Advertisment

ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ସତ୍ତ୍ୱେ ମେୟର ପଦ ହରାଇ ପାରେ ଇଣ୍ଡିଆ ମେଣ୍ଟ

ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ସତ୍ତ୍ୱେ ଇଣ୍ଡିଆ ମେଣ୍ଟ ଚଣ୍ଡିଗଡ଼ ପୌର ପରିଷଦରେ ବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଏପରି କି ମେଣ୍ଟ ହାତରୁ ମେୟର ପଦ ମଧ୍ୟ ଚାଲି ଯାଇପାରେ।

AAP

AAP

Advertisment

ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକକୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଚଣ୍ଡିଗଡ଼ ମେୟର ଭାବେ ଆପ୍‌ ଓ କଂଗ୍ରେସର ମିଳିତ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ସୁପ୍ରିମକୋର୍ଟ ବିଜେତା ଘୋଷଣା କରିଛନ୍ତି।

Advertisment

ଜାନୁଆରୀ ୩୦ରେ ଚଣ୍ଡିଗଡ଼ ମେୟର ପଦ ପାଇଁ ନିର୍ବାଚନ ହୋଇଥିଲା। ରିଟର୍ଣ୍ଣିଂ ଅଫିସର ଆପର ୮ କାଉନସିଲରଙ୍କ ଭୋଟକୁ ନାକଚ କରି ଦେବାରୁ ବିଜେପି ପ୍ରାର୍ଥୀ ସଂଖ୍ୟା ନଥାଇ ମଧ୍ୟ ମେୟର ନିର୍ବାଚନ ଜିତିଥିଲେ। ଏଥିପାଇଁ ସେଦିନ ଆପ ପ୍ରାର୍ଥୀ କୁଲଦୀପ କୁମାର କାନ୍ଦି ପକାଇଥିଲେ। ଏବେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଆପ୍‌ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଛନ୍ତି।

କୁଲଦୀପ କୁମାର ଚଣ୍ଡିଗଡ଼ର ନୂଆ ମେୟର ହୋଇଛନ୍ତି। ସୁପ୍ରିମକୋର୍ଟ କୁଲଦୀପଙ୍କୁ ବିଜେତା ଘୋଷଣା କରିବା ବେଳେ ମେୟର ନିର୍ବାଚନକୁ ପରିଚାଳନା କରିଥିବା ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ପ୍ରବଳ ବର୍ଷିଥିଲେ। ସର୍ବୋଚ୍ଚ ଅଦାଲତକୁ ଅଧିକାରୀ ଜଣଙ୍କ ବିଭ୍ରାନ୍ତ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ମଧ୍ୟ ରହିଛି।

Advertisment

ତେବେ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ସତ୍ତ୍ୱେ ଇଣ୍ଡିଆ ମେଣ୍ଟ ଚଣ୍ଡିଗଡ଼ ପୌର ପରିଷଦରେ ବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଏପରି କି ମେଣ୍ଟ ହାତରୁ ମେୟର ପଦ ମଧ୍ୟ ଚାଲି ଯାଇପାରେ।

ପଞ୍ଜାବରେ କ୍ଷମତାସୀନ ଆପ ଓ ବିରୋଧୀ କଂଗ୍ରେସ ମିଳିତ ଭାବେ ମେୟର ନିର୍ବାଚନ ଲଢ଼ିଥିଲେ। ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ଟେଷ୍ଟ ଥିଲା। ଦୁଇ ଦଳ ପାଖରେ ୨୦ ଜଣ କାଉନସିଲର ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ମନୋଜ ସୋନକର ୧୬ ଭୋଟ ପାଇ ବିଜୟୀ ହୋଇଥିଲେ। ମେଣ୍ଟର ୮ଟି ଭୋଟକୁ ରିଟର୍ଣ୍ଣିଂ ଅଫିସର ଅନୀଲ ମସିହ ନାକଚ କରିଦେବାରୁ ବିଜେପି ମେୟର ପଦ ହାତେଇଥିଲା।

ଅନୀଲ ମସିହ ବିଜେପିକୁ ଜିତାଇବା ପାଇଁ ବାଲଟ ପେପରରେ ହେରଫେର କରିଥିବା ଆପ ଓ କଂଗ୍ରେସ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଅନୀଲ ମସିହା ହେରଫେର କରିଥିବା ହୃଦୟଙ୍ଗମ କରି ଆପ ପ୍ରାର୍ଥୀ କୁଲଦୀପଙ୍କୁ ବିଜେତା ଘୋଷଣା କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଚଣ୍ଡିଗଡ଼ ମେୟର ମନୋଜ ଇସ୍ତଫା ଦେଇଥିଲେ। ବିଜେପି ପୁନଃ ନିର୍ବାଚନ ସପକ୍ଷରେ ରହିଥିଲା। କାରଣ ଆପର ୩ ଜଣ କାଉନସିଲର ଏବେ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି। ହେଲେ ସୁପ୍ରିମକୋର୍ଟ ପୁନଃ ନିର୍ବାଚନ ବିରୋଧରେ ମତ ରଖିଥିଲେ। କୋର୍ଟ ଭିତରେ ଜାନୁଆରୀ ୩୦ରେ ହୋଇଥିବା ଭୋଟର ଗଣତି ହୋଇଥିଲା ଓ ଜଜ ଫଳାଫଳ ଘୋଷଣା କରିଥିଲେ।

କୁଲଦୀପ ମେୟର ହୋଇଥିଲେ ହେଁ ଆପ୍‌ ଓ କଂଗ୍ରେସ ମେଣ୍ଟ ପୌର ପରିଷଦରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାରେ ସମସ୍ୟା ଭୋଗିପାରେ। ପୂର୍ବରୁ ଆପ ପାଖରେ ୧୩ ଜଣ କାଉନସିଲର ଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ୩ ଜଣ ବିଜେପିକୁ ଚାଲି ଯାଇଛନ୍ତି।

ଜାନୁଆରୀ ୩୦ ମେୟର ନିର୍ବାଚନ ବେଳେ ବିଜେପି ପାଖରେ ନିଜର ୧୪ ଜଣ କାଉନସିଲର, ଅକାଳୀ ଦଳର ଜଣେ କାଉନସିଲର ଓ ଚଣ୍ଡିଗଡ଼ ସାଂସଦ କିରଣ ଖେରଙ୍କ ଭୋଟ ରହିଥିଲା। ବିଜେପିକୁ ମୋଟ ୧୬ ଭୋଟ ମିଳିଥିଲା। ଆପ ଓ କଂଗ୍ରେସ ୨୦ ଖଣ୍ଡ ଭୋଟ ପାଇଥିଲେ।

ତେବେ ଆପର ୩ ଜଣ କାଉନସିଲର ପୁନମ ଦେବୀ, ନେହା ମୁସାଭତ ଓ ଗୁରଚରଣ କାଲା ବିଜେପିରେ ମିଶି ଯାଇଛନ୍ତି। ତେଣୁ ୩୬ ଆସନ ବିଶିଷ୍ଟ ପରିଷଦରେ ମେୟର ପଦ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୯। ଆପ୍‌ର ୩ ଜଣ କାଉନସିଲର ଆସିଯିବାରୁ ବିଜେପିର ଭୋଟ ସଂଖ୍ୟା ୧୯ ହୋଇଯାଇଛି।

ଆପ ଓ କଂଗ୍ରେସ ପାଖରେ ଆଉ ୧୭ ଜଣ କାଉନସିଲର ରହିଛନ୍ତି। ତେଣୁ ପରିଷଦ ଆରମ୍ଭ ହେବା ବେଳେ ବିଜେପି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ଆପ ଓ କଂଗ୍ରେସକୁ କହିପାରେ। ଏପରି ସ୍ଥିତିରେ ଆପ ଓ କଂଗ୍ରେସ କେମିତି ମେୟର ପଦ ବଞ୍ଚାଇବେ, ତା’ ହିଁ ସବୁଠାରୁ ବଡ଼ ପ୍ରଶ୍ନ।

Congress AAP Chandigarh Mayor Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe