PAC
ମୋ ପତ୍ନୀ ଓ ମୋ ଭିତରେ ପ୍ରବଳ ଝଗଡ଼ା ହେଲା। ଏହାପରେ ଆମେ ଶୋଇବାକୁ ଚାଲିଗଲୁ। ହେଲେ ପତ୍ନୀ ମୋ ସ୍ୱପ୍ନରେ ଆସିଲେ। ସେ ମୋ ଛାତି ଉପରେ ବସି ମୋ ରକ୍ତ ପିଇବାକୁ ଲାଗିଥିଲେ। ଏହି କାରଣ ପାଇଁ ମୁଁ ରାତିରେ ଠିକ ଭାବେ ଶୋଇ ପାରି ନଥିଲେ। ତେଣୁ ତା’ ପରଦିନ ଠିକ ସମୟରେ କାର୍ଯ୍ୟରେ ଯୋଗ ଦେଇ ପାରି ନଥିଲି।
ଗୋଟିଏ କାରଣ ଦର୍ଶାଅ ନୋଟିସର ଏପରି କିଛି ଜବାବ ଦେଇଛନ୍ତି ଉତ୍ତର ପ୍ରଦେଶର ପାରାମିଲିଟାରୀ ଫୋର୍ସ ପ୍ରଦେଶିକ ସଶସ୍ତ୍ର କନଷ୍ଟାବୁଲାରୀ ବା ପିଏସିର ଜଣେ କନଷ୍ଟେବଲ। ଗୁରୁତ୍ୱପୂର୍ଣ୍ଣ ସୂଚନା ସମ୍ପର୍କରେ ଅବଗତ କରାଇବା ପାଇଁ ତାଙ୍କ ଠିକ ସମୟରେ ଅଫିସ ଆସିବାକୁ କୁହାଯାଇଥିଲା। କିନ୍ତୁ ସେ ବିଳମ୍ବରେ ଆସିବାରୁ ତାଙ୍କୁ ଉପରସ୍ଥ ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।
ଏହାର ଜବାବରେ କନଷ୍ଟେବଲ ଜଣଙ୍କ ଲେଖିଥିବା ଚିଠିକୁ ଲକ୍ଷାଧିକ ଲୋକ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ କନଷ୍ଟେବଲ ଜଣଙ୍କ ପିଏସିର ୪୪ ବାଟାଲିୟନ କମାଣ୍ଡରଙ୍କ ନିକଟକୁ ଲେଖିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ପିଏସିର ୪୪ ବାଟାଲିୟନ ଜି-ସ୍କ୍ୱାଡ କମାଣ୍ଡର ମଧୁ ସୁଦନ ଶର୍ମା ଫେବୃଆରୀ ୧୭ରେ ନୋଟିସ କରିଥିଲେ। ପୂର୍ବ ସୂଚନା ସତ୍ତ୍ୱେ କାହିଁକି କନଷ୍ଟେବଲ ଜଣଙ୍କ ଗୁରୁତ୍ୱପୂର୍ଣ୍ଣ ବ୍ରିଫିଙ୍ଗ ପାଇଁ ଡ୍ୟୁଟି ସମୟ ୯ଟାରେ ଆସି ନଥିଲେ ବୋଲି କମାଣ୍ତର ପ୍ରଶ୍ନ କରିଥିଲେ।
ଏଥିସହ କନଷ୍ଟେବଲ ଜଣଙ୍କ କାହିଁକି ଦାଢ଼ି ଓ ଚୁଟି କାଟି ନଥିଲେ ଏବଂ ୟୁନିଫର୍ମ ଠିକ ଭାବେ ପିନ୍ଧି ନଥିଲେ, ସେସମ୍ପର୍କରେ ମଧ୍ୟ ଉତ୍ତର ଦେବାକୁ ନୋଟିସରେ କୁହାଯାଇଥିଲା। କନଷ୍ଟେବଲଙ୍କୁ ଦିନକ ମଧ୍ୟରେ ପିଏସି ଅଫିସରେ ନୋଟିସର ଲିଖିତ ଜବାବ ଦାଖଲ କରିବାକୁ କୁହାଯିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଇଥିଲା।
ନୋଟିସର ଜବାବରେ କନଷ୍ଟେବଲ ଜଣଙ୍କ ସମସ୍ତଙ୍କୁ ଚକିତ କରିବା ଭଳି ଜବାବ ଦେଇଛନ୍ତି। ସେ ଭୋଗୁଥିବା ଯନ୍ତ୍ରଣା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା କଥା ଯେ ବ୍ୟକ୍ତିଗତ କାରଣ ପାଇଁ ସେ ରାତିରେ ଠିକ ଭାବେ ଶୋଇ ପାରି ନଥିଲେ। ତେଣୁ ଫେବୃଆରୀ ୧୬ ତାରିଖ ଦିନ ବିଳମ୍ବରେ ଡ୍ୟୁଟିକୁ ଆସିଥିଲେ।
ପତ୍ନୀଙ୍କ ସହ ତାଙ୍କର ପ୍ରବଳ ଝଗଡ଼ା ଚାଲିଛି। ୧୫ ତାରିଖରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାତି ସମୟରେ ପତ୍ନୀ ତାଙ୍କ ସ୍ୱପ୍ନରେ ଆସି ଛାତି ଉପରେ ବସିଥିଲେ। ଏହାପରେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ରକ୍ତ ପିଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ କନଷ୍ଟେବଲ ଜଣଙ୍କ ଡରି ଯାଇ ଶୋଇ ପାରି ନଥିଲେ। ଡିପ୍ରେସନ ପାଇଁ ସେ ମେଡିସନ ମଧ୍ୟ ଖାଉଥିବା ଚିଠିରେ ଲେଖିଛନ୍ତି। ତାଙ୍କ ମା’ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଥିବାରୁ ଏଥିପାଇଁ ସେ ସବୁବେଳେ ଚିନ୍ତାରେ ରହୁଛନ୍ତି।
ଚିଠିରେ କନଷ୍ଟେବଲ ଜଣଙ୍କ ଆହୁରି କହିଛନ୍ତି ଯେ ସେ ବର୍ତ୍ତମାନ ଅସହାୟ ଅନୁଭବ କରୁଛନ୍ତି ଓ ବଞ୍ଚିବାକୁ ତାଙ୍କର ଆଉ ଇଚ୍ଛା ନାହିଁ। ନାଟକୀୟ ଢଙ୍ଗରେ ନିଜର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କେମିତି ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରି ଏହି ଯନ୍ତ୍ରଣାରୁ ମୁକ୍ତି ପାଇବେ, ତା’ର ବାଟ କହିବାକୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ପିଏସିର ୪୪ ବାଟାଲିୟନର କମାଣ୍ଡାଣ୍ଟ ସତ୍ୟେନ୍ଦ୍ର ପଟେଲ କହିଛନ୍ତି ଯେ ସେମାନେ ଚିଠିରେ କରାଯାଇଥିବା ଦାବିର ତଦନ୍ତ କରୁଛନ୍ତି। ସେ କହିଛନ୍ତି, “କର୍ମଚାରୀ ଜଣଙ୍କ କିଏ? ତାଙ୍କ ସମସ୍ୟା କ’ଣ? ସେସବୁର ତଦନ୍ତ କରାଯାଉଛି। ଯଦି କେହି କାଉନସେଲିଂ ଚାହୁଁଛନ୍ତି, ଏହା କରାଯିବ। ଯଦି କାହାକୁ ବିଭାଗୀୟ ସହଯୋଗ ଦରରକାର, ସେସବୁ ମଧ୍ୟ ପୂର୍ବରୁ କରାଯାଇଛି ଓ ଆଗକୁ କରାଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PAC_1741175120.jpg)