Advertisment

ପିଲାଙ୍କ ସହ ଶୋଇଥିଲେ ମହିଳା, ଗୋଡ଼ରେ ଛନ୍ଦି ହୋଇଗଲା ନାଗ ସାପ

ସାପଟି ମହିଳାଙ୍କ ଗୋଡ଼ରେ ୩ ଘଣ୍ଟା କାଳ ଗୁଡ଼ାଇ ହୋଇ ରହିଥିବା ବେଳେ ଭଗବାନଙ୍କୁ ଡାକିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନ ଥିଲା।

author-image
Niharika Rout
Snake

Snake

ନିଜ ଛୁଆଙ୍କୁ ଧରି ରାତିରେ ଶୋଇଥିଲେ ମହିଳା। ମାତ୍ର ରାତି ଅଧରେ ଉଠି ଦେଖିବା ବେଳକୁ ତାଙ୍କ ଗୋଡ଼ରେ ଗୁଡ଼ାଇ ହୋଇଛି ନାଗ ସାପ । ସାପଟି ମହିଳାଙ୍କ ଗୋଡ଼ରେ ୩ ଘଣ୍ଟା କାଳ ଗୁଡ଼ାଇ ହୋଇ ରହିଥିବା ବେଳେ ଭଗବାନଙ୍କୁ ଡାକିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନ ଥିଲା। ଜୀବନ, ମରଣ ଦୋଛକିରେ ପ୍ରତି ମୁହୂର୍ତ୍ତ ବଞ୍ଚିଥିବା ମହିଳାଜଣକ ଶେଷରେ ସାପ କବଳରୁ ସୁରକ୍ଷିତ ଭାବେ ରକ୍ଷା ପାଇ ଯାଇଛନ୍ତି। ଏପରି ଏକ ଲୋମ ଟାଙ୍କୁରା ଘଟଣା ଉତ୍ତର ପ୍ରଦେଶର ମହୋବାରେ ଘଟିଛି।

Advertisment

ମିଥିଲେଶ ଯାଦବ ନାମ୍ନୀ ମହିଳା ଡାହାରା ଗାଁ ସ୍ଥିତ ନିଜ ବାପ ଘରକୁ ପିଲାଙ୍କ ସହ ବୁଲି ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଗତ ରବିବାର ରାତିରେ ମହିଳାଜଣକ ନିଜର ୨ ପିଲାଙ୍କ ସହ ଶୋଇଥିଲେ। ମାତ୍ର ହଠାତ୍‌ ଗୋଡ଼ରେ କିଛି ଛନ୍ଦି ହୋଇଥିବା ଅନୁଭବ କରିବାରୁ ରାତି ଅଧରେ ତାଙ୍କ ନିଦ ଭାଙ୍ଗିଗଲା। ଏହାପରେ ସେ ଯାହା ଦେଖିଲେ ତାଙ୍କ ନିଶ୍ୱାସ ବନ୍ଦ ହୋଇଗଲା। ଏକ ନାଗ ସାପ ତାଙ୍କର ଏକ ଗୋଡ଼ରେ ଗୁଡ଼ାଇ ହୋଇ ରହିଥିଲା।

ମାତ୍ର ମହିଳାଜଣକ ଏଥିରେ ବିଚଳିତ ନ ହୋଇ ସ୍ଥିତିର ମୁକାବିଲା କରିଥିଲେ। ସେ ପ୍ରଥମେ ନିଜ ପରିବାର ଲୋକଙ୍କୁ ଜଣାଇ ପିଲା ୨ ଜଣଙ୍କୁ ନିଜ ପାଖରୁ ଦୂରେଇ ଦେଇଥିଲେ। ଏହାପରେ ସାପଟି ଗୁଡ଼ାଇ ହୋଇଥିବା ବେଳେ ମହିଳାଜଣକ ସମ୍ପୂର୍ଣ୍ଣ ନିଶ୍ଚଳ ହୋଇ ବସି ରହିଥିଲେ। ଏହି ସମୟ ମଧ୍ୟରେ ସେ କେବଳ ଭଗବାନଙ୍କୁ ଡାକିଥିଲେ।

Advertisment

ମହିଳାଜଣକ କହିଛନ୍ତି, ମୁଁ ମରିବି କି ବଞ୍ଚିବି କିଛି ଜାଣି ନ ଥିଲି। ଆଖି ଆଗରେ କେବଳ ମୋ’ ୨ ପିଲାଙ୍କ ମୁହଁ ଦେଖା ଯାଉଥିଲା। ମୋ’ ପରେ ସେମାନଙ୍କର କ’ଣ ହେବ ସେହି ଚିନ୍ତା ଘାରୁଥିଲା। ତେଣୁ ସେତେବେଳେ ଜୀବନ ରକ୍ଷା ପାଇଁ କେବଳ ପ୍ରଭୁ ଶିବଙ୍କୁ ପ୍ରାର୍ଥନା କରୁଥିଲି। ଶେଷରେ ଶିବ ମୋ’ ଡାକ ଶୁଣିଲେ। ଆଉ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଭଗବାନଙ୍କୁ ପ୍ରାର୍ଥନା କରିବା ପରେ ସାପଟି ଆପେ ଆପେ ତା’ ବାଟରେ ଚାଲି ଯାଇଥିଲା। ଆଉ ମୁଁ ନୂଆ ଜୀବନ ପାଇଥିଲି।

ଝିଅର ଏପରି ଅବସ୍ଥା ଦେଖି କିଛି କରି ପାରୁ ନ ଥିବା ବାପଘର ଲୋକେ ବି ହତବାକ ହୋଇ ଯାଇଥିଲେ। ତେଣୁ ସେମାନଙ୍କ ସହ ପଡ଼ୋଶୀ ବି ବସି ଘରେ ପ୍ରାର୍ଥନା କରିବାକୁ ଲାଗିଲେ। ଆଉ ଶେଷରେ ଭଗବାନ ସମସ୍ତଙ୍କ ପ୍ରାର୍ଥନା ଶୁଣିବା ସହ ସାପ ମୁହଁରୁ ମହିଳାଜଣକ ବର୍ତ୍ତି ଯାଇଥିବା ଜଣାଯାଇଛି।

Uttar Pradesh Rescued From Snake