/odisha-reporter/media/media_files/2026/01/02/untitled-1-2026-01-02-14-04-41.jpg)
representational image
ତାରିଖ ଥିଲା ଡିସେମ୍ବର ୩୧। ନବ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଥିଲେ ଉତ୍ସାହିତ। ନିଜର ପ୍ରିୟଜନଙ୍କ ସହ ଜିରୋ ନାଇଟକୁ ସମସ୍ତେ ଉପଭୋଗ ମଧ୍ୟ କରୁଥିଲେ। ଏହିକ୍ରମରେ ଜଣେ ୨୫ ବର୍ଷୀୟ ମହିଳା ନିଜର ୪୪ ବର୍ଷୀୟ ବିବାହିତ ପ୍ରେମିକଙ୍କୁ ନୂଆବର୍ଷ ପାର୍ଟି (New Year party)ରେ ସାମିଲ ହେବାକୁ ଘରକୁ ଡାକିଥିଲେ।
ଘରକୁ ଆସିଲେ ସେ ମିଠା ଦେବେ ବୋଲି ମଧ୍ୟ ବେଶ ଶ୍ରଦ୍ଧାରେ ପ୍ରେମିକଙ୍କୁ କହିଥିଲେ। ପ୍ରେମିକାର ଏପରି ମିଠା କଥା ଶୁଣି ପ୍ରେମିକ ଜଣଙ୍କ ମଧ୍ୟ ଘରକୁ ଯାଇଥିଲେ। କିନ୍ତୁ ମିଠା ଦେବାକୁ ଡାକିଥିବା ପ୍ରେମିକା ଘଟାଇଛନ୍ତି ଜଘନ୍ୟକାଣ୍ଡ।
ମିଠା ଓ ପାର୍ଟି ଆଶାରେ ଆସିଥିବା ପ୍ରେମିକ ହୋଇଛନ୍ତି ଲହୁଲୁହାଣ। ଘରକୁ ଡାକି ନିଜ ପ୍ରେମିକର ଗୁପ୍ତାଙ୍ଗକୁ ଛୁରୀରେ କାଟି ଦେଇଛନ୍ତି। ଏବେ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ମୁମ୍ବାଇର ସିଓନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣ କରିଥିବା ପ୍ରେମିକା ଘଟଣା ପରେ ଫେରାର ହୋଇଯାଇଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗୁରୁତର ବ୍ୟକ୍ତି ଓ ତାଙ୍କ ପ୍ରେମିକା ପରସ୍ପରକୁ ବେଶ ଭଲ ଭାବେ ଜାଣିଥିଲେ। ପୀଡ଼ିତ ଜଣଙ୍କ ହେଉଛନ୍ତି ଅଭିଯୁକ୍ତ ମହିଳାଙ୍କ ଭାଉଜଙ୍କ ଭାଇ। ପରସ୍ପରର ସମ୍ପର୍କୀୟ ହୋଇଥିଲେ ହେଁ ଉଭୟଙ୍କ ମଧ୍ୟରେ ଦୀର୍ଘ ୬ରୁ ୭ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା।
ଏତେ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେବାକୁ ମହିଳା ଜଣଙ୍କ ଚାହିଁଥିଲେ। ଏଥିପାଇଁ ସେ ନିଜର ପ୍ରେମିକଙ୍କ ଉପରେ ଚାପ ପକାଉଥିଲେ। ପତ୍ନୀଙ୍କୁ ଛାଡ଼ି ତାଙ୍କୁ ବିବାହ କରିବାକୁ ସେ ସବୁବେଳେ କହୁଥିଲେ। ଏଥିଯୋଗୁ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ମଧ୍ୟ ହେଉଥିଲା।
ବାରମ୍ବାର ଏପରି ଝଗଡ଼ା ହେଉଥିବାରୁ ୧୮ ବର୍ଷ ହେଲା ପରିବାର ସହ ସାନ୍ତା କ୍ରୁଜ ଇଷ୍ଟରେ ରହୁଥିବା ବ୍ୟକ୍ତି ଜଣଙ୍କ ରାଗରେ ୨୦୨୫ ନଭେମ୍ବର ମାସରେ ବିହାର ଚାଲି ଯାଇଥିଲେ। ସେ ସେଠାରେ ରହିଥିବା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ ତାଙ୍କୁ ବାରମ୍ବାର ଫୋନ କରି ଧମକ ଦେଇ ଚାଲିଥିଲେ।
ଡିସେମ୍ବର ୧୯ରେ ବ୍ୟକ୍ତି ଜଣଙ୍କ ମୁମ୍ବାଇ ଫେରିଥିଲେ ହେଁ ମହିଳାଙ୍କୁ କୌଣସି ପ୍ରକାରର ଯୋଗାଯୋଗ କରି ନଥିଲେ। ମହିଳାଙ୍କୁ ସେ ଅଣଦେଖା କରି ଚାଲିଥିଲେ। ଏସବୁ ଭିତରେ ଡିସେମ୍ବର ୩୧ ତାରିଖ ରାତି ୧.୩୦ରେ ମହିଳା ଜଣଙ୍କ ଫୋନ କରି ନୂଆ ବର୍ଷ ମିଠା ଦେବାକୁ ବ୍ୟକ୍ତିଙ୍କୁ ନିଜ ଘରକୁ ଡାକିଥିଲେ। ଏହି ସମୟରେ ମହିଳାଙ୍କ ପିଲାମାନେ ଘରେ ଶୋଇ ପଡ଼ିଥିଲେ।
ବ୍ୟକ୍ତି ଜଣଙ୍କ ମିଠା ପାଇଁ ଘରେ ପହଞ୍ଚିବା ପରେ ମହିଳା ଜଣଙ୍କ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଇଥିଲେ। ବ୍ୟକ୍ତି ଜଣଙ୍କ ମଧ୍ୟ ତୁରନ୍ତ ଏଥିରେ ରାଜି ହୋଇଯାଇଥିଲେ। ଶାରିରୀକ ସମ୍ପର୍କ ରଖିବାକୁ ସେ ପ୍ୟାଣ୍ଟ ଖୋଲିବା ମାତ୍ରେ ମହିଳା ଜଣଙ୍କ ରୋଷେଇ ଘରକୁ ଚାଲି ଯାଇଥିଲେ। ସେଠାରୁ ଗୋଟିଏ ଛୁରୀ ଆଣି ସିଧା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଏଥିଯୋଗୁ ବ୍ୟକ୍ତି ଜଣଙ୍କ ପ୍ରବଳ ରକ୍ତସ୍ରାବର ସମ୍ମୁଖୀନ ହୋଇଥିଲେ।
ରକ୍ତସ୍ରାବ ସତ୍ତ୍ୱେ ସେ ତୁରନ୍ତ ପ୍ୟାଣ୍ଟ ପିନ୍ଧି ନିଜ ଘରକୁ ଚାଲି ଆସିଥିଲେ। ବ୍ୟକ୍ତିଙ୍କୁ ଏପରି ଅବସ୍ଥାରେ ଦେଖି ଘରେ ଥିବା ପୁଅ ଓ ଆଉ କିଛି ବନ୍ଧୁ ତୁରନ୍ତ ତାଙ୍କୁ ଭିଏନ ଦେଶାଇ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ସିଓନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆଘାତ ଗଭୀର ରହିଥିବାରୁ ହସ୍ପିଟାଲରେ ବ୍ୟକ୍ତିଙ୍କ ସର୍ଜରୀ ହୋଇଥିବା ଜଣାପଡ଼ିଛି।
ପୁଲିସ୍ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ ହେଁ ମହିଳା ଜଣଙ୍କ ଫେରାର ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
