କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଜଘନ୍ୟକାଣ୍ଡ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏଠାରେ ଜଣେ ମହିଳା ଡାକ୍ତରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି। ଏହା ବିରୋଧରେ ପୂରା ଦେଶ ସ୍ୱର ଉଠାଇଛି।
ଏହି ଦୁଷ୍କର୍ମ ଓ ହତ୍ୟା ମାମଲାରେ ବି ନିଜ ଆଡ଼ୁ ହସ୍ତକ୍ଷେପ କରି ଦିନକ ପରେ ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଏ ତମାମ ହଇଚଇ ଭିତରେ ସାମ୍ନାକୁ ଆସୁଛି ଆଉ ଏକ ଉଦବେଗଜନକ ପ୍ରଶ୍ନ। କାହିଁକି ବାରମ୍ବାର ଘଟୁଛି ଏଭଳି ଜଘନ୍ୟ କାଣ୍ଡ? ଦୁଷ୍କର୍ମୀଙ୍କ ମନରେ ଭୟ ସୃଷ୍ଟି ପାଇଁ ଆହୁରି କୋଠର ଦଣ୍ଡବ୍ୟବସ୍ଥାର ଆବଶ୍ୟକତା ଅଛି କି?
ଦୁଷ୍କର୍ମୀଙ୍କୁ ମିଳିବା ଦରକାର କି ଫାଶି ଠାରୁ ଅଧିକ ବୀଭତ୍ସ ଶାସ୍ତି? ଦୁଷ୍କର୍ମ ରୋକିବାକୁ ପର୍ଯ୍ୟାପ୍ତ ନୁହେଁ କି ଭାରତୀୟ ଦଣ୍ଡବିଧାନ? ନରରାକ୍ଷସଙ୍କ ନୃଶଂସତା ଆଗରେ ଦୁର୍ବଳ ପଡ଼ିଯାଉଛି କି ଆଇନ କାନୁନ? କାହିଁକି ସେମାନଙ୍କ ମନରେ ଡର ସୃଷ୍ଟି କରିପାରୁନି ପୂର୍ବର ନଜିର?
୨୦୧୨ରେ ଘଟିଥିଲା ଦିଲ୍ଲୀ ନିର୍ଭୟା କାଣ୍ଡ। ୮ ବର୍ଷ ପରେ ୨୦୨୦ରେ ୪ ଦୋଷୀଙ୍କୁ ମିଳିଲା ଫାଶିଦଣ୍ଡ। ହେଲେ ଏହି ଚରମ ଶାସ୍ତି ଦୁଷ୍କର୍ମୀଙ୍କୁ ଭୟଭୀତ କରିବାକୁ ଯଥେଷ୍ଟ ନୁହେଁ ବୋଲି ପୁଣି ଥରେ ପ୍ରମାଣିତ କରିଛି କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା। ଏଭଳି ବର୍ବର କାଣ୍ଡ ଭିଆଇବା ଆଗରୁ ସେମାନେ ପରିଣତିର ପରବାୟ କରୁ ନଥିବା ନାରୀ ସମାଜକୁ ଚିନ୍ତିତ କରିଛି। ତେଣୁ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଓ ଦୁଷ୍କର୍ମକାରୀଙ୍କ ପାଇଁ ଆହୁରି ଅଧିକ କଠୋର ଦଣ୍ଡ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଦାବି ହୋଇଛି।
କୁହାଯାଏ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। କେସ ଗଡ଼ିବା ସହ ଅପରାଧୀ ବି ଖୋଜିପାରେ ଆଇନ ଜାଲରୁ ବର୍ତ୍ତିବାର ନୂଆ ନୂଆ ଗଳାବାଟ। ତେଣୁ ତ୍ୱରିତ ବିଚାର ଓ ଦଣ୍ଡବିଧାନ ଦିଗରେ ମହିଳା ଅଧିକାର କର୍ମୀ ମତ ରଖିଥିବା ବେଳେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନଆସିବା ଯାଏ ଆଇନ ଯେତେ କଠୋର ହେଲେ ବି ଏଭଳି ଅପରାଧ ରୋକି ହେବ ନାହିଁ ବୋଲି ମତ ରଖିଛନ୍ତି ଆଇନଜୀବୀ।
ସେପଟେ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଥିଲେ ଯେ ମହିଳା ବିରୋଧୀ ଅପରାଧକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ଦୋଷୀଙ୍କୁ ଦଣ୍ଡ ବିଧାନ ବେଳେ ମଧ୍ୟ ସେତିକି ବ୍ୟାପକ ଚର୍ଚ୍ଚା ହେବା ଦରକାର। ତେବେ ଯାଇ ଅପରାଧୀଙ୍କ ମନରେ ଡର ଆସିବ ବୋଲି ସେ କହିଛନ୍ତି।
ସେପଟେ RG କର୍ ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ୩ ଦିନ ହେଲା ଘାଣ୍ଟୁଛି ସିବିଆଇ। ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ସାଇକୋ-ଆନାଲିସିସ୍ ଟେଷ୍ଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ କୋଲକାତାରେ ପହଞ୍ଚିଛନ୍ତି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟରି-CFSLର ୫ ଜଣିଆ ଟିମ୍।