Pak
ମଙ୍ଗଳବାର ରାତିରେ ଅଧିକାଂଶ ଭାରତୀୟ ସୁରକ୍ଷିତ ଭାବେ ନିଜ ବେଡକୁ ଯାଇଥିଲେ। କିନ୍ତୁ ଭାରତୀୟ ସେନା ରାତି ୧.୦୫ରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ହମଲା କରିବା ଥିଲା ଏହି ଅପରେସନର ମୂଳ ଲକ୍ଷ୍ୟ। ଏହାକୁ ସଫଳତାର ସହ ଭାରତୀୟ ସେନା ଶେଷ କରିଛି। କିନ୍ତୁ ଏହା ଆତଙ୍କବାଦ ଭିତ୍ତିଭୂମି ଉପରେ କେବଳ ଗୋଟିଏ ବଡ଼ ହମଲା ନୁହେଁ, ବରଂ ପାକିସ୍ତାନ ଭିତରେ ହୋଇଥିବା ସବୁଠାରୁ ବଡ଼ ଆତଙ୍କବାଦ ନିରୋଧ ଅପରେସନ। ୧୯୭୧ ମସିହା ଯୁଦ୍ଧ ପରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ମିସାଇଲ ମାଡ଼ କରିବାକୁ ସକ୍ଷମ ହୋଇଛି।
ଏହାକୁ ପାକିସ୍ତାନ ଭିତରେ ସବୁଠାରୁ ବଡ଼ ଅପରେସନ କହିବାର ଯଥେଷ୍ଟ କାରଣ ରହିଛି। ପ୍ରଥମେ ହେଲା ଅପରେସନ ବୃହତ୍ତ ଅଞ୍ଚଳକୁ ବ୍ୟାପିଛି। ଏହା ସହ ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ଓ ଟାର୍ଗେଟଗୁଡ଼ିକର ଗୁରୁତ୍ୱ ଏହାକୁ ପୂର୍ବ ଷ୍ଟ୍ରାଇକଗୁଡ଼ିକ ଠାରୁ ଭିନ୍ନ କରୁଛି। ଏହି ଆକ୍ରମଣ ଶୈଳୀକୁ ସମ୍ଭବତଃ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ପଢ଼ାଇବା ମଧ୍ୟ ଦରକାର।
ପାକିସ୍ତାନ ପ୍ରାୟୋଜିତ ପହଲଗାମ ନରସଂହାର ଘଟଣାର ବଦଲା ନେବା ପାଇଁ ଭାରତୀୟ ସେନା ଫୋକସଡ, ମେଜର ଓ ଅଣ ତୀବ୍ରତାପୂର୍ଣ୍ଣ ଅପରେସନ କରିଛି। ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ୧୯୭୧ ପରେରେ ପାକିସ୍ତାନରେ ଭାରତ କରିଥିବା ସବୁଠାରୁ ବଡ଼ ଷ୍ଟ୍ରାଇକ। ଗୋଟିଏ ଥରରେ ଭାରତକୁ ଦୀର୍ଘ ବର୍ଷ ହେଲା ରକ୍ତ ରଞ୍ଜିତ କରି ଆସୁଥିବା ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦର ପ୍ରମୁଖ ଆଡ୍ଡା ଉପରେ ଆକ୍ରମଣ କରି ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି।
୨୦୧୯ ପୁଲୱାମା ଓ ୨୦୧୬ ଉରି ଆକ୍ରମଣ ପରେ ମଧ୍ୟ ଭାରତୀୟ ସେନା ସୀମା ପାର ଅପରେସନ କରିଥିଲା। କିନ୍ତୁ ଅପରେସନ ସିନ୍ଦୂର ଏହି ଦୁଇଟି ଷ୍ଟ୍ରାଇକ ଠାରୁ କାହିଁକି ଭିନ୍ନ?
୧: ପାକିସ୍ତାନର ପଞ୍ଜାବରେ ହୋଇଛି ଟାର୍ଗେଟ
୧୯୭୧ ଯୁଦ୍ଧ ପରେ ଭାରତୀୟ ସେନା ପ୍ରଥମଥର ପାଇଁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପଶି ଷ୍ଟ୍ରାଇକ କରିଛି। ଦେଶର ହାଇବ୍ରିଡ ଶାସନରେ ପଞ୍ଜାବ ହେଉଛି ଉଭୟ ରାଜନୀତିକ ଓ ସାମରିକ ହାର୍ଟଲ୍ୟାଣ୍ଡ। ଏଠାରେ ସାଧାରଣ ଲୋକ ବାଛୁଥିବା ସରକାର ସବୁବେଳେ ସେନା ବାହିନୀର ନିର୍ଦ୍ଦେଶରେ କାର୍ଯ୍ୟ କରେ। ୨୦୧୬ ଉରି ଓ ୨୦୧୯ ପୁଲୱାମାର ବଦଲା ନେବା ବେଳେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ଓ ଖାୟବର ପାଖତୁନଖ୍ୱାରେ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିଲା।
କିନ୍ତୁ ଅପରେସନ ସିନ୍ଦୂରରେ ଧ୍ୱଂସ ହୋଇଥିବା ୯ଟି ଆତଙ୍କୀ ଆଡ୍ଡା ମଧ୍ୟରୁ ୪ଟି ପଞ୍ଜାବ ପ୍ରଦେଶରେ ରହିଛି। ବାହାବଲପୁର, ସିଆଲକୋଟ ଓ ଶେଖୁପୁରାରେ ଥିବା ୪ଟି ଆତଙ୍କୀ ଆଡ୍ଡା ଭାରତୀୟ ସେନା ନଷ୍ଟ କରିଛି। ଧ୍ୱଂସ ହୋଇଥିବା ଟେରର କ୍ୟାମ୍ପ ଗୁଡ଼ିକ ହେଉଛି- ମର୍କଜ ସୁଭାନ ଆଲ୍ଲା କ୍ୟାମ୍ପ(ବାହାବଲପୁର ଜିଲ୍ଲା), ମର୍କଜ ତାଏବା କ୍ୟାମ୍ପ(ଶେଖୁପୁରା ଜିଲ୍ଲା), ମେହମୁନା ଜୋୟା କ୍ୟାମ୍ପ(ସିଆଲକୋଟ ଜିଲ୍ଲା) ଓ ସରଜଲ କ୍ୟାମ୍ପ(ସିଆଲକୋଟ ଜିଲ୍ଲା)। ଏସବୁ ଆତଙ୍କୀ କ୍ୟାମ୍ପଗୁଡ଼ିକ ଜୈଶ ଓ ଲସ୍କର ଦ୍ୱାରା ପରିଚାଳିତ ହେଉଥିଲା। ଦଶନ୍ଧି ଦଶନ୍ଧି ପଞ୍ଜାବ ପ୍ରଦେଶରେ ଥିବା ବେସ୍ କ୍ୟାମ୍ପରୁ ଭାରତ ବିରୋଧୀ ଷଡ଼ଯନ୍ତ୍ରର ସୂତ୍ରପାତ ହେଉଥିଲା।
ବାହାବଲପୁରରେ ଥିବା ମର୍କଜ ସୁଭାନ ଆଲ୍ଲା କ୍ୟାମ୍ପର ଦୂରତା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ବା ଆଇବି ଠାରୁ ୧୦୦ କିମି ଦୂର। ଏହା ଜୈଶ ଆତଙ୍କବାଦୀ ମସୁଦ ଆଝାରର ଗଡ଼ ଭାବେ ପରିଚିତ। ଏଠାରେ ପାକିସ୍ତାନ ସେନାର ପ୍ରତିଷ୍ଠାନ ବି ରହିଛି। ଲାହୋର ଠାରୁ ମାତ୍ର ୪୦ କିମି ଦୂରରେ ଥିବା ଗୋଟିଏ ଆତଙ୍କୀ କ୍ୟାମ୍ପକୁ ଭାରତ ସଫଳତାର ସହ ଧ୍ୱଂସ କରିବାର ଗୁରୁତ୍ୱ ଯଥେଷ୍ଟ ରହିଛି।
୨: ବିକ୍ଷିପ୍ତ ଭାବେ ଥିବା ବଡ଼ବଡ଼ ଆତଙ୍କୀ ମୁଖ୍ୟାଳୟ ଧ୍ୱଂସ କରାଯାଇଛି
ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ବିକ୍ଷିପ୍ତ ଅଞ୍ଚଳରେ ଥିବା ଟେରର ଭିତ୍ତିଭୂମିକୁ ଅପରେସନ ସିନ୍ଦୂର ଦ୍ୱାରା ମାଟିରେ ମିଶାଇ ଦିଆଯାଇଛି। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମରୀରରେ ଥିବା ମୋଟ ୯ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲେ ହେଁ ଗୋଟିଏ ଠାରୁ ଆଉ ଗୋଟିଏ ଆଡ୍ଡାର ଦୂରତା ଢେର ଅଧିକ ରହିଥିଲା। ବାହାବଲପୁର ଦକ୍ଷିଣ ପଞ୍ଜାବରେ ଥିବା ବେଳେ ଶେଖୁପୁରା ଜିଲ୍ଲାର ମୁରିଦକେ ଲାହୋର ଉପକଣ୍ଠ ଉତ୍ତର ଭାଗରେ ରହିଛି। ସେହିପରି ପିଓକେର ମୁଜାଫରବାଦ ଓ କୋଟଲିରେ ବାକି ଆତଙ୍କବାଦୀ ଆଡ୍ଡା ରହିଛି। ଏଠାରେ ମଧ୍ୟ ଜୈଶ, ଲସ୍କର ଓ ହିଜବୁଲର କ୍ୟାମ୍ପ ରହିଥିଲା।
ଦକ୍ଷିଣ ପ୍ରାନ୍ତରେ ଥିବା ବାହାବଲପୁର ଠାରୁ ଆରମ୍ଭ କରି ମୁଜାଫରବାଦ କ୍ୟାମ୍ପକୁ ବିଚାରକୁ ନେଲେ ଏହା ୯୭୦ କିମି ଅଞ୍ଚଳ ମଧ୍ୟରେ ଅବସ୍ଥିତ। ମାତ୍ର ୨୫ ମିନିଟ ମଧ୍ୟରେ ଭାରତୀୟ ସେନା ୯୭୦ କିମି ପରିଧି ମଧ୍ୟରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବା ଆଦୌ ଛୋଟ କଥା ନୁହେଁ।
ମୁଜାଫରବାଦର ବିଲାଲ କ୍ୟାମ୍ପ ଜମ୍ମୁ-କଶ୍ମୀରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶର ଟ୍ରାଞ୍ଜିଟ ହବ ଭାବେ କାମ କରେ। ଏହାକୁ ମଧ୍ୟ ଧ୍ୱଂସ କରାଯାଇଛି।ପାକିସ୍ତାନର ଟେରର ନର୍ସରୀ ଭାବେ ପରିଚିତ ଲସ୍କରର ବିଶାଳ ମୁରିଦକେ କୋଠା ଉପରେ ଉପରେ ମଧ୍ୟ ମିସାଇଲ ମାଡ଼ ହୋଇଛି।
୩: ୯୭୦ କିମି ମଧ୍ୟରେ ଥିବା ୯ଟି ଆତଙ୍କୀ ଆଡ୍ଡା ୨୫ ମିନିଟରେ ଧ୍ୱଂସ
ମାତ୍ର ୨୫ ମିନିଟ ମଧ୍ୟରେ ବିକ୍ଷିପ୍ତ ଅଞ୍ଚଳରେ ଥିବା ୯ଟି ଠିକଣାରେ ମିସାଇଲ ମାଡ଼ କରି ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଛି। ପାକିସ୍ତାନର ବାହାବଲପୁରରେ ଥିବା ଜୈଶର ମୁଖ୍ୟାଳୟ, ଲସ୍କରର ମୁରିଦକେ ବେସ୍ କ୍ୟାମ୍ପ, ସିଆଲକୋଟରେ ଥିବା ଗୋଟିଏ ଟେରର ହବ ଓ ଚାକ ଅମରୁରେ ଥିବା ଆଉ ଏକ ଟେରର କ୍ୟାମ୍ପକୁ ଭାରତୀୟ ସେନା ଧ୍ୱଂସ କରିଛି। ସେହିପରି ପିଓକେର ମୁଜାଫରବାଦରେ ଥିବା ଲସ୍କର ଓ ଜୈଶର କ୍ୟାମ୍ପ ସମେତ କୋଟଲି, ଭିମ୍ବେର, ବାଘ ଓ ଗୁଲପୁରରେ ଥିବା ହିଜବୁଲର ଆଡ୍ଡା ଉପରେ ବି ମିସାଇଲ ମାଡ଼ ହୋଇଛି।
ଅପରେସନ ବେଳେ ଏକାଧିକ ସ୍ଥାନରେ ଆକ୍ରମଣ ହୋଇଥିବା ବେଳେ ସେନା ବାହିନୀ ମଧ୍ୟରେ ଥିବା ସମନ୍ୱୟ ଯୋଗୁ ଏହା ସମ୍ଭବ ହୋଇପାରିଛି। ୨୦୧୯ ପରେ ସବୁଠାରୁ ବଡ଼ ଏୟାର ଷ୍ଟ୍ରାଇକ ଭାବେ ମଧ୍ୟ ଏହାକୁ ବିବେଚନା କରାଯାଉଛି। କାରଣ ଗୁଇନ୍ଦା ତଥ୍ୟ ଆଧାରରେ ପାକିସ୍ତାନର ସାମରିକ ପ୍ରତିଷ୍ଠାନକୁ ସ୍ପର୍ଶ ନ କରି କେବଳ ଆତଙ୍କୀ ଆଡ୍ଡାକୁ ନଷ୍ଟ କରାଯାଇଛି। ଏହାଦ୍ୱାରା ଭାରତ ବିବାଦ ସୃଷ୍ଟି କରିବା ସପକ୍ଷରେ ନଥିବା ସନ୍ଦେଶ ଦେଇଛି।
୧.୦୫ରୁ ୧.୩୦ ଯାଏ ଅପରେସନ ସିନ୍ଦୂର ଚାଲିଥିଲା। ଏହି ୨୫ ମିନିଟ ସମୟ ସୀମା ମଧ୍ୟରେ ଭାରତୀୟ ସେନା ସ୍କାଲ୍ପ କ୍ରୁଜ ମିସାଇଲ, ହାମର ସ୍ମାର୍ଟ ବୋମା ଓ ଆତ୍ମଘାତୀ ଡ୍ରୋନର ବ୍ୟବହାର କରିଥିଲା। ଗୋଟିଏ ସମୟରେ ୯ଟି ସ୍ଥାନରେ ଆକ୍ରମଣ କରି ବ୍ୟାପକ କ୍ଷତି କରିବା ଆତଙ୍କବାଦୀ ନେଟୱର୍କକୁ ସଶକ୍ତ ଝଟକା।
୪: ଅପରେସନ ସିନ୍ଦୂର: ୮୦ ଆତଙ୍କବାଦୀ ନିହତ ସୂଚନା
ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂରରେ ପ୍ରାୟ ୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜୈଶ, ଲସ୍କର ଓ ହିଜବୁଲର କିଛି ଟପ କମାଣ୍ତର ଥିବା ମଧ୍ୟ ଜଣାପଡ଼ିଛି। ଭାରତର ପାଲଟା ଆକ୍ରମଣରେ ଏତେ ସଂଖ୍ୟକ ଆତଙ୍କୀ ନିହତ ହେବା ସଂଗଠନଗୁଡ଼ିକୁ ଶକ୍ତ ଝଟକା।
ଜୈଶ ମୁଖିଆ ମସୁଦ ଆଝାର ପରିବାର ୧୦ ଜଣ ସଦସ୍ୟ ଓ ତା’ର ୪ ଜଣ ସହଯୋଗୀ ବାହାବଲପୁରରେ ହୋଇଥିବା ହମଲାରେ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଛି। ମୁଜାଫରବାଦ ବିଲାଲ କ୍ୟାମ୍ପ ଧ୍ୱଂସ ହେବା ଗୋଟିଏ ବଡ଼ ସଫଳତା। କାରଣ ଏହା ଜୈଶ ଆତଙ୍କୀଙ୍କ ଘର ଭାବେ ପରିଚିତ ଥିଲା। ଏଠାରେ ଲସ୍କର ଅପରେଟିଭଙ୍କ ସହ ମିଶି ପହଲଗାମ ନରସଂହାର ପାଇଁ ଯୋଜନା ହୋଇଥିଲା।
୫: ଏକାଧିକ ଆକ୍ରମଣରେ ସାମିଲ ଥିବା ବିଭିନ୍ନ ଆତଙ୍କୀ ସଂଗଠନ ଉପରେ ପ୍ରହାର
ପୂର୍ବରୁ ହୋଇଥିବା ସୀମା ପାର ଅପରେସନ ବେଳେ ଭାରତ ମାଟିରେ ଆତଙ୍କ ଖେଳାଉଥିବା ଗୋଟିଏ ନିର୍ଦ୍ଦିଷ୍ଟ ସଂଗଠନକୁ ଟାର୍ଗେଟ କରାଯାଉଥିଲା। କିନ୍ତୁ ଅପରେସନ ସିନ୍ଦୂର ମାଧ୍ୟମରେ ଏକାଧିକ ଆତଙ୍କବାଦୀ ସଂଗଠନର ଆଡ୍ଡା ଉପରେ ହମଲା କରାଯାଇଛି। ସେହିପରି କେବଳ ପହଲଗାମ ନୁହେଁ, ଭାରତରେ ବିଭିନ୍ନ ଆକ୍ରମଣରେ ସାମିଲ ଥିବା ସଂଗଠନକୁ ଅପରେସନ ଦ୍ୱାରା ଟାର୍ଗେଟ କରାଯାଇଥିଲା।
ଜୈଶର ବାହାବଲପୁର ମୁଖ୍ୟାଳୟ, ଲସ୍କରର ମୁରିଦକେ କ୍ୟାମ୍ପ ଓ ହିଜବୁଲର ପିଓକେ ସ୍ଥିତି କ୍ୟାମ୍ପ ଉପରେ ଭାରତୀୟ ସେନା ମିସାଇଲ ମାଡ଼ କରି ନୂଆ ଯାଦୁ ଦେଖାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pak_1746620560.jpg)