କାହିଁକି ୧୫,୦୦୦ କୋଟି ଟଙ୍କାର ସଂପତ୍ତି ହରେଇପାରନ୍ତି ସୈଫ ଅଲୀ ଖାଁ?

ଡକାୟତ ପଶିଲା। ଛୁରୀ ଭୁଷିଲା। ତଥାପି କିଛି ନେଇ ପାରିଲା ନାହିଁ। ସୈଫ ଅଲୀ ଖାଁ ବଂଚିଗଲେ, ତାଙ୍କ ସଂପତ୍ତି ବି ରହିଗଲା। ହେଲେ ଏବେ ସେ ହରେଇବାକୁ ଯାଉଛନ୍ତି ୧୫ ହଜାର କୋଟି ଟଙ୍କାର ଜମିବାଡ଼ି ଓ ଘରଦ୍ୱାର।

A Palace Of Bhopal Nawab

A Palace Of Bhopal Nawab

Debendra Prusty
  • Published: Wednesday, 22 January 2025
  • , Updated: 22 January 2025, 03:06 PM IST

ଡକାୟତ ପଶିଲା। ଛୁରୀ ଭୁଷିଲା। ତଥାପି କିଛି ନେଇ ପାରିଲା ନାହିଁ। ସୈଫ ଅଲୀ ଖାଁ ବଂଚିଗଲେ, ତାଙ୍କ ସଂପତ୍ତି ବି ରହିଗଲା। ହେଲେ ଏବେ ସେ ହରେଇବାକୁ ଯାଉଛନ୍ତି ୧୫ ହଜାର କୋଟି ଟଙ୍କାର ଜମିବାଡ଼ି ଓ ଘରଦ୍ୱାର।

ସୈଫ୍‌ ଅଲୀ ଖାଁ କେବଳ ଜଣେ ଅଭିନେତା ନୁହନ୍ତି। ସେ ହେଉଛନ୍ତି ଭୋପାଳର ପୂର୍ବତନ ନବାବଙ୍କ ନାତି। ତାଙ୍କ ବାପା ନବାବ ମହମ୍ମଦ ମନସୁର ଅଲୀ ଖାଁ ପଟୌଦି ଥିଲେ ନାମକେ ବାସ୍ତେ ନବାବ। ୧୯୫୨ରୁ ୧୯୭୧ ଯାଏଁ ସେ ଏହି ପଦରେ ଥିଲେ। ୧୯୭୧ ମସିହାରେ ସମ୍ବିଧାନର ୨୬ଶ ସଂଶୋଧନ ବଳରେ ରାଜପଦ ଲୋପ ହେବାରୁ ମନସୁର ଅଲୀ ଖାଁଙ୍କ ନବାବ ପଦବୀ ଚାଲିଗଲା। ତାଙ୍କ ବାପା ଇଫତିକର ଅଲୀ ଖାଁ ପଟୌଦି ଥିଲେ ଭୋପାଳର ଶେଷ ନବାବ। ସେ ୧୯୧୭ରୁ ୧୯୪୮ ଯାଏଁ ଭୋପାଳର ଶାସକ ଥିଲେ। ୧୯୪୮ରୁ ୧୯୫୨ ଯାଏଁ ସେ ମଧ୍ୟ ଥିଲେ ଭୋପାଳର ନାମ କେ ବାସ୍ତେ ନବାବ।

କାରଣ ସେତେବେଳକୁ ଭାରତ ସ୍ୱାଧୀନ ହୋଇ ସାରିଥିଲା ଓ ଭୋପାଳ ଭାରତରେ ମିଶି ସାରିଥିଲା। ଭୋପାଳର ନବାବ ହିସାବରେ ପଟୌଦି ପରିବାରର ଅମାପ ସଂପତ୍ତି ରହିଛି। ଏସବୁ ସଂପତ୍ତି ମଧ୍ୟରେ ଅଛି ଦିଲ୍ଲୀରେ ଥିବା ଘର, କୋହେଫିଜାର ଫାର୍ମ ହାଉସ୍‌, ଚିକଲେଡ ଓ ରାଇସେନରେ ଥିବା କୋଠି, ବିପୁଳ ଜମି ଓ ଜଙ୍ଗଲ, ଅହମ୍ମଦାବାଦ ପ୍ରାସାଦ, ଦାର୍‌ ଉସ୍‌ ସଲାମ, ନୁର୍‌ ଏ ସବା, କୋହେଫିଜାର ଫ୍ଲାଗ ହାଉସ୍‌, ଫାର୍ସ ଖାନା ଓ କେତେକ ହୋଟେଲ। ତାଙ୍କ ନବାବୀ ସଂପତ୍ତିର ମୋଟ ମୂଲ୍ୟ ୧୫ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଭୋପାଳ ହେଉଛି ଏବେକାର ମଧ୍ୟ ପ୍ରଦେଶ ରାଜ୍ୟର ରାଜଧାନୀ। ଇଫତିକର ଅଲୀ ଖାଁଙ୍କ ବାପା ଥିଲେ ପଟୌଦିର ନବାବ ମହମ୍ମଦ ଇବ୍ରାହିମ ଖାଁ। ତେଣୁ ସୈଫ ଅଲୀ ଖାଁ ଉଭୟ ଭୋପାଳ ଓ ପଟୌଦିର ନବାବ ପରିବାରର ଅନେକ ସଂପତ୍ତିର ଦାୟାଦ ତଥା ଅଂଶୀଦାର ଅଛନ୍ତି। ମାତ୍ର, ଯଦି ଉପର କୋର୍ଟରେ ସେ ଆବେଦନ ନକରନ୍ତି ବା ଆବେଦନ କଲେ ସେହି ମକଦ୍ଦମାରେ ହାରିଯାଆନ୍ତି ତେବେ ତାଙ୍କର ପ୍ରାୟ ସମସ୍ତ ନବାବୀ ସଂପତ୍ତି ସରକାରଙ୍କ ହାତକୁ ଚାଲିଯିବ। ଭାରତବର୍ଷର ଅନେକ ନବାବ, ସୁଲତାନ ଓ ରାଜାଙ୍କର ସଂପତ୍ତି ଏବେ ବି ସେମାନଙ୍କ ମାଲିକାନାରେ ରହିଥିବାବେଳେ ସୈଫ ଅଲୀ ଖାଁଙ୍କ ସଂପତ୍ତିକୁ ସରକାର କାହିଁକି ହାତକୁ ନେବେ?

କାରଣ ତାଙ୍କ ସଂପତ୍ତି ସବୁ ଶତ୍ରୁ ସଂପତ୍ତି ବୋଲି ସରକାର ବିଚାର କରିଛନ୍ତି। ଏହା ପୁଣି ପୁରୁଣା କଥା ନୁହେଁ। ୨୦୧୫ ମସିହାରେ ଭୋପାଳ ନବାବଙ୍କ ସଂପତ୍ତିକୁ ଶତ୍ରୁ ସଂପତ୍ତି ଘୋଷଣା କରାଗଲା। ଏହି ଘୋଷଣା କରିଥିଲେ ମୁମ୍ବାଇରେ ଥିବା ଶତ୍ରୁ ସଂପତ୍ତି କର୍ତ୍ତୃପକ୍ଷ। ତେଣୁ ଶତ୍ରୁ ସଂପତ୍ତି ଆଇନ, ୧୯୬୮ ଅନୁସାରେ ସେସବୁ ଭାରତ ସରକାର ଅଧିଗ୍ରହଣ କରିପାରିବେ। ଭାରତ ସ୍ୱାଧୀନ ହେବାର ଏତେ ବର୍ଷ ପରେ ଏହି କର୍ତ୍ତୃପକ୍ଷ କାହିଁକି ଏପରି ଘୋଷଣା କଲେ?

୧୯୬୮ ମସିହାରେ ଭାରତର ସଂସଦରେ ଗୃହୀତ ହୋଇଥିବା ଶତ୍ରୁ ସଂପତ୍ତି ଆଇନ ଅନୁସାରେ ଭାରତର ସ୍ୱାଧୀନତା ସମୟରେ ଯେଉଁମାନେ ପାକିସ୍ତାନ ପଳାଇଥିବେ ଭାରତରେ ଥିବା ସେମାନଙ୍କର ସଂପତ୍ତିକୁ ଶତ୍ରୁ ସଂପତ୍ତି ଭାବେ ବିବେଚନା କରାଯିବ। ସୈଫ ଅଲୀ ଖାଁଙ୍କ ବାପ ଗୋସାପ କେହି ଭାରତ ଛାଡ଼ି ନାହାନ୍ତି। ତେବେ କେଉଁ ଭିତ୍ତିରେ ତାଙ୍କ ସଂପତ୍ତି ଶତ୍ରୁ ସଂପତ୍ତି ଘୋଷିତ ହେଲା?

ସତ କଥା ହେଲା ସୈଫ ଅଲୀ ଖାଁଙ୍କ ବାପା ମନସୁର୍‌ ଅଲୀ ଖାଁଙ୍କର ଜଣେ ମାଉସୀ ଭାରତ ଛାଡ଼ି ପାକିସ୍ତାନ ପଳାଇଛନ୍ତି। ତାଙ୍କ ନାଁ ହେଉଛି ଆବିଦା ସୁଲତାନ। ତାଙ୍କ ବାପା ହେଉଛନ୍ତି ଭୋପାଳର ନବାବ ହମିଦୁଲ୍ଲା ଖାଁ। ସେ ଭାରତୀୟ ସେନାର ଉଚ୍ଚ ପଦସ୍ଥ ଅଫିସର ଥିଲେ। ବ୍ରିଟିଶ ସେନା ତରଫରୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢ଼େଇ କରିଥିଲେ। ସେ ମହମ୍ମଦ ଅଲୀ ଜିନ୍ନାଙ୍କର ଖାସ୍‌ ବନ୍ଧୁ ଥିଲେ। ମାତ୍ର, ସେ ଜିନ୍ନାଙ୍କ ଚାପ ସତ୍ତ୍ୱେ ସେ ପାକିସ୍ତାନରେ ନମିଶି ଭୋପାଳକୁ ଭାରତେ ମିଶାଇ ଦେଇଥିଲେ। ହମିଦୁଲ୍ଲାଙ୍କର ପୁଅ ନଥିଲେ। ତାଙ୍କର ତିନି ଝିଅ ଥିଲେ। ବଡ଼ ହେଲେ ଆବିଦା ସୁଲତାନ। ଆଉ ଜଣେ ହେଲେ ସାଜିଦା ସୁଲତାନ। ତୃତୀୟଙ୍କ ନାଁ ରାବିୟା ସୁଲତାନ। ରାବିୟା ସୁଲତାନ ଦୁଇଟି ବିବାହ କରିଥିଲେ ଓ ଭାରତରେ ଅଛନ୍ତି। ସାଜିଦା ସୁଲତାନ ପଟୌଦିର ନବାବ ଇଫତକର ଅଲୀ ଖାଁଙ୍କୁ ବିବାହ କରିଥିଲେ।

ଇଫତକର ଅଲୀ ଖାଁଙ୍କ ପୁଅ ହେଉଛନ୍ତି ମନସୁର ଅଲୀ ଖାଁ ପଟୌଦି ଓ ତାଙ୍କ ପୁଅ ହେଉଛନ୍ତି ସୈଫ ଅଲୀ ଖାଁ ପଟୌଦି। ଇଫତିକର ଅଲୀ ଖାଁ ଥିଲେ ଜଣେ ବିଖ୍ୟାତ କ୍ରିକେଟର ଓ ଭାରତୀୟ ବିଦେଶ ସେବା ଅଧିକାରୀ। ସେ ମାତ୍ର ୪୧ ବର୍ଷ ବୟସରେ ଦିଲ୍ଲୀରେ ପୋଲୋ ଖେଳୁଥିବାବେଳେ ପ୍ରାଣତ୍ୟାଗ କରିଥିଲେ। ମନସୁର ଅଲୀ ଖାଁ ମଧ୍ୟ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ। ସୈଫ ଅଲୀ ଖାଁ ହେଉଛନ୍ତି ଅଭିନେତା। ତାଙ୍କ ମା’ ଶର୍ମିଳା ଟାଗୋର ତାଙ୍କ ସମୟରେ ଅତ୍ୟନ୍ତ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ତାଙ୍କ ଭଉଣୀ ସବା ଅଲୀ ଖାଁ ଓ ସୋହା ଅଲୀ ଖାଁ। ଏମାନେ କେହି ଭାରତ ଛାଡ଼ି ପାକିସ୍ତାନ ପଳାୟନ କରିନାହାନ୍ତି।

ବଡ଼ ଆବିଦା ସୁଲତାନ ଶୈଶବରୁ ଥିଲେ ଆଧୁନିକା। ସେ ମାତ୍ର ୯ ବର୍ଷ ବୟସରେ ରୋଲ୍‌ସ ରୟସ୍‌ ଚଳେଇଥିଲେ। ମାତ୍ର ୧୨ ବର୍ଷ ବୟସରେ କୁରବାଇର ନବାବ ମହମ୍ମଦ ସରବାର ଅଲୀ ଖାଁଙ୍କୁ ବିବାହ କଲେ। ମାତ୍ର, ବୈବାହିକ ଜୀବନ ତାଙ୍କୁ ପସନ୍ଦ ହେଲା ନାହିଁ। ଗୋଟିଏ ପୁଅ ହେଲା ପରେ ସେ ଘର ଛାଡ଼ି ଭୋପାଳ ଫେରି ଆସିଲେ। ପରେ ଉଭୟଙ୍କର ଏକମାତ୍ର ପୁତ୍ର ଶାହରିୟର ଖାଁଙ୍କ ପାଳନକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା। ସେ ୪ ଘଣ୍ଟା କାଳ ଗାଡ଼ି ଚଲେଇ ଯାଇଁ ସରବାର ଖାଁଙ୍କ ଘରେ ପହଞ୍ଚିଲେ ଓ ତାଙ୍କୁ ଗୋଟି, ବନ୍ଧୁକ ଦେଇ କହିଲେ, ସେ ସେହି ବନ୍ଧୁକରେ ତାଙ୍କୁ ମାରି ଦିଅନ୍ତୁ ନହେଲେ ସେ ତାଙ୍କୁ ମାରିଦେବେ।

ଆବିଦା ଏହିପରି ସାହସୀ ଓ ଆଧୁନିକା ଥିଲେ। ୧୯୩୫ରୁ ୧୯୪୯ ଯାଏଁ ସେ ବାପାଙ୍କ ତରଫରୁ ଭୋପାଳ କ୍ୟାବିନେଟ୍‌ ପରିଚାଳନା କରୁଥିଲେ। ସେ ହିଁ ଥିଲେ ନବାବ ଇଫତକରଙ୍କର ଘୋଷିତ ଉତ୍ତରାଧିକାରୀ। କିନ୍ତୁ ଭାରତର ସ୍ୱାଧୀନତା ଓ ବିଭାଜନ ସମୟରେ ଚାଲିଥିବା ଦଙ୍ଗା ତାଙ୍କୁ ଦାରୁଣ ଆଘାତ ଦେଲା। ସେ ମହାତ୍ମା ଗାନ୍ଧୀ ଓ ପଣ୍ଡିତ ନେହରୁଙ୍କୁ ଭେଟିଥିଲେ। ବିଭାଜନ ଅଟକିଲା ନାହିଁ, ଦଙ୍ଗାରେ ବହୁତ ଲୋକ ମଲେ। ସ୍ୱାଧୀନତା ପରେ ମଧ୍ୟ ହିନ୍ଦୁ ମୁସଲମାନ ଗଣ୍ଡଗୋଳ ଲାଗି ରହିଲା। ୧୯୪୯ରେ ଭୋପାଳ ଭାରତରେ ମିଶିଲା। ସେ ପୁଅକୁ ଧରି ନବାବ ପଦର ଲାଳସା ଛାଡ଼ି ୩୭ ବର୍ଷ ବୟସରେ ୧୯୫୦ ମସିହାରେ ପାକିସ୍ତାନ ପଳାଇଲେ।

ତେବେ, ଏ ଘଟଣାର ୬୫ ବର୍ଷ ପରେ ୨୦୧୫ ମସିହାରେ ମୁମ୍ବାଇର ଶତ୍ରୁ ସଂପତ୍ତି ତଦାରଖକାରୀ କର୍ତ୍ତୃପକ୍ଷ ଭୋପାଳ ନବାବଙ୍କ ସଂପତ୍ତିକୁ ଶତ୍ରୁ ସଂପତ୍ତି ଘୋଷଣା କଲେ। କାରଣ ହେଉଛି ଆବିଦାଙ୍କ ପାକିସ୍ତାନ ପଳାୟନ। ଏହା ଜାଣିଲା ପରେ ପଟୌଦି ପରିବାର କୋର୍ଟକୁ ଗଲେ। କୋର୍ଟରେ ଏହି ମାମଲାର ପକ୍ଷ ରହିଲେ ଶର୍ମିଳା ଟାଗୋର, ସୈଫ ଅଲୀ ଖାଁ, ସୋହା ଅଲୀ ଖାଁ, ସବା ଅଲୀ ଖାଁ ଓ ସୈଫଙ୍କ ପିଉସୀ ବା ମନସୁର ଅଲୀ ଖାଁଙ୍କ ଭଉଣୀ ସବିହା ସୁଲତାନ। ଭୋପାଳ ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରି ୨୦୧୫ ମସିହାରେ ଶତ୍ରୁ ସଂପତ୍ତି ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ। ମାତ୍ର, ୨୦୨୪ ଡିସେମ୍ବର ୧୩ ତାରିଖରେ ହାଇକୋର୍ଟ ରହିତାଦେଶ ଉଠାଇ ଦେଇ ଏହା ବିରୋଧରେ ପଟୌଦି ପରିବାର ଚାହିଁଲେ ୩୦ ଦିନ ଭିତରେ ଉପର କୋର୍ଟରେ ଆବେଦନ କରିପାରିବେ ବୋଲି ରାୟ ଦେଇଛନ୍ତି।

ଇତିମଧ୍ୟରେ ୩୦ ଦିନ ବିତିଯାଇଛି। ପଟୌଦି ପରିବାର ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟରେ ଏହା ବିରୋଧରେ ଆବେଦନ କରିଛନ୍ତି କି ନାହିଁ ଜଣାନାହିଁ। ତେବେ ଭୋପାଳର ଜିଲ୍ଲା ମାଜିଷ୍ଟ୍ରେଟ୍‌ କୌଶଳେନ୍ଦ୍ର ବିକ୍ରମ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଆଇନ ଅନୁସାରେ ଶତ୍ରୁ ସଂପତ୍ତିକୁ ସରକାର ଅଧିକାର କରିପାରିବେ। ହାଇକୋର୍ଟଙ୍କ ରାୟ ସ୍ପଷ୍ଟ ହେବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ୨୦୧୯ ମସିହାରେ ଅନ୍ୟ ଏକ ମାମଲାରେ ହାଇକୋର୍ଟ ସାଜିଦା ସୁଲତାନଙ୍କୁ ଭୋପାଳ ନବାବଙ୍କ ଉତ୍ତରାଧିକାରୀ ସାବ୍ୟସ୍ତ କରିସାରିଛି। ଏବେ ଏହି ରାୟର ପ୍ରଭାବ ଶତ୍ରୁ ସଂପତ୍ତି ଆଇନ ଉପରେ କ’ଣ ପଡ଼ୁଛି ତାହା ଦେଖିବାକୁ ବାକି ଅଛି।

Related story