ହିଜାବ ବ୍ୟାନ ପ୍ରସଙ୍ଗ: ଝିଅମାନଙ୍କୁ ବିନ୍ଦି-ତିଲକ ଲଗାଇବାକୁ ବ୍ୟାନ କରିବେ କି?

କଲେଜକୁ ହିଜାବ ବ୍ୟାନ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ।

ପ୍ରତିକାତ୍ମକ ଚିତ୍ର

  • Published: Friday, 09 August 2024
  • , Updated: 09 August 2024, 05:39 PM IST

କଲେଜରେ ହିଜାବ ବ୍ୟାନ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ମୁମ୍ବାଇର ଏକ କଲେଜରେ ମୁସଲିମ ଝିଅମାନଙ୍କୁ ହିଜାବ ପିନ୍ଧି ଆସିବାକୁ ବାରଣ କରାଯିବାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏପରି ନିଷେଧାଦେଶ ଲାଗୁ ହେବା ଦୁର୍ଭାଗ୍ୟଜନକ।

ଝିଅମାନଙ୍କୁ ସେମାନେ କଣ ପିନ୍ଧିବେ କହି କିପରି ସେମାନଙ୍କୁ ସଶକ୍ତକରଣ କରୁଥିଲେ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ଅଦାଲତ କହିଛନ୍ତି, କଲେଜକୁ ଝିଅମାନେ ହିଜାବ, କ୍ୟାପ୍, ଷ୍ଟଲ୍ ଇତ୍ୟାଦି ପିନ୍ଧି ଆସିପାରିବେ, ଏହି ଆଦେଶର ଅପବ୍ୟବହାର ହୋଇପାରିବ ନାହିଁ। 

ସୂଚନା ଅନୁସାରେ, ମୁମ୍ବାଇର ଚେମ୍ବୁର ସ୍ଥିତ ଏନଜି ଆଚାର୍ଯ୍ୟ ଓ ଡିକେ ମରାଠୀ କଲେଜରେ ଝିଅମାନଙ୍କୁ ବୁର୍କା, ହିଜାବ, ନିକାବ, କ୍ୟାପ୍ ଏବଂ ଷ୍ଟଲ୍ ପିନ୍ଧି ଆସିବାକୁ ବାରଣ କରାଯାଇଥିଲା। ଏହାକୁ ନେଇ 9 ଜଣ ଛାତ୍ରୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଆବେଦନ ଖାରଜ ହୋଇଯିବା ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଆଜି ସର୍ବୋଚ୍ଚ ଅଦାଲତର ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ପିଭି ସଞ୍ଜୟ କୁମାର ଶୁଣାଣି କରି କଲେଜ ଆଦେଶକୁ ଖାରଜ କରି ଦେଇଛନ୍ତି। ଏଥିସହ ଝିଅମାନଙ୍କୁ ବୁର୍କା, ହିଜାବ, ନିକାବ, କ୍ୟାପ୍ ଏବଂ ଷ୍ଟଲ୍ ଆଦି ପିନ୍ଧି ଆସିବାକୁ ଅନୁମତି ଦେଇଛନ୍ତି। 

ଏହି ମାମଲାର ଶୁଣାଣି ସମୟରେ କଲେଜ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମାଧବୀ ଦିଭାନ କହିଥିଲେ, ଯଦି ଝିଅମାନଙ୍କୁ ବୁର୍କା ପିନ୍ଧିବାକୁ ଅନୁମତି ଦିଆଯାଏ, ତେବେ ଅନ୍ୟ ଛାତ୍ରୀମାନେ ଗେରୁଆ ଚାଦର ପିନ୍ଧି ଆସିବେ, ଯାହା ରାଜନୈତିକ ଦୃଷ୍ଟିକୋଣ ସୃଷ୍ଟି କରିପାରେ। ଏହା ନ ଘଟୁ ବୋଲି କଲେଜ ଏପରି ନିୟମ ଆଣିବାକୁ ଚାହୁଁଛି।   

ଏହାର ଜବାବରେ କୋର୍ଟ କହିଛନ୍ତି, "ଆପଣ ଝିଅମାନଙ୍କୁ ବିନ୍ଦି କିମ୍ବା ତିଲକ ଲଗାଇବାକୁ ବାରଣ କରିବେ କି?" 

ଏହାପରେ ମାଧବୀ ଦିଭାନ କହିଥିଲେ, "କଲେଜରେ ବିଭିନ୍ ସମ୍ପ୍ରଦାୟର ପ୍ରାୟ 441 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଯଦି ଜଣେ ଝିଅ କୌଣସି ଭିନ୍ନ ଧରଣର ପୋଷାକ ପରିଧାନ କରି ଆସୁଛନ୍ତି, ତେବେ ତାହା ଅନ୍ୟମାନଙ୍କ ସହ ମିଳାମିଶା କରିବାରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏହା ଧାର୍ମିକ ଭେଦଭାବ ମଧ୍ୟ ସୃଷ୍ଟି କରିପାରେ। ତେଣୁ ଛାତ୍ରୀମାନଙ୍କୁ କଲେଜ ପ୍ରବେଶ କରିବା ପୂର୍ବରୁ ହିଜାବ କିମ୍ବା ବୁର୍ଖା ବଦଳାଇବାକୁ କଲେଜରେ ରୁମ୍ ବ୍ୟବସ୍ଥା କରାଯାଇଛି।"

ଏହାକୁ ନେଇ କୋର୍ଟ କହିଥିଲେ, "ହୁଏତ ଆପଣ ଯାହା କହୁଛନ୍ତି, ତାହା ଠିକ୍ ହୋଇପାରେ। କିନ୍ତୁ ଛାତ୍ରୀମାନେ ଯେଉଁ ପୃଷ୍ଠଭୂମିରୁ ଆସୁଛନ୍ତି, ସେମାନଙ୍କୁ ସେମାନଙ୍କ ପରିବାର ସଦସ୍ୟ ଏଗୁଡ଼ିକୁ ପିନ୍ଧିବାକୁ ପଡ଼ିବ ବୋଲି କହିଥାଉପାରନ୍ତି। କିନ୍ତୁ ସମସ୍ତେ ଏଠାକି ପାଠ ପଢ଼ିବା ଉଚିତ୍। କେବଳ ପୋଷାକ ନୁହେଁ, ନାମରୁ ମଧ୍ୟ ଧର୍ମ ବିଷୟରେ ଜାଣି ହେବ।"

କୋର୍ଟ ଆହୁରି କହିଛନ୍ତି ଯେ, ଝିଅମାନେ କଣ ପିନ୍ଧିବେ କହି କିପରି ସେମାନଙ୍କୁ ସଶକ୍ତ କରୁଛନ୍ତି? ଝିଅମାନେ କଣ ପିନ୍ଧିବାକୁ ଚାହୁଁଛନ୍ତି, ତାହା ସେମାନଙ୍କ ଉପରେ ଛାଡ଼ିଦେବା ଉଚିତ୍। ସେମାନଙ୍କ ପସନ୍ଦ ଅନୁସାରେ, ସେମାନେ ପିନ୍ଧିପାରିବେ। ସ୍ୱାଧୀନତାର ଏତେ ବର୍ଷ ପରେ ଏଭଳି ନିଷେଧାଦେଶ ବିଷୟରେ ଆଲୋଚନା କରାଯିବା ଦୁର୍ଭାଗ୍ୟଜନକ ବୋଲି ଜଷ୍ଟିସ ସଞ୍ଜୟ କୁମାର କହିଛନ୍ତି।

Related story