/odisha-reporter/media/media_files/2026/01/16/drone-2026-01-16-15-36-34.jpg)
ଭାରତୀୟ ସେନା
ପୁଣି ଫେରିଛି ପାକିସ୍ତାନ(Pakistan)ର ଡ୍ରୋନ ହରକତ। ୮ ମାସ ତଳେ ଅପରେସନ ସିନ୍ଦୂର ଘାଇଲା ହୋଇଥିବା ପାକିସ୍ତାନ ଅଣ୍ଟା ସଳଖି ଛିଡ଼ା ହେବାକୁ ସଂଘର୍ଷ କରୁଥିଲେ ହେଁ ନିଜର ଉସକାଇବା ଗୁଣ ଛାଡ଼ିନାହିଁ। ଜାନୁଆରୀ ୯ ପର ଠାରୁ ଏକାଧିକ ପାକିସ୍ତାନୀ ଟ୍ରୋନକୁ ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳରେ ଠାବ କରାଯାଇଛି। ଏଥିପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଅନୁପ୍ରବେଶ ନ କରିବାକୁ ଚେତାଇ ଦିଆଯାଇଛି।
ହେଲେ ପାକିସ୍ତାନ ତା’ ପ୍ରକୃତିରେ କୌଣସି ପରିବର୍ତ୍ତନ କରିନି। ଗୁରୁବାର ରାତିରେ ପୁଣିଥରେ ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନକୁ ଠାବ କରାଯାଇଛି। କିନ୍ତୁ ହଠାତ୍ କାହିଁକି ପାକିସ୍ତାନ ପୁଣି ସୀମାନ୍ତରେ ଡ୍ରୋନ ଅନୁପ୍ରବେଶ କରାଉଛି?
ଏହାର ସମ୍ଭାବ୍ୟ କାରଣ ଜାଣିବା ପୂର୍ବରୁ ଆମେ ଏଠାରେ କହିବାକୁ ଚାହୁଁଛୁ ଯେ ମେ’ ମାସର ସାମରିକ ବିବାଦ ସମୟରେ ପାକିସ୍ତାନ ବ୍ୟବହାର କରିଥିବା କାମିକାଜେ ଶ୍ରେଣୀର ଡ୍ରୋନ ଏବେ ପଠାଉ ନାହିଁ। କାମିକାଜେ ଶ୍ରେଣୀର ଡ୍ରୋନକୁ ଆତ୍ମଘାତୀ ଡ୍ରୋନ ମଧ୍ୟ କୁହାଯାଏ। ଏହି ଆତ୍ମଘାତୀ ଡ୍ରୋନ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ କିଛି ସମୟ ବୁଲିବା ପରେ ଉପଯୁକ୍ତ ଟାର୍ଗେଟକୁ ଚିହ୍ନଟ କରି ବିସ୍ଫୋରଣ କରିଥାଏ।
ଡ୍ରୋନ ପଠାଉଛି ପାକିସ୍ତାନ
ଜାନୁଆରୀ ୯ ପରଠାରୁ ଚିହ୍ନଟ ହୋଇଥିବା ପାକିସ୍ତାନୀ ଡ୍ରୋନ ସାଧାରଣତଃ ଛୋଟ। ଏକଥା ନିଜେ ସେନା ମୁଖ୍ୟ ଜେନାରାଲ ଉପେନ୍ଦ୍ର ଦ୍ୱିବେଦୀ କିଛି ସପ୍ତାହ ତଳେ କହିଥିଲେ। ଆର୍ମି ମୁଖ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ପାକିସ୍ତାନକୁ ଡ୍ରୋନ କାର୍ଯ୍ୟକଳାପ ପାଇଁ ନୋଟିସରେ ରଖାଯାଇଛି। ଯଦି ପାକିସ୍ତାନ କୌଣସି ଦୁଃସାହାସ ପ୍ରଦର୍ଶନ କରିବ, ତା’ହେଲେ ଏହାର ଉପଯୁକ୍ତ ଜବାବ ଦିଆଯିବ।
ପାକିସ୍ତାନର ସାମରିକ ଅପରେସନ ମୁଖ୍ୟଙ୍କୁ ମଧ୍ୟ ଏ ସମ୍ପର୍କରେ ଭାରତ ପକ୍ଷରୁ ଅବଗତ କରିଦିଆଯାଇଛି। ଜେନେରାଲ ଦ୍ୱିବେଦୀ କହିଥିଲେ, “ଚିହ୍ନଟ ହୋଇଥିବା ଡ୍ରୋନ ଅତି ଛୋଟ ଓ ସେଗୁଡ଼ିକ ଲାଇଟ ଜଳାଇ ଆସୁଛନ୍ତି। ସେଗୁଡ଼ିକ ମଧ୍ୟ ଅତି ଉଚ୍ଚରେ ଉଡ଼ୁ ନାହାନ୍ତି। ଜାନୁଆରୀ ୧୫ ଆର୍ମି ଦିବସ ଓ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ସାଧାରଣତଃ ପାକିସ୍ତାନକୁ ଭାରତର ଆକ୍ରମଣ ଭୟ ଘାରିଥାଏ।”
ଜାନୁଆରୀ ୯ରୁ ଇତି ମଧ୍ୟରେ ଅନ୍ତର୍ଜାତୀୟ ସୀମା ଓ ପ୍ରକୃତ ନିୟନ୍ତ୍ରଣ ରେଖାର ବିଭିନ୍ନ ସ୍ଥାନରେ ୧୦ରୁ ୧୨ଟି ପାକିସ୍ତାନୀ ଡ୍ରୋନ ଚିହ୍ନଟ ହୋଇଛି। ଗୁରୁବାର ରାତିରେ ପୁଞ୍ଚ ଓ ସାମ୍ବାର ରାମଗଡ଼ ସେକ୍ଟରରେ ପାକିସ୍ତାନୀ ଡ୍ରୋନକୁ ଠାବ କରାଯାଇଥିଲା। ପୂର୍ବରୁ ନୌଶେରା ଓ ରଜୌରୀ ସେକ୍ଟରରେ ଡ୍ରୋନ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା। ଏଥିଯୋଗୁ ଭାରତୀୟ ସୁରକ୍ଷାକର୍ମୀ ଡ୍ରୋନ ଧ୍ୱଂସକାରୀ ଡିଫେନ୍ସ ସିଷ୍ଟମକୁ ଆକ୍ଟିଭେଟ କରିବା ସହ ଗୁଳିମାଡ଼ କରିବାକୁ ବାଧ୍ୟ ହୋଇଥିଲେ।
ପାକିସ୍ତାନୀରୁ ଆସିଥିବା ଗୋଟିଏ ଡ୍ରୋନ ଜାନୁଆରୀ ୯ରେ ଦୁଇଟି ପିସ୍ତଲ, ୩ଟି ମ୍ୟାଗାଜିନ, ୧୬ଟି ଗୁଳି ଓ ଗୋଟିଏ ଗ୍ରେନେଡ ସାମ୍ବା ଜିଲ୍ଲାରେ ପକାଇଥିବା କୁହାଯାଉଛି। ସର୍ଚ୍ଚ ଅପରେସନ ବେଳେ ଏହି ଗୁଳିଗୋଳାକୁ ସୁରକ୍ଷାକର୍ମୀମାନେ ଠାବ କରିଥିଲେ। ସୋମବାର ରାତିରେ ରାଜସ୍ଥାନର ଜୈସଲମେର ଆକାଶରେ ମଧ୍ୟ ଗୋଟିଏ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନକୁ ଚିହ୍ନଟ କରାଯାଇଥିଲା।
କାହିଁକି ଡ୍ରୋନ ପଠାଉଛି ପାକିସ୍ତାନ?
ଡ୍ରୋନ କାର୍ଯ୍ୟକଳାପ ବୃଦ୍ଧି କରି ପାକିସ୍ତାନ ମୁଖ୍ୟତଃ ଭାରତୀୟ ଡିଫେନ୍ସରେ ଥିବା ଦୁର୍ବଳତା ଓ ଜବାବ ଦେବାର ସମୟସୀମାକୁ ଆକଳନ କରୁଥିବା ବିଶେଷଜ୍ଞମାନେ ମତ ରଖିଛନ୍ତ। ପାହାଡ଼ିଆ ଅଞ୍ଚଳ ଉପରେ ନଜର ରଖିବା ପାଇଁ ସାଧାରଣତଃ ଡ୍ରୋନର ହିଁ ବ୍ୟବହାର କରାଯାଏ। ବିଶ୍ୱର ବିଭିନ୍ନ ଘଟଣା ଉପରେ ନଜର ରଖୁଥିବା ସୁମିତ ରାଜ କହିଛନ୍ତି, “କେବଳ ଚିହ୍ନଟ ଅପରେସନ ପାଇଁ ପାକିସ୍ତାନ ଡ୍ରୋନ ପଠାଉଛି।
ପାକିସ୍ତାନ ପଠାଉଥିବା ଡ୍ରୋନରେ କୌଣସି ପେଲୋଡ ନାହିଁ। କେବଳ ଭାରତର ପ୍ରତିକ୍ରିୟା ଜାଣିବା ପାଇଁ ଏପରି ପଦକ୍ଷେପ ନିଆଯାଉଛି। ଭାରତରେ କେଉଁ ରାଡାର ସିଷ୍ଟମ ସକ୍ରିୟ ରହିଛି, ତା’ର ଯାଞ୍ଚ କରୁଛି ପାକିସ୍ତାନ। କେଉଁ ସେକ୍ଟରରେ ଭାରତୀୟ ସେନାର ସକ୍ରିୟତା ବଢ଼ିଛି, ତା’କୁ ବି ଜାଣିବାକୁ ଚାହୁଁଛି ପାକିସ୍ତାନ।”
ସମାନ କଥା ଆର୍ମି ମୁଖ୍ୟ ମଧ୍ୟ କହିଥିଲେ। ଭାରତୀୟ ଡିଫେନ୍ସରେ ଥିବା ଗ୍ୟାପକୁ ପରଖିବା ପାଇଁ ପାକିସ୍ତାନର ଡ୍ରୋନ ଅନୁପ୍ରବେଶ ବଢ଼ିଛି। ଏପରି କରି ସେମାନେ ଆତଙ୍କବାଦୀଙ୍କୁ ଭାରତକୁ ପଠାଇବାକୁ ଚାହୁଁଥିବା ସେନା ମୁଖ୍ୟ କହିଥିଲେ।
ତେବେ ପାକିସ୍ତାନ ଡ୍ରୋନ ଦ୍ୱାରା ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ନିଶା ଦ୍ରବ୍ୟ ଭାରତକୁ ପଠାଇବାକୁ ଚାହୁଁଛି। ଏଥିପାଇଁ ସେମାନେ ଏପରି କରୁଥିବା ଜମ୍ମୁ-କଶ୍ମୀରର ପୂର୍ବତନ ଡିଜିପି ଏସ୍ପି ବୈଦ୍ୟ ଆକଳନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
