/odisha-reporter/media/post_attachments/uploadimage/library/16_9/16_9_0/Amit_Shah_1682319577.jpg)
Amit Shah
ତେଲେଙ୍ଗାନାର କ୍ଷମତାସୀନ ବିଆରଏସ ସରକାର ମୁସଲିମ ସଂପ୍ରଦାୟର ଲୋକମାନଙ୍କ ପାଇଁ ଲାଗୁ କରୁଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅସମ୍ବିଧାନିକ କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ। ଏଥିସହ ବିଜେପି ଯଦି କ୍ଷମତାକୁ ଆସିବ, ତା’ହେଲେ ଏହି ମୁସଲିମ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।
ତେଲେଙ୍ଗାନାରେ ଆୟୋଜିତ ଗୋଟିଏ ରାଲିରେ ଅମିତ ଶାହ କହିଛନ୍ତି, “ଶିକ୍ଷାନୁଷ୍ଠାନରେ ଆମେ ମୁସଲିମ ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରିବୁ। ସଂରକ୍ଷଣ ବ୍ୟବସ୍ଥା ହେଉଛି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କର ସାମ୍ବିଧାନିକ ଅଧିକାର। ସେମାନେ କେମିତି ଏଥିରୁ ଫାଇଦା ପାଇବେ, ସେ ବ୍ୟବସ୍ଥା ଆମେ କରିବୁ।”
ତେଲେଙ୍ଗାନାର କ୍ଷମତାସୀନ କେ ଚନ୍ଦ୍ରଶେଖର ରାଓ(କେସିଆର) ସରକାର ମୁସଲିମ ସଂରକ୍ଷଣ ବ୍ୟବସ୍ଥାକୁ ୪%ରୁ ୧୨%କୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅମିତ ଶାହ ଏପରି ବୟାନ ଦେଇଛନ୍ତି।
ଗତମାସରେ କର୍ଣ୍ଣାଟକାର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କ ୪% ଓବିସି ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲେ। ଅବଶ୍ୟ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ମେ’ ୧୦ରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ସରକାର ମୁସଲିମ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି।
ଏବେ ହାଇଦ୍ରାବାଦ ଠାରୁ ୪୬ କିମି ଦୂର ଚେଭେଲ୍ଲାରେ ଆୟୋଜିତ ରାଲିରେ ଅମିତ ଶାହ ଦମ୍ଭୋକ୍ତି କରିଛନ୍ତି ଯେ ୨୦୨୪ରେ ନରେନ୍ଦ୍ର ମୋଦି ଖୁବ ସହଜରେ ପୁଣି କ୍ଷମତାକୁ ଫେରିବେ। ଦୁର୍ନୀତିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଟିଆରଏସ୍କୁ ବିଆରଏସ୍ କରାଯାଇଛି। ବିଆରଏସକୁ ନ ହଟାଇବା ଯାଏ ବିଜେପି ଚୁପ ରହିବ ନାହିଁ।
ପ୍ରଧାନମନ୍ତ୍ରୀ ହେବା ଓ ପୂରା ଦେଶ ବୁଲିକାବୁ କେସିଆର ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ ତାଙ୍କୁ ପ୍ରଥମେ ନିଜ ଗଡ଼ ଦେଖିବାକୁ ପଡ଼ିବ। କାରଣ ଏଠାରେ ତାଙ୍କ ସ୍ଥିତି ଦୋହଲିବା ଆରମ୍ଭ କଲାଣି। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ସମର୍ଥନ ଦିଅନ୍ତୁ। ଖୁବଶୀଘ୍ର ଗୋଟିଏ ଟ୍ରେଲର ସାମ୍ନାକୁ ଆସିବ। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣନ୍ତୁ ବୋଲି ଶାହ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ବିଆରଏସ୍କୁ ଜାତୀୟ ଦଳ ଭାବେ ଗଢ଼ି ତୋଳିବା ପାଇଁ କେସିଆର ଉଦ୍ୟମ କରୁଛନ୍ତି। ଏଥିପାଇଁ କେସିଆର ମହାରାଷ୍ଟ୍ରରେ ଏକାଧିକ ରାଲି କରିଥିଲେ। ଏହାପରେ ଅମିତ ଶାହଙ୍କ ବୟାନ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
