Advertisment

ଟ୍ରେନ ଟ୍ରାଜେଡିକୁ ନେଇ ଆସିଲା ବଡ଼ ତଥ୍ୟ: ୩୦ରୁ୪୦ ସେକେଣ୍ଡ ଭିତରେ ପ୍ରାଣ ହରାଇଛନ୍ତି ଅନେକ ଲୋକ

ତାମିଲନାଡୁର ରାମନାଥପୁରମର ମୂଳ ବାସିନ୍ଦା ନଗେନ୍ଦ୍ରନ କୋଲକାତାରେ କାମ କରନ୍ତି। ସେ କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଆସୁଥିଲେ। ତେବେ ବାଲେଶ୍ୱର ନିକଟରେ ଘଟିଥିବା ଦୁର୍ଘଟଣା ତାଙ୍କୁ ପୂରା ଦୋହଲାଇ ଦେଇଛି।

author-image
Hemant Lenka
Train accident

Train accident

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ୨୮୮ ଜଣଙ୍କ ଜୀବନ ନେଇଛି। ଏବେ ବି ଦୁର୍ଘଟଣା ଗ୍ରସ୍ତ ଟ୍ରେନର ଶେଷ ବଗିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଦୁଇଟି ଯାତ୍ରୀବାହୀ ଟ୍ରେନ ଓ ଗୋଟିଏ ମାଲବାହୀ ଗାଡ଼ି ମଧ୍ୟରେ ହୋଇଥିବା ଏହି ଭୟଙ୍କର ଧକ୍କା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି।

Advertisment

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଲୋକମାନେ ଏବେ ଶୁକ୍ରବାର ସନ୍ଧ୍ୟାର ଘଟଣା ସମ୍ପର୍କରେ ଛାତି ଥରାଇ ଦେବା ଭଳି କଥା କହୁଛନ୍ତି। ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣାର ରାତିକୁ କେବେ ବି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି। ଦୁର୍ଘଟଣା ଘଟିବାର ୩୦ରୁ ୪୦ ସେକେଣ୍ଡ ମଧ୍ୟରେ ହିଁ ଅନେକ ଲୋକ ବଗି ତଳେ ଚାପି ହୋଇ ପ୍ରାଣ ହରାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ତାମିଲନାଡୁର ରାମନାଥପୁରମର ମୂଳ ବାସିନ୍ଦା ନଗେନ୍ଦ୍ରନ କୋଲକାତାରେ କାମ କରନ୍ତି। ସେ କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଆସୁଥିଲେ। ତେବେ ବାଲେଶ୍ୱର ନିକଟରେ ଘଟିଥିବା ଦୁର୍ଘଟଣା ତାଙ୍କୁ ପୂରା ଦୋହଲାଇ ଦେଇଛି।

Advertisment

ସେ ଆଜି ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ ନିଜ ଆଖି ଆଗରେ ଘଟିଥିବା ଘଟଣାକୁ ବୟାନ କରିଛନ୍ତି। ସେ କହିଛନ୍ତି, “ଯେଉଁ ମୁହୂର୍ତ୍ତରେ ଦୁର୍ଘଟଣା ଘଟିଲା, ମୁଁ ଭାବିଥିଲି ଯେ ମୁଁ ମରିବାକୁ ଯାଉଛି। ଗତକାଲି ମୁଁ କୋଲକାତାରୁ ଚେନ୍ନାଇକୁ କରମଣ୍ଡଳ ଏକ୍ସପ୍ରେସରେ ବାହାରିଥିଲି।

ବାଲେଶ୍ୱର ନିକଟରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ମାଲବାହୀ ଟ୍ରେନକୁ ଦେଖି କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭର ବ୍ରେକ ଲଗାଇଥିଲେ। ଫଳରେ ଅନେକ ଲୋକ ବର୍ତ୍ତି ଯାଇଥିଲେ। ନଚେତ ଆହୁରି ଭୟଙ୍କର ଓ ଅଧିକ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇ ଥାଆନ୍ତେ।

ମୁଁ ବି୧ କୋଚ୍‌(ଏସି କୋଚ୍)ରେ ଥିଲି। ବି୧ରୁ ବି୪ କୋଚ୍‌ ଆଦୌ କ୍ଷତିଗ୍ରସ୍ତ ହୋଇନି। ବି୫ କୋଚ ଲାଇନଚ୍ୟୁତ ହୋଇଥିଲା। ସ୍ୱେଚ୍ଛାସେବୀମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ସହଯୋଗ କରିଥିଲେ। ସବୁ ଆଡ଼େ କେବଳ ଅନ୍ଧାର ରହିଥିଲା। ଆମେ କିଛି ବି ସ୍ପଷ୍ଟ ଭାବେ ଦେଖି ପାରୁ ନଥିଲୁ। ଆମେ ଏସି କୋଚରେ ଥିଲୁ। ଏତେ ଲୋକ ପ୍ରାଣ ହରାଇଥିବା ବେଳେ ଆମେ କେମିତି ବଞ୍ଚି ଗଲୁ, ତା’କୁ ବିଶ୍ୱାସ କରିପାରୁ ନଥିଲୁ।”

ଶନିବାର ଚେନ୍ନାଇ ଏୟାରପୋର୍ଟକୁ ଆସିଥିବା ଜଣେ ମହିଳା ଯାତ୍ରୀ ମଧ୍ୟ ଟ୍ରେନ ଦୁର୍ଘଟଣା ବେଳର କଥାକୁ ମନେ ପକାଇଛନ୍ତି। ସେ କହିଛନ୍ତି, “ଆମେ ଜୋରରେ ଶବ୍ଦ ହେବା ପରେ ଭାବିଥିଲୁ ଯେ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି। ଲାଇଟ ଅଫ ଅନ ହେବାରେ ଲାଗିଥିଲା।

ଧୂଆଁ ମଧ୍ୟ ବାହରିଥିଲା। ଦୁର୍ଘଟଣାରେ କେତୋଟି ଟ୍ରେନ ସାମିଲ ଥିଲେ, ସେକଥା ମୁଁ ପ୍ରଥମେ ଜାଣି ନଥିଲି। ଆମେ ପୂରା ଭୟଭୀତ ହୋଇ ଯାଇଥିଲୁ। ଆମ ବଗିରେ ଥିବା ଯାତ୍ରୀ ସୁରକ୍ଷିତ ରହିଥିଲେ। କିଛି ଲୋକ ସାମାନ୍ୟ ଆହତ ହୋଇଥିଲେ। ସ୍ୱେଚ୍ଛାସେବୀମାନେ ପ୍ରଥମେ ବୟସ୍କ ଲୋକଙ୍କୁ ବଗିରୁ ବାହାର କରିଥିଲେ।”

କରମଣ୍ତଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ଅନୁଭବ ଦାସ ମଧ୍ୟ ଦୁର୍ଘଟଣା ପୂର୍ବରୁ ଟ୍ରେନଟି କେମିତି ସ୍ୱାଭାବିକ ଭାବେ ଚାଲୁଥିଲା ଓ କିଛି ମିନିଟ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା, ସେକଥା କହିଛନ୍ତି। ଶ୍ରୀ ଦାସ କହିଛନ୍ତି, “କରମଣ୍ଡଳ ଏକ୍ସପ୍ରେସର ସ୍ପିଡ ଘଣ୍ଟା ପ୍ରତି ୧୧୦ରୁ ୧୧୫ କିମି ରହିଥିଲା।

ଟ୍ରେନଟି ଠିକ ଭାବେ ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣା ଘଟିଥିଲା। ମାତ୍ର ୩୦ରୁ ୫୦ ସେକେଣ୍ଡ ମଧ୍ୟରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଶହଶହ ଲୋକ ଆହତ ହୋଇଥିଲେ। ସବୁଆଡ଼େ ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ।”

Odisha Train Accident Train Tragedy