Advertisment

ବିଧାୟକଙ୍କ ହତ୍ୟାର ମୁଖ୍ୟ ସାକ୍ଷୀଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ମାରିଦେଲେ

୨୦୦୫ ମସିହା ଜାନୁଆରୀ ୨୫ ତାରିଖରେ ଆହ୍ଲାବାଦ ପଶ୍ଚିମ ସିଟିର ତତ୍କାଳୀନ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଇଥିଲା।

author-image
Hemant Lenka
CCTV

CCTV

ଉତ୍ତର ପ୍ରଦେଶର ବିଚ ରାସ୍ତାରେ ହୋଇଛି ବୋମା ସହ ଗୁଳିମାଡ଼। ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ କିଛି ଲୋକ ଗୁଳି କରି ମାରି ଦେଇଛନ୍ତି। ଏହି ଗୁଳିମାଡ଼ରେ ଉମେଶଙ୍କ ସହ ଥିବା ତାଙ୍କ ସୁରକ୍ଷାକର୍ମୀ ସନ୍ଦୀପ ନିଶାଦ ମଧ୍ୟ ପ୍ରାଣ ହରାଇଛନ୍ତି। ଧୁମଙ୍ଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଉମେଶଙ୍କ ଘର ବାହାରେ ପୂରା ଘଟଣା ଘଟିଛି। ଅଜଣା ଦୁର୍ବୃତ୍ତମାନେ ପ୍ରଥମେ ବୋମା ମାଡ଼ କରିବା ସହ ଗୁଳି କରି ଉମେଶ ଓ ସନ୍ଦୀପଙ୍କୁ ହିତ୍ୟା କରିଛନ୍ତି। ପୂରା ଘଟଣାର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି।

Advertisment

ରାଜୁ ପାଲ ବହୁଜନ ସମାଜ ପାର୍ଟିର ବିଧାୟକ ଥିଲେ। ୨୦୦୫ରେ ତାଙ୍କୁ ହତ୍ୟା କରାଯାଇଥିଲା। ଉମେଶ ପାଲ ଉକ୍ତ ହତ୍ୟା ଘଟଣାର ପ୍ରମୁଖ ସାକ୍ଷୀ। ତେବେ ଶୁକ୍ରବାର ଉମେଶ ତାଙ୍କ ଘର ବାହାରେ ଗାଡ଼ିରୁ ଓହ୍ଲାଉଥିବା ବେଳେ ତାଙ୍କ ଉପରେ ହମଲା ହୋଇଥିଲା। ଗୁଳିମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ ଉମେଶ ପାଲ ଓ ତାଙ୍କର ଦୁଇ ପୁଲିସ୍‌ ବଡିଗାର୍ଡ କାର୍‌ରୁ ବାହାରୁଛନ୍ତି। ଉମେଶ ଗାଡ଼ିର ପଛ ସିଟରୁ ଓହ୍ଲାଉଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତି ପଛପଟୁ ଦୌଡ଼ି ଆସି ଗୁଳି ଚଳାଇଥିଲେ। ଏହି ସମୟରେ ଆଉ କିଛି ବ୍ୟକ୍ତି ବୋମା ମାଡ଼ ମଧ୍ୟ କରିଥିଲେ। ବୋମା ମାଡ଼ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯିବା ସହ ରାସ୍ତାରେ ଆତଙ୍କ ଖେଳି ଯାଇଥିଲା।

Advertisment

କିଛି ଲୋକ ଭୟରେ ନିଜ ନିଜ ଗାଡ଼ି ଛାଡ଼ି ନିକଟସ୍ଥ ଦୋକାନ ଭିତରକୁ ମଧ୍ୟ ପଶି ଯାଇଥିଲେ। ଉମେଶଙ୍କ ବଡିଗାର୍ଡ ସନ୍ଦୀପ ଆକ୍ରମଣକାରୀକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ସେହିପରି ଆଉ ଜଣେ ବଡିଗାର୍ଡଙ୍କ ଦେହରେ ମଧ୍ୟ ଗୋଟିଏ ଗୁଳି ବାଜିଛି। ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ ଉମେଶ ଓ ତାଙ୍କର ଦୁଇ ବଡିଗାର୍ଡଙ୍କୁ ହସ୍ପିଟାଲ ନିଆ ଯାଇଥିଲା।

ହେଲେ ସେଠାରେ ଡାକ୍ତରମାନେ ଉମେଶଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଦୀପଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ବି ମୃତ୍ୟୁ ଘଟିଛି। ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆତିକ ଅହମଦ। ସେ ଜଣେ ଡନ ଓ ପୂର୍ବତନ ଲୋକସଭା ସାଂସଦ। ଏବେ ସେ ଗୁଜରାଟର ଗୋଟିଏ ଜେଲରେ ଅଛନ୍ତି।

ପ୍ରୟାଗରାଜ ପୁଲିସ ମୁଖ୍ୟ ରାମିତ ଶର୍ମା କହିଛନ୍ତି, ଉମେଶ ପାଲଙ୍କ ଘର ସାମ୍ନାରେ ହିଁ ସବୁ କିଛି ଘଟିଛି। ଆକ୍ରମଣକାରୀମାନେ ଦୁଇଟି ବୋମା ମାଡ଼ କରିବା ସହ ଏକାଧିକ ରାଉଣ୍ଡ ଗୁଳି ଚଳାଇଛନ୍ତି। ଧୁମଙ୍ଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ୮ଟି ଟିମ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୦୫ ମସିହା ଜାନୁଆରୀ ୨୫ ତାରିଖରେ ଆହ୍ଲାବାଦ ପଶ୍ଚିମ ସିଟିର ତତ୍କାଳୀନ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆଉ ଦୁଇ ଜଣ ମଧ୍ୟ ପ୍ରାଣ ହରାଇଥିଲେ।

Uttar Pradesh Shootout CCTV Footage