/odisha-reporter/media/post_attachments/uploadimage/library/16_9/16_9_0/OP_1746590359.jpg)
OP
ପହଲଗାମର ବଦଲା ନେଇଛି ଭାରତୀୟ ସେନା। ଏପ୍ରିଲ ୨୨ ବୈସାରନ ଭ୍ୟାଲି ନରସଂହାରର ୧୫ ଦିନ ପରେ ପାକିସ୍ତାନ ଉପରେ କରାଯାଇଛି ସବୁଠାରୁ ବଡ଼ ଆକ୍ରମଣ। ସ୍ଥଳ, ବାୟୁ ଓ ନୌସେନା ମିଳିତ ଭାବେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ କରିଛନ୍ତି ଶତାବ୍ଦୀର ସବୁଠାରୁ ବଡ଼ ହମଲା। ଜୈଶ ଠାରୁ ଆରମ୍ଭ କରି ଲସ୍କର ଓ ହିଜବୁଲର ଏକାଧିକ ଟେରର କ୍ୟାମ୍ପ ମିସାଇଲ ମାଡ଼ରେ ହୋଇଛି ଛାରଖାର।
ରାତି ପ୍ରାୟ ୧.୪୪ରେ ପୂରା ପାକିସ୍ତାନ ଓ ଭାରତ ଶୋଇଥିବା ବେଳେ ଭାରତୀୟ ସେନା ଆତଙ୍କବାଦ ବିରୋଧରେ କରିଛି ପ୍ରଚଣ୍ଡ ପ୍ରହାର। ପାକିସ୍ତାନ ସେନା ଓ ସରକାର କିଛି ବୁଝିବା ଆଗରୁ ଭାରତୀୟ ଯୁଦ୍ଧ ବିମାନ ୯ଟି ଟାର୍ଗେଟକୁ ଧ୍ୱଂସ କରି ଦେଇଛନ୍ତି। ପାକିସ୍ତାନର ୪ଟି ଓ ପିଓକେର ୫ଟି ସ୍ଥାନରେ ଭାରତ କରିଛି ମିସାଇଲ ଷ୍ଟ୍ରାଇକ। ଅପରେସନ ସିନ୍ଦୂର ନାଁରେ ସବୁ କିଛି ସଫଳତାର ସହ କରାଯାଇଛି।
ପୂର୍ବରୁ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ପିଓକେରେ କରାଯାଇଥିଲା। ହେଲେ ୧୯୭୧ ମସିହା ପରେ ପ୍ରଥମଥର ପାଇଁ ଭାରତୀୟ ସେନା ପାକିସ୍ତାନରେ ପଶି କୌଣସି ଆକ୍ରମଣ କରିଛି। ଭାରତର ଏପରି ଆଭିମୁଖ୍ୟ ଦେଖି ନାଲି ଆଖି ଦେଖାଉଥିବା ପାକିସ୍ତାନ ପୂରା ସ୍ତବ୍ଧ ହୋଇଯାଇଛି।
ଜୈଶ-ଇ-ମହମ୍ମଦର ବାହାବଲପୁର ସ୍ଥିତ ମୁଖ୍ୟାଳୟରେ ହୋଇଥିବା ମିସାଇଲ ଆଟାକ ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ସେହିପରି ହମଲାରେ ଜୈଶ ମୁଖିଆ ମୌଲାନା ମସୁଦ ଆଝାର ପ୍ରାଣ ହରାଇଛି କି ନାହିଁ, ତା’ର ମଧ୍ୟ ଯାଞ୍ଚ କରାଯାଉଛି। କୋଟଲିରେ ଥିବା ହାଫିଜ ସୟିଦର ଲସ୍କର-ଇ-ତାଏବା ଉପରେ ମଧ୍ୟ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଛି। ୯ଟି ସ୍ଥାନରେ ହୋଇଥିବା ମିସାଇଲ ଷ୍ଟ୍ରାଇକରେ ୮୦ରୁ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି।
ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତାଏବା ଓ ହିଜବୁଲ ମୁଜାହିନ୍ଦିନର ମୋଟ ୯ଟି ଭିତ୍ତିଭୂମିକୁ ଧ୍ୱଂସ କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ ଥିବା ବାହାବଲପୁରରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟାଳୟ। ଏହା ଅନ୍ତର୍ଜାତୀୟ ସୀମା ରେଖା ଠାରୁ ପ୍ରାୟ ୧୦୦ କିମି ଦୂର। ଏହି ସହରକୁ ଜୈଶ ଅପରେସନର ନର୍ଭ ସେଣ୍ଟର ଭାବେ ବିବେଚନା କରାଯାଏ। ଏହି ସ୍ଥାନଟି ୨୦୧୯ ପୁଲୱାମା ଆକ୍ରମଣ ଠାରୁ ଭାରତୀୟ ସୁରକ୍ଷା ଏଜେନ୍ସିର ରାଡାରରେ ଥିଲା।
ବାହାବଲପୁରରେ ଥିବା ସୁଭାନ ଆଲ୍ଲା ମସଜିଦକୁ ଟାର୍ଗେଟ କରି ମିସାଇଲ ମାଡ଼ କରାଯାଇଛି। ମିସାଇଲ ମାଡ଼ରେ ଏହା ପୂରା ଛିନଛତ୍ର ହୋଇଯାଇଛି। ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ସୁରକ୍ଷାକର୍ମୀ ଟାର୍ଗେଟ କରି ହୋଇଥିବା ହମଲା ବ୍ଲୁ ପ୍ରିଣ୍ଟ ଏହି ଠାରେ ହିଁ ପ୍ରସ୍ତୁତ ହୋଇଥିଲା। ଏଠାରେ ଜୈଶର ସଦସ୍ୟମାନଙ୍କୁ ତାଲିମ ଦିଆଯାଏ ଓ ସେମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରାଯାଏ।
ଆଉ ଏକ ପ୍ରମୁଖ ଟାର୍ଗେଟ ହେଉଛି ମୁରିଦକେ। ଏହା ଭାରତ-ପାକିସ୍ତାନ ସୀମା ଠାରୁ ୩୦ କିମି ଦୂର। ସାମ୍ବାର ଅପରପାର୍ଶ୍ୱରେ ଏହା ରହିଛି। ଏଠାରେ ଲସ୍କରର ଗୋଟିଏ କ୍ୟାମ୍ପ ରହିଥିଲା। ଏହି କ୍ୟାମ୍ପରେ ୨୬/୧୧ ମୁମ୍ବାଇ ଆକ୍ରମଣର ଯୋଜନା ହୋଇଥିଲା।
ଭାରତୀୟ ସେନା ପିଓକେର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ମିସାଇଲ ମାଡ଼ କରିଛନ୍ତି। ତଙ୍ଗଧର ସେକ୍ଟରରେ ଭାରତୀୟ ମିସାଇଲ ସାୱାଇ କ୍ୟାମକୁ ହିଟ କରିଛି। ଏହି କ୍ୟାମ୍ପଟି ଲସ୍କରର ହବ ଭାବେ ପରିଚିତ ଥିଲା। ଏହି କ୍ୟାମ୍ପର ଲିଙ୍କ ସୋନମାର୍ଗ(୨୦୨୪ ଅକ୍ଟୋବର ୨୦), ଗୁଲମର୍ଗ(୨୦୨୪, ଅକ୍ଟୋବର ୨୪) ଓ ନିକଟରେ ହୋଇଥବା ପହଲଗାମ ହମଲା ସହ ରହିଥିଲା।
ପୁଞ୍ଚ-ରଜୌରୀ ବେଲ୍ଟ ସ୍ଥିତ ଏଲଓସି ଠାରୁ ୩୫ କିମି ଦୂରରେ ରହିଥିବା ଗୁଲପୁରରେ ବି ହମଲା ହୋଇଛି। ଏଠାରେ ଥିବା କ୍ୟାମ୍ପରୁ ଆତଙ୍କବାଦୀମାନେ ୨୦୨୩ ଏପ୍ରିଲରେ ପୁଞ୍ଚ ଠାରେ ଭାରତୀୟ ସେନାକୁ ଟାର୍ଗେଟ କରିଥିଲା। ସେହିପରି ୨୦୨୪ ଜୁନ ମାସରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ବସ ଉପରେ ହୋଇଥିବା ଆକ୍ରମଣର ଲିଙ୍କ ଏହି କ୍ୟାମ୍ପ ସହ ରହିଥିଲା।
ପହଲଗାମ ହମଲା ଠାରୁ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଳିତ ଭାବେ ଆତଙ୍କବାଦୀଙ୍କ କ୍ୟାମ୍ପଗୁଡ଼ିକୁ ଚିହ୍ନଟ କରିଥିଲେ। ସେମାନେ ଚିହ୍ନଟ କରିଥିବା ୯ଟି ସ୍ଥାନରେ ମିସାଇଲ ଆଟାକ ହୋଇଛି। ଗୁଇନ୍ଦା ତଥ୍ୟ ଆଧାରରେ ତିନି ସେନା ଆକ୍ରମଣ କରିଛନ୍ତି।
କେଉଁ ସବୁ ସ୍ଥାନକୁ ଟାର୍ଗେଟ କରାଯାଇଛି?
୧- ବାହାବଲପୁର: ଅନ୍ତର୍ଜାତୀୟ ସୀମା ଠାରୁ ୧୦୦ କିମି ଦୂର(ଜୈଶ ମୁଖ୍ୟାଳୟ)
୨- ମୁରିଦକେ: ଏଲଓସି ଠାରୁ ୩୦ କିମି ଦୂର( ୨୬/୧୧ ହମଲା ସହ ଲିଙ୍କ ରହିଥିବା ଲସ୍କର କ୍ୟାମ୍ପ)
୩- ଗୁଲପୁର: ପୁଞ୍ଚ-ରଜୌରୀ ଠାରୁ ୩୫ କିମି ଦୂର(୨୦୨୩ ଏପ୍ରିଲରେ ପୁଞ୍ଚ ଓ ୨୦୨୪ ଜୁନରେ ବସ ହମଲାର ଲିଙ୍କ)
୪- ସୱାଇ: ପିଓକେର ୩୦ କିମି ଭିତରେ ଥିବା ଗୋଟିଏ ସ୍ଥାନ(ସୋନମାର୍ଗ, ଗୁଲମାର୍ଗ ଓ ପହଲଗାମ ହମଲାର ଲିଙ୍କ ଥିଲା)
୫- ବିଲାଲ କ୍ୟାମ୍ପ: ଜୈଶର ଟେରର ଲଞ୍ଚ ପ୍ୟାଡ
୬- କୋଟଲି କ୍ୟାମ୍ପ: ରଜୌରୀର ବିପରୀତି ଦିଗରେ ଏଲଓସି ଠାରୁ ୧୫ କିମି ଦୂର(ଲସ୍କରର ବୋମା ପ୍ରସ୍ତୁତ କରାଯାଉ କ୍ୟାମ୍ପ)
୭- ବର୍ଣ୍ଣାଲା କ୍ୟାମ୍ପ: ଏଲଓସି ଠାରୁ ୧୦ କିମି ଦୂର
୮- ସର୍ଜାଲ କ୍ୟାମ୍ପ: ଅନ୍ତର୍ଜାତୀୟ ସୀମା ଠାରୁ ୮ କିମି(ଜୈଶ କ୍ୟାମ୍ପ)
୯- ମେହମୁନା କ୍ୟାମ୍ପ: ଆଇବି ଠାରୁ ୧୫ କିମି ଦୂର ସିଆଲ କୋଟ ନିକଟରେ(ହିଜବୁଲ ମୁଜାହିଦ୍ଦିନର ଟ୍ରେନିଂ କ୍ୟାମ୍ପ)
କାହିଁକି ଏସବୁ ସ୍ଥାନକୁ ଟାର୍ଗେଟ କରାଗଲା?
ଭାରତୀୟ ସେନା ମିସାଇଲ ମାଡ଼ କରିଥିବା ୯ଟି ସ୍ଥାନର ଲିଙ୍କ ବଡ଼ବଡ଼ ଆତଙ୍କବାଦୀ ହମଲା ଓ ଅନୁପ୍ରବେଶ ସହ ରହିଥିଲା। ଭାରତୀୟ ଗୁଇନ୍ଦା ସଂସ୍ଥା ସର୍ଭେଲାନ୍ସ ଜରିଆରେ ଏହାକୁ ଚିହ୍ନଟ କରିଥିଲା। ନିର୍ଭରଯୋଗ୍ୟ ଗୁଇନ୍ଦା ତଥ୍ୟକୁ ଆଧାର କରି ଭାରତୀୟ ସେନା ସେହିଗୁଡ଼ିକୁ ଧ୍ୱଂସ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
