Advertisment

Stampede in Temple: ଦଳାଚକଟା ନେଇ ପୂଜକଙ୍କ ପ୍ରଶ୍ନ- ମୋ ଜମି, ମୋ ମନ୍ଦିର, ମୁଁ କାହିଁକି ପୁଲିସକୁ ସୂଚନା ଦେଇଥା’ନ୍ତି

ଗତକାଲିର ଘଟଣା ପରେ ମନ୍ଦିରକୁ ବନ୍ଦ ରଖାଯାଇଛି। ଏହାର ପ୍ରବେଶ ଦ୍ୱାରରେ ତାଲା ପଡ଼ିଛି। ମନ୍ଦିର ପରିସରେ ପୁଲିସକୁ ମୁତୟନ କରାଯାଇଛି। ମନ୍ଦିରଟି ନିର୍ମାଣାଧୀନ ରହିଥିବା ବେଳେ ୪ ମାସ ତଳେ ଏହାକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଥିଲା।

author-image
Jitendra Garnayak
priest

ମନ୍ଦିର ପୂଜକ

‘ମୁଁ ମୋ ଜମିରେ ମନ୍ଦିର ତିଆରି କରିଛି। ମୁଁ କାହିଁକି ପୁଲିସ ବା ପ୍ରଶାସନକୁ ସୂଚନା ଦେଇଥା’ନ୍ତି? ତୁମେ ମୋ ନାଁରେ ଏକାଧିକ ମାମଲା ରୁଜୁ କରିପାର। ମୋର ସେଥିରେ କିଛି କହିବାର ନାହିଁ।’ ଗତକାଲି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କାଶୀବୁଗ୍ଗା ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ଘଟଣାରେ ଜଣେ ଓଡ଼ିଆ ଯୁବତୀ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏହି ମନ୍ଦିରର ପ୍ରତିଷ୍ଠାତା ହରିମୁକୁନ୍ଦ ପଣ୍ଡା ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ସେ କହିଛନ୍ତି, ଗତକାଲି ଏକାଦଶୀ କାର୍ଯ୍ୟକ୍ରମ ପାଇଁ ମୁଁ ପ୍ରଶାସନକୁ ସୂଚନା ଦେଇ ନଥିଲି। ଆମ ମନ୍ଦିରରେ ସବୁବେଳେ ଅଳ୍ପ ଭିଡ଼ ହୁଏ। ଦର୍ଶନ ପରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ଦିଆଯାଏ ଓ ତା’ପରେ ସେମାନେ ଫେରିଯା’ନ୍ତି। ମୁଁ ସେମାନଙ୍କୁ କିଛି ମାଗେ ନାହିଁ। ମୁଁ ପ୍ରସାଦ ମୋ ନିଜ ଅର୍ଥରେ ପ୍ରସ୍ତୁତ କରେ। କିନ୍ତୁ ଗତକାଲି ସକାଳ ୯ଟା ପରେ ହଠାତ୍ ଭିଡ଼ ବଢ଼ିଥିଲା। ଆମେ ଯେଉଁ ପ୍ରସାଦ ପ୍ରସ୍ତୁତ କରିଥିଲୁ, ତାହା ଶେଷ ହୋଇଯାଇଥିଲା। ଆମକୁ ଅଧିକ ପ୍ରସାଦ ତିଆରି କରିବାକୁ ସମୟ ମିଳିଲା ନାହିଁ। ଏକାଦଶୀରେ ଏତେ ଭିଡ଼ ହେବେ ବୋଲି ମୁଁ ଆଶା କରି ନଥିଲି। 

ଅନ୍ୟପକ୍ଷରେ ଗତକାଲିର ଘଟଣା ପରେ ମନ୍ଦିରକୁ ବନ୍ଦ ରଖାଯାଇଛି। ଏହାର ପ୍ରବେଶ ଦ୍ୱାରରେ ତାଲା ପଡ଼ିଛି। ମନ୍ଦିର ପରିସରେ ପୁଲିସକୁ ମୁତୟନ କରାଯାଇଛି। 

Advertisment

ଦଳାଚକଟା ଘଟଣା ପରେ ଏହି ମନ୍ଦିରରେ ଅନେକଗୁଡ଼ିଏ ତଥ୍ୟ ସାମ୍ନାକୁ ଆସିଛି। ତିରୁମାଲାରେ ଥିବା ବିରାଟକାୟ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି। ଏହା ଚିନ୍ନା ତିରୁପତି ବା ମିନି ତିରୁପତି ଭାବେ ପରିଚିତ। କିନ୍ତୁ ମିନି ତିରୁପତି ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ହିଁ ରାସ୍ତା ଅଛି। ସେ ସଙ୍କୁଚିତ ଓ ଷ୍ଟିଲ୍ ବ୍ୟାରିକେଡ୍‌ ଘେରା ରାସ୍ତାରେ ଭକ୍ତମାନେ ମନ୍ଦିରକୁ ଯାଆନ୍ତି ଓ ଦର୍ଶନ କରି ଫେରନ୍ତି। ସେହିଭଳି ଗତକାଲି ମନ୍ଦିରରେ ସକାଳଠାରୁ ଭିଡ଼ ବଢ଼ିଥିବା ସତ୍ତ୍ୱେ ପ୍ରଶାସନକୁ କୌଣସି ସୂଚନା ଦିଆଯାଇନଥିଲା। ମନ୍ଦିରଟି ନିର୍ମାଣାଧୀନ ରହିଥିବା ବେଳେ ୪ ମାସ ତଳେ ଏହାକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି।

ଗତକାଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଥିଲେ ଯେ ଭିଡ଼ ସଂପର୍କରେ ଆଗୁଆ ସୂଚନା ପାଇଥିଲେ ପୁଲିସ ଏହାକୁ ପରିଚାଳନା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିଥା’ନ୍ତା। ଫଳରେ ଏଭଳି ଅଘଟଣକୁ ଏଡ଼ାଇ ଦିଆଯାଇପାରିଥା’ନ୍ତା। ଏହି ଘଟଣା ପାଇଁ ଦାୟୀ ଲୋକଙ୍କୁ ନିଶ୍ଚିତ କଠୋର ଦଣ୍ଡ ମିଳିବ ବୋଲି କହିଥିଲେ।