/odisha-reporter/media/media_files/2026/02/26/murder-2026-02-26-14-21-42.jpg)
କିଏ କଲା ହତ୍ୟା
ଦେଶର ରାଜଧାନୀ ଦିଲ୍ଲୀରେ ହଇଚଇ। ଉତ୍ତର ଦିଲ୍ଲୀର ସାମାୟପୁର ବଡଲି ସ୍ଥିତ ଗୋଟିଏ ଘରୁ ମିଳିଛି ଜଣେ ମହିଳା ଓ ତାଙ୍କ ୩ ଝିଅଙ୍କ ରକ୍ତାକ୍ତ ମୃତଦେହ। ସମସ୍ତଙ୍କ ତଣ୍ଟି କଟାଯାଇଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳୁନି। ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦନ ପାର୍କ ଅଞ୍ଚଳରେ ପୂରା ଘଟଣା ଘଟିଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ଏବେ ଖୋଜିବାରେ ଲାଗିଛି।
ଘଟଣା ଦିନ ରାତିରେ ପଡ଼ୋଶୀ ଭାବେ ରହୁଥିବା ଜଣେ ମହିଳା ଘର ଭିତରୁ ପିଲାମାନଙ୍କ ଚିତ୍କାର ଶୁଣିଥିଲେ। ଘରେ ମଧ୍ୟ ମାରପିଟର ଶବ୍ଦ ତାଙ୍କ କାନରେ ପଡ଼ିଥିଲା। ସେ ଭଲ ଭାବେ ଘଟଣାକୁ ନୀରିକ୍ଷଣ କରିବାରୁ ଭଙ୍ଗା କବାଟ ଦେଇ ରକ୍ତ ପାଣି ପରି ବାହାରକୁ ଆସିଥିବା ଦେଖିଥିଲେ। ସେ ସାହାସ ଜୁଟାଇ ଭିତରେ କ’ଣ ହୋଇଛି ବୋଲି ଦେଖିବାକୁ ଚେଷ୍ଟା କରିଥିଲେ। ରକ୍ତରଞ୍ଜିତ କାନ୍ଥକୁ ଦେଖି ସେ ପୂରା ଡରି ଯାଇଥିଲେ। ସତେ ଯେମିତି ତାଙ୍କ ଚିତ୍କାର ବାହାରକୁ ନ ବାହାରି ଗଳାରେ ଅଟକି ଯାଇଥିଲା। ତଥାପି ରାତିର ଘନ ଅନ୍ଧାର ଓ ଥରୁଥିବା ହାତରେ ସେ ନିଜର ଫୋନ ବାହାର କରିଥିଲେ ଓ ପୁଲିସ୍କୁ ସବୁ କିଛି ଜଣାଇଥିଲେ।
ଖବର ପାଇବା କ୍ଷଣୀ ସାମାୟପୁର ବଡଲି ପୁଲିସ୍ର ଗୋଟିଏ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଉପସ୍ଥିତିରେ ଯେତେବେଳେ କବାଟକୁ ସଂପୂର୍ଣ୍ଣ ଖୋଲା ଯାଇଥିଲା ସେତେବେଳେ ଭିତରର ଦୃଶ୍ୟ ସମସ୍ତୁ ସ୍ତବ୍ଧ କରିଥିଲା। ରୁମର ବିଭିନ୍ନ ସ୍ଥାନରେ ୪ଟି ରକ୍ତାକ୍ତ ମୃତଦେହ ପଡ଼ିଥିଲା। ସମସ୍ତେ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ନିସ୍ତେଜ ହୋଇ ଚଟାଣରେ ପଡ଼ି ରହିଥିଲେ। ରାତିର ନିରବତା ମଧ୍ୟରେ ରକ୍ତର ଛିଟା ସତେ ଯେମିତି ଅଧିକ ଚିତ୍କାର କରୁଥିଲା।
ମୃତ ମହିଳା ଜଣଙ୍କ ହେଲେ ଅନୀତା। ତାଙ୍କ ସହ ତାଙ୍କର ୩ ପିଲାଙ୍କ ମୃତଦେହ ପୁଲିସ୍ ଜବତ କରିଛି। ବଡ଼ ଝିଅର ବୟସ ୭ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୫ ଓ ସାନ ଝିଅର ବଷୟ ପ୍ରାୟ ୩ ବର୍ଷ ହେବ। ସମସ୍ତଙ୍କୁ ଅତ୍ୟନ୍ତ ଧାରୁଅ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା(Murder) କରାଯାଇଛି। ଫରେନ୍ସିକ ଟିମ ଓ ଅନ୍ୟାନ୍ୟ ଅଧିକାରୀ ଘଟଣା ସ୍ଥଳରେ ତନତନ କରି ଯାଞ୍ଚ କରିଛନ୍ତି। ଘଟଣା ସ୍ଥଳରୁ ମିଳିଥିବା ପ୍ରମାଣକୁ ସଂଗ୍ରହ କରାଯାଇଛି।
କିନ୍ତୁ ଅନୀତାଙ୍କ ସ୍ୱାମୀ କୁଆଡ଼େ ଗଲେ? ଘଟଣା ପରଠାରୁ ତାଙ୍କ ପତ୍ତା ମିଳୁ ନଥିବାରୁ ତାଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପୁଲିସ୍ ଘଟଣା ଦିନ ରାତି ଠାରୁ ତଦନ୍ତ ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛି। ଏକାଧିକ ସ୍ଥାନରେ ରେଡ କରିବା ସହ ଚେକପୋଷ୍ଟରେ ଯାଞ୍ଚକୁ କଡ଼ା କରାଯାଉଛି।
କିନ୍ତୁ ଏଯାଏ ଅନୀତାଙ୍କ ସ୍ୱାମୀଙ୍କ ପତ୍ତା ମିଳିନି। ତାଙ୍କୁ ଧରିବା ପରେ ପୁଲିସ୍ ଘଟଣା ଉପରୁ ପରାଦ ହଟାଇବ ବୋଲି କହିଛି। ଅନୀତାଙ୍କ ସ୍ୱାମୀ ଏପରି କାଣ୍ଡ ଘଟାଇଛନ୍ତି ନା ଏହା ପଛରେ ଆଉ କିଏ ରହିଛନ୍ତି, ତା’ହା ଏବେ ପୁଲିସ୍ ଆଗରେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
