଠି ବି ଗଲେ ମୋତେ କୁହେ। କିନ୍ତୁ ଦୁଇ ବନ୍ଧୁଙ୍କ ସହ କାର ନ ନେଇ ବାହାରକୁ ଯିବା ଓ ଘରୋଇ ଚାର୍ଟାର୍ଡ ବିମାନ ବୁକ କରିବା ଆମର ଚିନ୍ତା ବଢ଼ାଇଥିଲା। ଏଥିପାଇଁ ମୁଁ ପୁଣେ ପୁଲିସ୍‌ କମିଶନର, ଅନ୍ୟ ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କଲ କରିଥିଲି। ପୁଲିସ୍‌ ମଧ୍ୟ ପୁଅକୁ ଫେରାଇ ଆଣିବାକୁ ସବୁ ପ୍ରକାରର ଉଦ୍ୟମ କରୁଛି।”

ତାନାଜୀ ଏବେ ଶିବସେନାର ଏମଏଲସି। ପୂର୍ବରୁ ଏନନାଥ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ କାମ କରିଥିଲେ। ତାଙ୍କ ପୁଅ ଋଷିରାଜ ଓ ଗିରିରାଜ ଜେଏସପିଏ ଟ୍ରଷ୍ଟର ପ୍ରମୁଖ ପଦବୀରେ ରହିଛନ୍ତି ଓ ସେମାନଙ୍କ ମାଲିକାରେ ପରିବାରର ଏକାଧିକ ବ୍ୟବସାୟ ରହିଛି।

ହାଇ-ଫ୍ଲାଇଂ ଇନଭେଷ୍ଟିଗେସନ

ପୁଣେ ପୁଲିସ୍‌ କ୍ରାମଇବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଜାଣିବାକୁ ପାଇଥିଲା ଯେ ଋଷିରାଜ ଓ ତାଙ୍କର ଦୁଇ ଜଣ ସାଙ୍ଗ ଚାର୍ଟାର୍ଡ ଫ୍ଲାଇଟରେ ବ୍ୟାଙ୍କକ ଯାଉଛନ୍ତି। ଦିନକ ତଳେ ସେମାନେ ନୋଏଡା ଭିତ୍ତିକ ଚାର୍ଟାର୍ଡ ଫ୍ଲାଇଟ ଅପରେଟର ନିକଟରେ ୭୮ ଲକ୍ଷ ଟଙ୍କା ବଳରେ ଏହାକୁ ବୁକ କରିଥିଲେ। ଏହି ଖବର ମିଳିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବିମାନ ସହ ଯୋଗଯୋଗ କରାଯାଇଥିଲା। ଏହି ସମୟରେ ବିମାନଟି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଶ୍ରୀ ବିଜୟ ପୂରମ ବା ପୋର୍ଟ ବ୍ଲେୟାର ଉପରେ ରହିଥିଲା। ବିମାନ ପାଇଲଟ ଏହି ସୂଚନା ଦେବା ପରେ ତଦନ୍ତକାରୀ ଅଧିକାରୀ ତୁରନ୍ତ ସେଠାରୁ ଫେରି ଆସିବାକୁ କହିଥିଲେ।

ଏୟାର ଲାଇନ ଅପରେଟରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆମେ ଯେତେବେଳେ ପରିବାର ଲୋକଙ୍କ ଠାରୁ ବିମାନକୁ ମଝି ଆକାଶରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ପାଇଥିଲୁ ସେତେବେଳେ ଆମେ ନିଜକୁ ବିଶ୍ୱାସ କରିପାରି ନଥିଲୁ। ସାଧାରଣତଃ ଆମେ ଏପରି କଲକୁ ବିଶ୍ୱାସ କରି ନଥାଉ। କାରଣ ଅନେକ ସମୟରେ ଏପରି ଗୁଜବ ସାମ୍ନାକୁ ଆସିଥାଏ। କିନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡିଜିସିଏ ସହ ଯୋଗାଯୋଗ କରିବା ପରେ ଆମେ ଜାଣିବାକୁ ପାଇଥିଲୁ ଯେ ପୁଲିସ୍‌ ତଦନ୍ତ କରୁଥିବା ଗୋଟିଏ ଅପହରଣ ମାମଲା ସହ ଏହାର ଲିଙ୍କ ରହିଛି। ତେଣୁ ଆଣ୍ଡାମାନର ମଝି ଆକାଶରୁ ବିମାନକୁ ପୁଣେ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲୁ।”

ଅଧିକାରୀ ଜଣଙ୍କ କହିବା କଥା ଯେ ବିମାନ ମଝି ଆକାଶରୁ ୟୁ-ଟର୍ଣ୍ଣ ନେଇଥିଲେ ହେଁ ଏହା ମଧ୍ୟରେ ଥିବା ଯାତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ନଥିଲା। ସେମାନେ ଏ ଖବର ପାଇବା ପରେ କାଳେ ପାଇଲଟ ଓ କ୍ରୁ ସଦସ୍ୟଙ୍କ ସହ ପାଟିତୁଣ୍ଡ କରିବେ, ସେଥିପାଇଁ ସେମାନଙ୍କୁ ଅନ୍ଧାରରେ ରଖାଯାଇଥିଲା। ସ୍କ୍ରିନରେ ଦେଖାଯାଉଥିବା ମ୍ୟାପ ଓ ନାଭିଗେସନକୁ ବନ୍ଦ କରାଯାଇଥିଲା। ବିମାନ ପୁଣି ପୁଣେ ଫେରୁଥିବା ସେମାନଙ୍କୁ ଜଣା ନଥିଲା। ସେମାନେ ନିଜର ମିଲ୍‌ ପରେ ରିଲାକ୍ସ କରୁଥିବା ବେଳେ ବିମାନ ପୁଣେ ଫେରିଥିଲା।

ବିମାନଟି ପୁଣେ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ଋଷିରାଜ ଓ ତାଙ୍କର ଦୁଇ ବନ୍ଧୁ ପୂରା ଚକିତ ହୋଇଯାଇଥିଲେ। ସେମାନେ ପୂରା ରାଗି ଯାଇ ପାଇଲଟଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। କିନ୍ତୁ କମାଣ୍ଡ ଇନ ପାଇଲଟ ବେଶ ସ୍ୱାଭାବିକ ଢଙ୍ଗରେ ସେ କେବଳ ନିର୍ଦ୍ଦେଶକୁ ଅନୁପାଳନ କରିଥିବା କହିଥିଲେ। ସୋମବାର ରାତି ୮ଟାରୁ ୮.୩୦ ମଧ୍ୟରେ ବିମାନଟି ପୁଣେରେ ଲ୍ୟାଣ୍ଡ କରିଥିଲା।

ଏହାର କିଛି ଘଣ୍ଟା ପୂର୍ବରୁ ହିଁ ଏହି ଏୟାରପୋର୍ଟରୁ ଋଷିରାଜ ତାଙ୍କର ଦୁଇ ସାଙ୍ଗଙ୍କ ସହ ଚାର୍ଟାର୍ଡ ବିମାନରେ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିଥିଲେ। ବିମାନଟି ଲ୍ୟାଣ୍ଡ କରିବା ମାତ୍ରେ ସିଆଇଏସଏଫ କର୍ମଚାରୀମାନେ ଭିତରକୁ ଯାଇଥିଲେ ଓ ସେମାନଙ୍କୁ ବାହାରକୁ ଆଣିଥିଲେ।

ଋଷିରାଜଙ୍କ ସ୍ପଷ୍ଟୀକରଣ

ପୁଣେରେ ପହଞ୍ଚିବା ପରେ ଋଷିରାଜ ପୁଲିସ୍‌କୁ କହିଛନ୍ତି ଯେ ବ୍ୟବସାୟିକ ଟ୍ରିପ ପାଇଁ ବିମାନକୁ ବୁକ କରାଯାଇଥିଲା। ନିକଟରେ ସେ ଦୁବାଇ ଯାଇଥିଲେ। ପୁଣି ବ୍ୟାଙ୍କକ୍‌ ଟ୍ରିପ୍‌ ପାଇଁ କାଳେ ପରିବାର ଲୋକ ଅନୁମତି ନ ଦେବେ, ସେଥିପାଇଁ ସେ ଏହାର ସୂଚନାକୁ ସିକ୍ରେଟ ରଖିଥିଲେ। କିନ୍ତୁ କେଉଁ ପ୍ରକାରର ବ୍ୟବସାୟିକ ଟ୍ରିପରେ ସେ ବ୍ୟାଙ୍କକ ଯାଉଥିଲେ, ସେକଥା କହି ନାହାନ୍ତି।

ପରିବାର ଲୋକଙ୍କ ଉପସ୍ଥିତିରେ ଋଷିରାଜ ପୁଲିସ୍‌କୁ କହିଛନ୍ତି ଯେ ତାଙ୍କ ବ୍ୟାଙ୍କକ ଟ୍ରିପ ଏପରି ଏକ ସ୍ଥିତି ସୃଷ୍ଟି କରିବ ବୋଲି ସେ କେବେ ଆଶା ହିଁ କରି ନଥିଲେ। ଋଷିରାଜଙ୍କ ସହ ଥିବା ତାଙ୍କର ଦୁଇ ଜଣ ବନ୍ଧୁଙ୍କ ବୟାନ ମଧ୍ୟ ପୁଲିସ୍‌ ରେକର୍ଡ କରିଛି। ସମସ୍ତଙ୍କ ବୟାନକୁ ରେକର୍ଡ କରିବା ପରେ ପୁଲିସ୍‌ ନିଶ୍ଚିତ ହୋଇଛି ଯେ ଅପହରଣ ଅଭିଯୋଗରେ ସତ୍ୟତା ନାହିଁ। ତେଣୁ ପୁଲିସ୍‌ ମାମଲାକୁ ବନ୍ଦ କରିବା ପାଇଁ ଖୁବଶୀଘ୍ର ଆବେଦନ ଦାଖଲ କରିବ।

Maharashtra Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe