ଆଇଏଏସ୍ ଓ ଆପିଏସ୍ଙ୍କ ପିଲାଙ୍କୁ ସଂରକ୍ଷଣ ବା କୋଟା ମିଳିବା ଜରୁରୀ କି? ଏଭଳି କିଛି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଜଣେ ପଛୁଆ ବର୍ଗର ବ୍ୟକ୍ତି ସରକାରୀ ଚାକିରିରେ ପର୍ଯ୍ୟାପ୍ତ ସୁବିଧା ପାଇବା ପରେ ତାଙ୍କ ପରପିଢ଼ିକୁ ସଂରକ୍ଷଣ ତାଲିକାରୁ ହଟାଯାଇପାରିବ କି? ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ଏସ୍ସି/ଏସ୍ଟି ସଂରକ୍ଷଣ ସହ ଜଡିତ ଏକ ଆବେଦନର ଶୁଣାଣି କିର ଏଭଳି କିଛି ପ୍ରସ୍ତାବ ଦେଇଛନ୍ତି।
ଶୁଣାଣି ବେଳେ ପଞ୍ଜାବ ଆଡଭୋକେଟ୍ ଜେନେରାଲ୍ ଗୁରୁମିନ୍ଦର ସିଂହ ଏସସି/ଏସଟି ସମ୍ପ୍ରଦାୟ ମଧ୍ୟରେ ଉପ-ବର୍ଗୀକରଣ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ପଞ୍ଜାବର ଏଜି କହିଛନ୍ତି ଯେ ୫୬% ମାର୍କ ରଖିଥିବା ପଛୁଆ ଜାତିର ଆଶାୟୀଙ୍କୁ ପରୀକ୍ଷାରେ ୯୯% ସ୍କୋର କରିଥିବା ଉଚ୍ଚ ଜାତିର ଆଶାୟୀଙ୍କ ଅପେକ୍ଷା ଅଗ୍ରାଧିକାର ଦିଆଯିବା ଉଚିତ। କାରଣ ଉପର ଜାତିର ଲୋକଙ୍କ ପାଖରେ ସମସ୍ତ ସୁବିଧା ଥିବାବେଳେ ପଛୁଆ ଜାତିର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଅନୁସୂଚିତ ଜାତି ଭାବରେ ବର୍ଗୀକୃତ ସମ୍ପ୍ରଦାୟ ସଂରକ୍ଷଣ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକାରୁ ହଟାଯାଇପାରିବ ଯଦି ସେ ସରକାରୀ ଚାକିରିରେ ପର୍ଯ୍ୟାପ୍ତ ସୁବିଧା ହାସଲ କରି ସାମାଜିକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିଥିବେ।
ସଂରକ୍ଷଣ ସମ୍ପର୍କରେ ପଞ୍ଜାବ ସରକାର ସୁପ୍ରିମକୋର୍ଟରେ ଯୁକ୍ତି କରିଛନ୍ତି ଯେ ପଛୁଆ ବର୍ଗର ସବୁଠାରୁ ପଛୁଆ ସମ୍ପ୍ରଦାୟକୁ ଚିହ୍ନଟ କରାଯିବା ଉଚିତ। ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେବାର ବ୍ୟବସ୍ଥା କରାଯିବା କଥା। ଯେଉଁମାନେ ସରକାରୀ ସେବାରେ ଉଚ୍ଚ ପ୍ରତିନିଧିତ୍ୱ ମାଧ୍ୟମରେ ଅଗ୍ରଗତି କରିଛନ୍ତି ଓ ସରକାରୀ ଚାକିରି କରୁଛନ୍ତି, ସେମାନେ ଅନୁସୂଚିତ ଜାତିର ଅନ୍ୟ ପଛୁଆ ବର୍ଗର ଲୋକଙ୍କ ପାଇଁ ପଥ ଉନ୍ମୁକ୍ତ କରିବା ଦରକାର।
ଏହି ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ବି.ଆର ଗବାଇ କହିଛନ୍ତି ଯେ କେତେକ ଜାତି ଏକ ନିର୍ଦ୍ଦିଷ୍ଟ ଉଚ୍ଚ ପଦବୀରେ ପହଞ୍ଚି ସାରିଛନ୍ତି। ସେମାନେ ଆଗୁଆ ତଥା ଉଚ୍ଚଜାତି ସହିତ ସମାନ ଅଟନ୍ତି। ସେମାନଙ୍କୁ ସଂରକ୍ଷଣ ତାଲିକାରୁ ବାଦ୍ ଦିଆଯିବା ଉଚିତ୍।
ଜଷ୍ଟିସ୍ ଗବାଇ ପଚାରିଛନ୍ତି ଯେ 'ଯଦି SC / ST ସମ୍ପ୍ରଦାୟର ଜଣେ ବ୍ୟକ୍ତି IAS-IPS ପରି କେନ୍ଦ୍ରୀୟ ସେବାରେ ଯୋଗ ଦିଅନ୍ତି, ତେବେ ସେ ସର୍ବୋତ୍ତମ ସୁବିଧା ପାଆନ୍ତି। ତଥାପି ତାଙ୍କ ପିଲାମାନେ ଏବଂ ସେମାନଙ୍କର ପିଲାମାନଙ୍କୁ ସଂରକ୍ଷଣର ଲାଭ ମିଳିଥାଏ। ଏହି ଧାରା ଜାରି ରଖିବା ଉଚିତ କି? ଯେଉଁମାନେ ଆଗକୁ ବଢ଼ି ସାରିଛନ୍ତି, ସେମାନେ ଅନ୍ୟମାନଙ୍କୁ ସୁଯୋଗ ଦେବା ଦରକାର।'
ପଞ୍ଜାବରେ ଅନୁସୂଚିତ ଜାତି ବର୍ଗକୁ ନେଇ ୨୦୦୬ରେ ଏକ ନିଷ୍ପତ୍ତି ନିଆଯାଇଥିଲା। ଏହା ଅଧୀନରେ ବାଲ୍ମିକୀ ଏବଂ ମଜହବୀ ଶିଖମାନଙ୍କୁ ମହାଦଳିତର ମାନ୍ୟତା ଦିଆଯାଇଥିଲା ଏବଂ ମୋଟ ୧୫% ସଂରକ୍ଷଣର ଅଧା ସେମାନଙ୍କ ପାଇଁ ସଂରକ୍ଷିତ କରାଯାଇଥିଲା। ଏହିପରି, ଏସସି ସଂରକ୍ଷଣରେ ଦୁଇଟି ସମ୍ପ୍ରଦାୟକୁ ପ୍ରାଥମିକତା ଦିଆଯାଇଥିଲା। କିନ୍ତୁ ଏହାକୁ ୨୦୧୦ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ବର୍ତ୍ତମାନ ପଞ୍ଜାବ ସରକାର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ମଙ୍ଗଳବାର ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ସାତ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ୍ ବିଆର୍ ଗବାଇ, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ବେଲା ଏମ ତ୍ରିବେଦୀ, ଜଷ୍ଟିସ୍ ପଙ୍କଜ ମିତ୍ତଲ, ଜଷ୍ଟିସ ମନୋଜ ମିଶ୍ରା ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ମିଶ୍ରା ଅଛନ୍ତି।