Reels
ସୋଶାଲ ମିଡିଆ ଯୁଗରେ ରିଲ୍ସ ନିଶା ଏବେ ଯୁବପିଢ଼ିକୁ ଗ୍ରାସ କରିବାରେ ଲାଗିଛି। ରାତାରାତି ଭାଇରାଲ ହେବା ପାଇଁ ଯୁବକ ଓ ଯୁବତୀମାନେ ବିପଦଜନକ ଅବସ୍ଥାରେ ରିଲ କରିବାକୁ ପଛାଉ ନାହାନ୍ତି। ଏହି ରିଲ୍ସ ନିଶା ଏବେ ପୁଣି ଜଣେ ଯୁବତୀଙ୍କ ଜୀବନ ନେଇଛି। ରିଲ କରିବା ବେଳେ ଗୋଟିଏ ୧୩ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠାରୁ ଖସି ପଡ଼ି ଜଣେ ୨୦ ବର୍ଷୀୟ ଯୁବତୀଙ୍କ ଜୀବନ ଯାଇଛି। ବେଙ୍ଗାଲୁରୁର ପାରାପ୍ପାନା ଅଗ୍ରାହରା ଠାରେ ଏପରି ଘଟଣା ଘଟିଛି।
ପୁଲିସ୍ର କହିବା କଥା ଯେ ଯୁବତୀ ଜଣଙ୍କ ତାଙ୍କର କିଛି ପୁରୁଷ ଓ ମହିଳା ବନ୍ଧୁଙ୍କ ସହ ଉକ୍ତ ବିଲଡିଂକୁ ଯାଇଥିଲେ। ସେମାନେ ସେଠାରେ ରାତି ସମୟରେ ପାର୍ଟି କରୁଥିଲେ। ପାର୍ଟି ଚାଲି ଥିବା ବେଳେ ଗୋଟିଏ ପ୍ରେମ ସମ୍ପର୍କକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ମର୍ମାହତ ହୋଇ ଯୁବତୀ ଜଣଙ୍କ ବିଲଡିଂର ଛାତ ଉପରକୁ ଚାଲି ଯାଇଥିଲେ। ସେଠାରେ ସେ ଦୁଃଖ ଭରା ରିଲ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଘଟଣାବଶତଃ ଲିଫ୍ଟ ପାଇଁ ରହିଥିବା ସ୍ଥାନରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଯୁବତୀଙ୍କ ପ୍ରକୃତ ଘର ବିହାରରେ ହୋଇଥିବା ବେଳେ ସେ ସହରର ଗୋଟିଏ ଶପିଂ ମାର୍ଟରେ କାମ କରୁଥିଲେ। ୧୩ ମହଲା ଉପରୁ ଯୁବତୀ ଜଣଙ୍କ ଖସି ପଡ଼ିଥିବା ତାଙ୍କ ସହ ଥିବା ଅନ୍ୟମାନେ ଦେଖିଥିଲେ। କିନ୍ତୁ ସେମାନେ ଭୟରେ ସେଠାରେ ଚମ୍ପଟ ମାରିଥିଲେ।
ଡସିପି(ଦକ୍ଷିଣ ପୂର୍ବ) ଫାତିମା ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ହଁ, ସେମାନେ ବିଲଡିଂରେ ପାର୍ଟି କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ମଧ୍ୟରୁ କିଛି ଜଣ ଛାତ ଉପରକୁ ରିଲ୍ସ ରେକର୍ଡ କରିବାକୁ ଯାଇଥିଲେ।
ଏହି ସମୟରେ ଯୁବତୀ ଜଣଙ୍କ ତଳକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା କେଉଁ ପ୍ରକାରର ସମ୍ପର୍କକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଆମେ ଜାଣିନାହୁଁ। ଏବେ ସବୁ କିଛିର ତଦନ୍ତ କରାଯାଉଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Reels_1750925694.jpg)