କିରଣ ଦେବୀ
ଅନ୍ଧ ବିଶ୍ୱାସ, ଗୁଜବ ଓ ରାଗ ପୁଣିଥରେ ଭୟଙ୍କର ରୂପ ନେଇଛି। ଗୁଣି ଗାରେଡ଼ି କରୁଥିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ପଡ଼ୋଶୀମାନେ ପିଟିପିଟି ହତ୍ୟା (Beaten To Death) କରିଛନ୍ତି। ଆକ୍ରମଣରେ ଆଉ ଦୁଇ ଜଣ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ଏପରି ଲୋମହର୍ଷଣକାରୀ ଘଟଣା ବିହାରର ନାୱାଡା ଜିଲ୍ଲାରେ ଘଟିଛି। ଏଥିରୁ କେମିତି ଅନ୍ଧବିଶ୍ୱାସ ରାଜ୍ୟରେ ନିରୀହ ଲୋକଙ୍କ ଜୀବନ ନେଉଛି, ତା’ର ସତକୁ ପଦାକୁ ଆସିଛି।
ମୃତ ମହିଳା ଜଣଙ୍କ ହେଲେ କିରଣ ଦେବୀ। ତାଙ୍କ ପରିବାର ଲୋକଙ୍କ କହିବା କଥା ଯେ ଜଣେ ଛୋଟ ପିଲାର ଅସୁସ୍ଥତା ପଛର କାରଣ ସନ୍ଦେହରେ ଏପରି ଆକ୍ରମଣ ହୋଇଥିଲା। ପଡ଼ୋଶୀ ଭାବେ ରହୁଥିବା ଗୋଟିଏ ପରିବାରର ସଦସ୍ୟମାନେ ପିଲାଟିର ଅସୁସ୍ଥ ପାଇଁ କିରଣ ଦେବୀଙ୍କୁ ଦାୟୀ କରିଥିଲେ। କିରଣ ଦେବୀ ଗୁଣି ଗାରେଡ଼ି କରୁଥିବା ସେମାନେ ଅଭିଯୋଗ କରିଥିଲେ।
ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ମୁକେଶ ଚୌଧୁରୀ, ମହେନ୍ଦ୍ର ଚୌଧୁରୀ, ନାତ୍ରୁ ଚୌଧୁରୀ, ଶୋଭା ଦେବୀ ଓ ପଡ଼ୋଶୀ ପରିବାରର ସମସ୍ତ ସମ୍ପର୍କୀୟ ମିଳିତ ଭାବେ କରିଣ ଦେବୀଙ୍କୁ ଇଟାଳ, ପଥର ଓ ଲୁହା ରଡରେ ଆକ୍ରମଣ କରିଥିଲେ। ଆକ୍ରମଣରେ କିରଣ ଦେବୀଙ୍କ ସାନ ଯା’ ଲଳିତା ଦେବୀ ଓ ଆଉ ଜଣେ ବଡ଼ ଯା’ ମଧ୍ୟ ଆହତ ହୋଇଛନ୍ତି।
ଘଟଣା ପରେ ସମସ୍ତ ଆହତଙ୍କୁ ସବ ଡିଭିଜନାଲ ହସ୍ପିଟାଲ ନିଆଯାଇ ଥିଲା। ଡ୍ୟୁଟିରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରି ଦେଇଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଅଧା ବାଟରେ କିରଣ ଦେବୀଙ୍କ ମୃତ୍ୟୁ ହୋଇଥିଲା। ଏବେ ତାଙ୍କର ଦୁଇ ଯା’ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିରଣ ଦେବୀଙ୍କ ହତ୍ୟା ପରେ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ମା’ ଛେଉଣ୍ତ ହୋଇଯାଇଛନ୍ତି।
ପୀଡ଼ିତାଙ୍କ ସମ୍ପର୍କୀୟ ରେଖା ଦେବୀ କହିଛନ୍ତି ଯେ ମୁକେଶ ଚୌଧୁରୀଙ୍କ ପିଲା ଅସୁସ୍ଥ ହେବାରୁ ତା’କୁ ଜଣେ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଛୋଟ ପିଲାଟି ମସ୍ତିସ୍କ ଜନିତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତଥାପି ପିଲାଟିର ଅସୁସ୍ଥତା ପାଇଁ ଚୌଧୁରୀ ପରିବାର କିରଣ ଦେବୀଙ୍କୁ ଦାୟୀ କରିଥିଲେ। ସେ ଗୁଣି ଗାରେଡ଼ି କରି ଏପରି ଘଟାଇଥିବା ସେମାନେ ଅଭିଯୋଗ କରିଥିଲେ। ଶେଷରେ ସେମାନେ କିରଣ ଦେବୀଙ୍କ ଉପରେ ଆକ୍ରମଣ କରିଥିଲେ।
ଘଟଣା ପରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/09/kiran-devi-2026-01-09-14-06-14.jpg)