Advertisment

ପରସ୍ପରର ଡେଣାରେ ପିଟି ହେଲେ ଦୁଇ ବିମାନ, ଆଉ ତା’ ପରେ

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ମୋଟ ୧୬୩ ଜଣ ଲୋକ ରହିଥିଲେ। ଏମାନଙ୍କ ମଧ୍ୟରେ କ୍ରୁ ସଦସ୍ୟଙ୍କ ସଂଖ୍ୟା ୬ ରହିଥିଲା। ସେହିପରି ଇଣ୍ଡିଗୋ ବିମାନରେ ୬ କ୍ୟାବିନ କ୍ରୁଙ୍କୁ ମିଶାଇ ୧୪୯ ଜଣ ରହିଥିଲେ।

author-image
Hemant Lenka
Flight

Flight

ଦୁଇ ବିମାନ ମଧ୍ୟରେ ଘଟିଛି ଦୁର୍ଘଟଣା। କୋଲକାତା ଏୟାର ପୋର୍ଟରେ ଦୁଇଟି ବିମାନ ପରସ୍ପର ଡେଣାରେ ପିଟି ହୋଇ ଯାଇଛନ୍ତି। ଇଣ୍ଡିଗୋ ବିମାନର ଡେଣା ଏୟାର ଇଣ୍ଡିଆନ ଏକ୍ସପ୍ରେସ ବିମାନର ଡେଣାରେ ପିଟି ହୋଇଛି। ଦୁଇଟି ଯାକ ବିମାନ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

Advertisment

ଇଣ୍ଡିଗୋ ବିମାନଟି କୋଲକାତାରୁ ବିହାରର ଦରଭଙ୍ଗା ଯିବାର ଥିଲା। ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସ ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିଲା। ବୁଧବାର ଦିନ ୧୧.୧୦ରେ ପୂରା ଘଟଣା ଘଟିଛି। ଦୁର୍ଘଟଣା ବେଳେ ଉଭୟ ବିମାନରେ ଯାତ୍ରୀମାନେ ରହିଥିଲେ। ସେମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ମୋଟ ୧୬୩ ଜଣ ଲୋକ ରହିଥିଲେ। ଏମାନଙ୍କ ମଧ୍ୟରେ କ୍ରୁ ସଦସ୍ୟଙ୍କ ସଂଖ୍ୟା ୬ ରହିଥିଲା। ସେହିପରି ଇଣ୍ଡିଗୋ ବିମାନରେ ୬ କ୍ୟାବିନ କ୍ରୁଙ୍କୁ ମିଶାଇ ୧୪୯ ଜଣ ରହିଥିଲେ।

Advertisment

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ରନୱେକୁ ଯିବା ପାଇଁ ଅନୁମତି ଅପେକ୍ଷାରେ ରହିଥିଲା। ଏହି ସମୟରେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଇଣ୍ଡିଗୋ ବିମାନ ଧୀରେଧୀରେ ଆଗକୁ ଯାଉଥିଲା। ହଠାତ୍‌ ଇଣ୍ଡିଗୋ ବିମାନ ଆଗକୁ ମାଡ଼ି ଯିବା ସହ ଅନୁମତି ଅପେକ୍ଷାରେ ଛିଡ଼ା ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଡେଣାରେ ପିଟି ହୋଇ ଯାଇଥିଲା।

ଏଥିରେ ଦୁଇଟି ଯାକ ବିମାନ କ୍ଷତିଗ୍ରସ୍ତ ହୋଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଡେଣା ଧକ୍କା ହେବା ପରେ ଭାଙ୍ଗି ଯାଇ ତଳେ ପଡ଼ି ଯାଇଥିଲା। ସେହିପରି ଇଣ୍ଡିଗୋ ବିମାନର ଡେଣା ବଙ୍କା ହୋଇ ଯାଇଥିଲା।

ଘଟଣା ପରେ ଉଭୟ ବିମାନର ଉଡ଼ାଣକୁ ବାତି କରାଯାଇଥିଲା। ସେହିପରି ଯାତ୍ରୀମାନଙ୍କ ପାଇଁ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଅନ୍ୟ ବିମାନରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା।

ଘଟଣା ପରେ ଦୁଇଟି ଯାକ ବିମାନର ପାଇଲଟଙ୍କ ଡ୍ୟୁଟି ଛୁଟି କରି ଦିଆଯାଇଛି। ବିମାନର ମରାମତି କରାଯାଇଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Indigo Airlines Kolkata Air India Flight