Advertisment

ଇତିହାସ ପୃଷ୍ଠାରୁ: କାହିଁକି ହାଜି ପୀର ପାସ୍‌କୁ ଦଖଲ କରିବା ପରେ ପାକିସ୍ତାନକୁ ଫେରାଇଥିଲା ଭାରତ?

୧୯୬୫ ମସିହା ଅଗଷ୍ଟ ୧୫ରେ ଭାରତୀୟ ସେନା ପାକିସ୍ତାନୀ ଶେଲିଂ ଓ ଅନୁପ୍ରବେଶକୁ ରୋକିବା ପାଇଁ ଯୁଦ୍ଧ ବିରତି ଲାଇନକୁ ଅତିକ୍ରମ କରିଥିଲେ। ଏହି ଅପରେସନର କୋଡ ନାଁ ବକ୍ସି ରଖାଯାଇଥିଲା।

author-image
Hemant Lenka
Haji pir pass

Haji pir pass

୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମ ସେନା ବାହିନୀ ହାଜି ପୀର ପାସ୍‌କୁ ପାକିସ୍ତାନ ଠାରୁ ଛଡ଼ାଇ ଆଣିଥିଲେ। କିନ୍ତୁ କଂଗ୍ରେସ ପରବର୍ତ୍ତୀ ସମୟରେ ଏହାକୁ ଫେରାଇ ଦେଇଥିଲା। ଅପରେସନ ସିନ୍ଦୂର ଉପରେ ଅନୁଷ୍ଠିତ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏମିତି କିଛି କହିଥିଲେ।

Advertisment

ଅପରେସନ ସିନ୍ଦୂର ବେଳେ ସରକାରଙ୍କ ରାଜନୀତିକ ଇଚ୍ଛା ଶକ୍ତିର ଅଭାବ ରହିଥିଲା ଓ ସେନାକୁ ସ୍ୱାଧୀନତା ମିଳି ନଥିବା କଂଗ୍ରେସ ଅଭିଯୋଗ କରିଥିଲା। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଥିଲେ। ଏହି ସମୟରେ କଂଗ୍ରେସ ହାଜି ପୀର ପାସ୍‌ ପାକିସ୍ତାନକୁ ଫେରାଇ ଦେଇଥିବା କଥା ମୋଦି ଉଠାଇଥିଲେ। ଏଥିସହ ୧୯୭୧ ଯୁଦ୍ଧ ସମୟରେ କେମିତି ୯୦ ହଜାରରୁ ଅଧିକ ପାକିସ୍ତାନୀ ଯବାନଙ୍କୁ ଛଡ଼ା ଯାଇଥିଲା, ସେକଥା କହି କଂଗ୍ରେସକୁ ଟାର୍ଗେଟ କରିଥିଲେ।

୧୯୬୫ରେ କ’ଣ ସବୁ ଘଟିଥିଲା?

୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନା ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହାଜି ପୀର ପାସ ଓ ସଂପୂର୍ଣ୍ଣ ହାଜି ପୀର ଦୁର୍ଗକୁ ପାକିସ୍ତାନ ଠାରୁ ଛଡ଼ାଇ ଆଣିଥିଲା। କିନ୍ତୁ ଦଖଲର କିଛି ମାସ ପରେ ଭାରତ ସରକାର ଏହାକୁ ପାକିସ୍ତାନକୁ ଫେରାଇ ଦେଇଥିଲେ। ତାସ୍କେଣ୍ଟ ଚୁକ୍ତି ବଳରେ ଭାରତ ଏପରି ପଦକ୍ଷେପ ନେଇଥିଲେ ହେଁ ଏହାକୁ ସବୁବେଳେ ସମାଲୋଚନା କରାଯାଉଛି। କିଛି ପୂର୍ବତନ ସେନା ଅଧିକାରୀ ମଧ୍ୟ ଏପରି ପଦକ୍ଷେପକୁ ବିରୋଧ କରିବାର ନଜିର ରହିଛି।

Advertisment

ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ରଣଜୀତ ସିଂହ ଦୟାଲ ୨୦୦୨ରେ କହିଥିଲେ “ହାଜି ପୀର ପାସ ନିଶ୍ଚିତ ଭାବେ ଭାରତକୁ ରଣନୀତିକ ଦୃଷ୍ଟିକୋଣରୁ ବେଶ ଫାଇଦା ଦେଇଥାଆନ୍ତା। ଏହାକୁ ଫେରାଇ ଦେବା ବଡ଼ ଭୁଲ ଥିଲା। ଆମ ଲୋକମାନେ ମ୍ୟାପକୁ ପଢ଼ନ୍ତି ନାହିଁ।”

କେମିତି ହାଜି ପୀର ପାସ୍‌କୁ ଦଖଲ କରିଥିଲା ଭାରତ?

ପୀର ପଞ୍ଜଲ ରେଞ୍ଜର ୨୬୩୭ ମିଟର ଅଞ୍ଚଳରେ ହାଜି ପୀର ପାସ୍‌ ରହିଛି। ଏହା ଗୋଟିଏ ପ୍ରମୁଖ ରାସ୍ତା ଓ ୧୯୪୭ ମୁଜାହିଦ୍ଦିନ ଅନୁପ୍ରବେଶ ବେଳେ ଏହି ସ୍ଥାନଟି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପାକିସ୍ତାନ କଶ୍ମୀରରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ୧୯୬୫ ଏହି ବାଟ ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇଥିଲା।

୧୯୬୫ ମସିହା ଅଗଷ୍ଟ ୧୫ରେ ଭାରତୀୟ ସେନା ପାକିସ୍ତାନୀ ଶେଲିଂ ଓ ଅନୁପ୍ରବେଶକୁ ରୋକିବା ପାଇଁ ଯୁଦ୍ଧ ବିରତି ଲାଇନକୁ ଅତିକ୍ରମ କରିଥିଲେ। ଏହି ଅପରେସନର କୋଡ ନାଁ ବକ୍ସି ରଖାଯାଇଥିଲା। ୧୯ତମ ଇନଫାଣ୍ଟ୍ରୀ ଡିଭିଜିନ ସହ ୧ ପାରା କମାଣ୍ଡୋ ଏହି ଅପରେସନରେ ସାମିଲ ହୋଇଥିଲେ। ଏହାର ନେତୃତ୍ୱ ମେଜର ରଣଜୀତ ସିଂହ ଦୟାଲ ନେଇଥିଲେ।

ଭାରତୀୟ ସେନାର ଯବାନମାନେ ନିର୍ଘାତ ବର୍ଷାରେ ରାତି ତମାମ ଚାଲିବା ହାଜି ପୀର ପାସ୍‌ର ଆଖପାଖ ଅଞ୍ଚଳକୁ ଦଖଲ କରିଥିଲେ। ଅଗଷ୍ଟ ୨୮ ତାରିଖ ଦିନ ୧୦.୩୦ ସୁଦ୍ଧା ଦୟାଲଙ୍କ ଟିମ ପାକିସ୍ତାନ ଯବାନଙ୍କୁ ମାତ ଦେଇଥିଲା ଓ ହାଜି ପୀର ପାସକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହି ବିଜୟ ସହ ପୁଞ୍ଚ-ଉରି ମଧ୍ୟରେ ଦୂରତା ୨୮୨ କିମିରୁ ୫୬ କିମିକୁ ଖସି ଯାଇଥିଲା। ପୂରା ଅଞ୍ଚଳରେ ଭାରତର ଦବାଦବା ବୃଦ୍ଧି ପାଇଁ ବାଟ ‍ଫିଟିଥିଲା।

ହାଜି ପୀର ପାସ୍‌ ଭାରତ ନିୟନ୍ତ୍ରଣରେ ଥିବାରୁ ଅନୁପ୍ରବେଶ ବିପଦ ଟଳି ଯାଇଥିଲା। ଭବିଷ୍ୟତରେ ମଧ୍ୟ ଅନୁପ୍ରବେଶ ହେବାର ଆଶଙ୍କା କମି ଯାଇଥିଲା। କିନ୍ତୁ ଏହି ନିୟନ୍ତ୍ରଣ ଓ ବିଜୟର ଖୁସି କେବଳ କିଛି ମାସ ପାଇଁ ରହିଥିଲା।

ହାଜି ପୀର ପାସ୍‌ ସହ ଆଉ କିଛି ସ୍ଥାନ ଫେରାଇ ଥିଲା ଭାରତ

୧୯୬୬ ମସିହା ଜାନୁଆରୀ ୧୦ରେ ତାସ୍କେଣ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ୧୯୬୫ ଯୁଦ୍ଧ ଶେଷ ହେବା ସହ ୟୁଏସଏସଆର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ ଭାରତ ଓ ପାକିସ୍ତାନ ୧୯୬୫ ଅଗଷ୍ଟ ୫ ପୂର୍ବରୁ ସ୍ଥିତାବସ୍ଥା କାଏମ ରଖିବାକୁ ରାଜି ହୋଇଥିଲେ। ୧୯୬୬ ମସିହା ଫେବୃଆରୀ ୨୫ ମଧ୍ୟରେ ପୂର୍ବ ସ୍ଥାନକୁ ଫେରିବାକୁ ଦୁଇ ଦେଶ ବୁଝାମଣାରେ ରାଜି ହୋଇଥିଲେ।

ବୁଝାମଣାର ସର୍ତ୍ତ ଅନୁସାରେ, ଭାରତ ହାଜି ପୀର ପାସ ଓ ସେନା ଦଖଲରେ ଥିବା ବାକି ୧୯୨୦ ବର୍ଗ କମି ସ୍ଥାନକୁ ପାକିସ୍ତାନକୁ ଫେରାଇ ଥିଲା। ଏହା ବଦଳରେ ପାକିସ୍ତାନ ଛାମ୍ବ ସମେତ ୫୫୦ ବର୍ଗ କିମି ଅଞ୍ଚଳ ଭାରତକୁ ହସ୍ତାନ୍ତର କରିଥିଲା। ଏହି ବୁଝାମଣାରେ ଶାନ୍ତି ସ୍ଥାପନ କଥା କୁହାଯାଇଥିଲା। କିନ୍ତୁ ଭବିଷ୍ୟତର ଯୁଦ୍ଧକୁ ନେଇ କିଛି କୁହାଯାଇ ନଥିଲା। ତେଣୁ ଲାଲ ବାହାଦୂର ଶାସ୍ତ୍ରୀ ତାସ୍କେଣ୍ଟରେ କରିଥିବା ଚୁକ୍ତି ସମାଲୋଚନାର ଶିକାର ହୋଇଥିଲା।

ରଣନୀତିକ ଦୃଷ୍ଟିକୋଣରୁ ହାଜି ପୀର ପାସ୍‌ ଫେରାଇଥିଲା ଭାରତ

ଅଖନୁର ବ୍ରିଜ ନିକଟ ଛାମ୍ବରୁ ପାକିସ୍ତାନ ସେନା ପ୍ରତ୍ୟାହାରକୁ ନିଶ୍ଚିତ କରିବା ପାଇଁ ଭାରତ ହାଜି ପୀର ପାସ୍‌ ଫେରାଇବାକୁ ରାଜି ହୋଇଥିଲା। କାରଣ ଉକ୍ତ ବ୍ରିଜଟି ଭାରତର ପ୍ରମୁଖ ସପ୍ଲାଏ ଲାଇନ ଥିଲା। ମେଜର ଜେନେରାଲ (ଅବସରପ୍ରାପ୍ତ) ଶେରୁ ଥାପଲିୟାଲ ୨୦୧୫ରେ କହିଥିଲେ, “ସୋଭିଏତ ୟୁନିୟନ ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୬ ଜାନୁଆରୀରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଛାମ୍ବ ସେକ୍ଟରରେ ପାକିସ୍ତାନୀ ଡାଗରଙ୍କ ପକ୍ଷରୁ ବିପଦକୁ ଦୃଷ୍ଟିରେ ରଖି ଭାରତ ଗୋଟି ଚାଳନା କରିଥିଲା।

ଯେହେତୁ ପାକିସ୍ତାନ ଅଖନୁର ଠାରୁ ମାତ୍ର ୪ କିମି ଦୂର ଫତୱାଲ ରିଜ ଯାଏ ଚାଲି ଆସିଥିଲା, ତେଣୁ ସେମାନେ ସବୁବେଳେ ଅଖନୁରକୁ ଦଖଲ କରିବା ପାଇଁ ଚେଷ୍ଟା କରିବାର ଆଶଙ୍କା ରହିଥିଲା। ଛାମ୍ବ ସେକ୍ଟର ଗୋଟିଏ ସମାନ୍ତରଳ ଓ ଖୋଲା ଭୂଭାଗ। ଏହା ମୁନାବର ତାୱି ନଦୀର ପଶ୍ଚିମ ପ୍ରାନ୍ତରେ ରହିଛି। ଏହା ଭାରତର ପ୍ରମୁଖ ଆତ୍ମରକ୍ଷା ଆଉଟପୋଷ୍ଟ ଭାବେ ଜଣାଶୁଣା। ଅଖନୁର ବ୍ରିଜ ଠାରୁ ଏହା ମାତ୍ର ୨୦ କିମି ଦୂର। ଜମ୍ମୁ ଠାରୁ ପୁଞ୍ଚ ଓ କଶ୍ମୀର ଉପତ୍ୟକାକୁ ସବୁ ପାଣିପାଗରେ ଯୋଗାଯୋଗ କରିବା ପାଇଁ ଏହା ହିଁ ଗୋଟିଏ ଏବଂ ଏକମାତ୍ର ମାର୍ଗ ରହିଥିଲା।”

ସାମ୍ବାଦିକ କୂଲଦୀପ ନାଏର ଦାବି କରିଛନ୍ତି ଯେ ସୋଭିଏତ ୟୁନିୟନ ପକ୍ଷରୁ ଭାରତକୁ ବିପଦ ରହିଥିଲା। ସେମାନେ କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଯାଇ ଜାତିସଂଘରେ ଭିଟୋ ପ୍ରୟୋଗ କରିବାର ଧମକ ଦେଇଥିଲେ। ସମ୍ଭବତଃ ଏହି କାରଣ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ତାସ୍କେଣ୍ଟ ଚୁକ୍ତି କରିଥିଲେ। ଏହାର ଦିନକ ପରେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Pakistan India Jammu Kashmir haji-pir-pass