Advertisment

କାହିଁକି ଲସ୍କରର ମୁରିଦକେ ମର୍କଜକୁ ଧ୍ୱଂସ କରିଦେଲା ଭାରତ?

ବାହାବଲପୁର ଠାରୁ ମୁରିଦକେ ଓ ମୁଜାଫରବାଦରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ ଏବଂ ଆଡ୍ଡା ଗୁଡ଼ିକ କେମିତି ଭାରତର ଏୟାର ଷ୍ଟ୍ରାଇକରେ ଧ୍ୱଂସ ହୋଇଯାଇଛି, ତା’ର ଗୋଟିଏ ପରେ ଗୋଟିଏ ଛବି ସାମ୍ନାକୁ ଆସିବାରେ ଲାଗିଛି।

Muridke Markaz

Muridke Markaz

Advertisment

ପହଲଗାମ ନରସଂହାରର ବଦଲା ନେବାକୁ ମଙ୍ଗଳବାର ରାତି ୧.୦୫ରୁ ୧.୩୦ ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ମିସାଇଲ ମାଡ଼ କରିଛି। ଏଥିରେ ଜୈଶ, ଲସ୍କର ଓ ହିଜବୁଲ ମୁଜାହିଦ୍ଦିନର ୯ଟି ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଯାଇଛି। ବାହାବଲପୁର ଠାରୁ ମୁରିଦକେ ଓ ମୁଜାଫରବାଦରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ ଏବଂ ଆଡ୍ଡା ଗୁଡ଼ିକ କେମିତି ଭାରତର ଏୟାର ଷ୍ଟ୍ରାଇକରେ ଧ୍ୱଂସ ହୋଇଯାଇଛି, ତା’ର ଗୋଟିଏ ପରେ ଗୋଟିଏ ଛବି ସାମ୍ନାକୁ ଆସିବାରେ ଲାଗିଛି।

Advertisment

ପ୍ରଥମେ ବାହାବଲପୁରରେ ଥିବା ଜୈଶ-ଇ-ମହମ୍ମଦ ମୁଖ୍ୟାଳୟ ପୂରା ଛିନଛତ୍ର ହୋଇଯାଇଥିବା ଭିଡିଓ ଓ ଫଟୋ ପୂରା ବିଶ୍ୱ ଦେଖିଥିଲା। ଏହାପରେ ମୁରିଦକେରେ ଥିବା ଲସ୍କରର ମୁଖ୍ୟାଳୟ ଧ୍ୱଂସ ହେବାର ଚିତ୍ର ସାମ୍ନାକୁ ଆସିଛି। ସେହିପରି ମୁଜାଫରବାଦରେ ଥିବା ଏକାଧିକ ଲଞ୍ଚ ପ୍ୟାଡ ମଧ୍ୟ ଭାରତର ମିସାଇଲ ମାଡ଼ରେ ନଷ୍ଟ ହୋଇଛି।

ଭାରତୀୟ ସେନା ପୂରା ଷ୍ଟ୍ରାଇକକୁ ଅପରେସନ ସିନ୍ଦୂର ନାଁ ଦେଇଥିବା ବେଳେ ସମସ୍ତ ପ୍ରକାରର ସତର୍କତାର ସହ କେବଳ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିବା କହିଛି। ସେନାର ଷ୍ଟ୍ରାଇକରେ ଧ୍ୱଂସ ହୋଇଥିବା ୯ଟି ସ୍ଥାନ ମଧ୍ୟରୁ ଗୋଟିଏ ହେଲା ମୁରିଦକେରେ ଥିବା ପ୍ରମୁଖ ମସଜିଦ କମ୍ପ୍ଲେକ୍ସ।

Advertisment

ଏଠାରେ ଥିବା ମୁରିଦକେ ମର୍କଜ ବା ମସଜିଦ ୱା ମର୍କଜ ତାଏବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ଆଦର୍ଶଗତ ଓ ଅପରେସନାଲ ହାର୍ଟ ଭାବେ ପରିଚିତ। ପୂରା କମ୍ପ୍ଲେକ୍ସ ୮୨ ଏକର ଜମି ମଧ୍ୟରେ ଚାଲୁଥିଲା। ପାକିସ୍ତାନ ଆତଙ୍କବାଦ ନର୍ସରୀ ଭାବେ ଏହା ପରିଚତ। ଭାରତ ମାଟିରେ ହେଉଥିବା ସମସ୍ତ ଆତଙ୍କବାଦୀ ହମଲାର ଲିଙ୍କ ଏହି ସ୍ଥାନ ସହ ରହିଥିଲା। ତେଣୁ ସୁରକ୍ଷା ଏଜେନ୍ସି ଏହାକୁ ନିଜ ରାଡାରରେ ରଖିଥିଲେ।

୨୦୦୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସଂସ୍ଥାକୁ ଏକଦା ଅଲକାଏଦା ଲିଡର ଓସାମା ବିନ ଲାଡେନ ପାଣ୍ଠି ଯୋଗାଉଥିଲା। ୧୦ ମିଲିୟନ ଟଙ୍କା ପାଇଥିବା ଏହି ମର୍କଜ ହାଫିଜ ସୟିଦ ଦ୍ୱାରା କାର୍ଯ୍ୟକ୍ଷମ ହୋଇଥାଏ। ଏତେ ବଡ଼ ଅଞ୍ଚଳରେ ଲସ୍କରର ନୀତିବାଣୀ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ମଦ୍ରାସା, ଆବାସିକ କୋଠା, ମୌଳବାଦୀ ଧାର୍ମିକ ଶିକ୍ଷା, ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ କେନ୍ଦ୍ର ଓ ନିଯୁକ୍ତି କେନ୍ଦ୍ର ପ୍ରମୁଖ ରହିଛି।

ଭାରତୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟରେ କୁହାଯାଇଛି ଯେ ଲସ୍କର ପକ୍ଷରୁ ଏଠାରେ ଯୁବକମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରାଯାଏ। ଉଭୟ ସ୍ଥାନୀୟ ଓ ବିଦେଶୀ ଯୁବକମାନଙ୍କୁ ଏଠାରେ ରାଡିକାଲାଇଜ କରାଯାଏ। ବାର୍ଷିକ ପ୍ରାୟ ୧ ହଜାର ଶିକ୍ଷାର୍ଥୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏଠାରେ ପଞ୍ଜିକରଣ କରନ୍ତି। କମ୍ପ୍ଲେକ୍ସ ମଧ୍ୟରେ ପୁରୁଷଙ୍କ ପାଇଁ ସୁଫା ଏକାଡେମୀ ଓ ମହିଳାଙ୍କ ଧାର୍ମିକ ଶିକ୍ଷା ପାଇଁ ଅନ୍ୟ ଏକ କେନ୍ଦ୍ର ରହିଛି। ଲସ୍କରର ବରିଷ୍ଠ କମାଣ୍ଡମାନଙ୍କ ତାଲିମ ପାଇଁ ମଧ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲାରେ ସାମିଲ ଥିବା ଅଜମଲ କସାବ ଠାରୁ ଆରମ୍ଭ କରି ଅନ୍ୟମାନଙ୍କୁ ତାଲିମ ଦେବା ପାଇଁ ଏହି ମର୍କଜକୁ ବ୍ୟବହାର କରାଯାଇଥିଲା। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ତତ୍ତ୍ୱାବଧାନରେ କସାବ ଏଠାରେ ତାଲିମ ନେଇଥିଲା। ବୈସାରନ ଭ୍ୟାଲିରେ ହୋଇଥିବା ନରସଂହାର ସହ ଏହି ସ୍ଥାନରେ ମଧ୍ୟ ଲିଙ୍କ ରହିଥିଲା। ତେଣୁ ଭାରତ ସରକାର ମୁରିଦକେରେ ହୋଇଥିବା ହମଲାକୁ ଯର୍ଥାର୍ଥ କହିଛନ୍ତି। ଲସ୍କରର ଚ୍ଛାୟା ସଂଗଠନ ହେଉଛି ଟିଆରଏଫ। ପହଲଗାମ ହମଲା ପାଇଁ ଟିଆରଏଫ ନିଜକୁ ଦାୟୀ କରିଥିଲା। ତେଣୁ ଲସ୍କର ପରୋକ୍ଷରେ ପହଲଗାମ ହମଲାରେ ସାମିଲ ଥିବା ଭାରତୀୟ ସୁରକ୍ଷା ଏଜେନ୍ସି ଜାଣିବାକୁ ପାଇଥିଲେ।

ମର୍କାଜକୁ ଟାର୍ଗେଟ କରି ଭାରତ କେବଳ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇ ନାହିଁ, ବରଂ ଲସ୍କରର ବିଶ୍ୱସ୍ତରୀୟ ଜିହାଦ ପ୍ରୋଜେକ୍ଟର ନର୍ଭ ସେଣ୍ଟରକୁ ମଧ୍ୟ ଧ୍ୱଂସ କରିପାରେ ବୋଲି ସମସ୍ତଙ୍କୁ ଜଣାଇ ଦେଇଛି।

Terror Attack Jammu Kashmir Operation Sindoor Muridke Markaz
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe