Advertisment

କ୍ୟାମେରା ସାମ୍ନାରେ କାହିଁକି କାନ୍ଦିଲେ ମହିଳା ସିଆରପିଏଫ ଅଧିକାରୀ?

ସୋଶାଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ୩୨ ବର୍ଷୀୟ କଳାବତୀ ଲୁହ ଭିଜା ଆଖିରେ ନିଜର ବାହାଘର ପାଇଁ ଘରେ ରହିଥିବା ସୁନା ଅଳଙ୍କାର କେମିତି ଚୋରି ହୋଇଥିଲା ଓ ସ୍ଥାନୀୟ ପୁଲିସ୍‌ ଅଭିଯୋଗ ସତ୍ତ୍ୱେ କାହିଁକି ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା, ସେକଥା କହିଛନ୍ତି।

author-image
Hemant Lenka
CRPF

CRPF

ଜମ୍ମୁ-କଶ୍ମୀରରେ ଦେଶର ସୀମା ସୁରକ୍ଷାରେ ନିୟୋଜିତ ଜଣେ ମହିଳା ସିଆରପିଏଫ ଅଧିକାରୀ ତାମିଲନାଡୁ ପୁଲିସ୍‌ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେ ସୀମା ସୁରକ୍ଷାରେ ବ୍ୟସ୍ତ ଥିବା ବେଳେ ତାମିଲନାଡୁରେ ଥିବା ତାଙ୍କ ପରିବାର ଲୋକ ରହୁଥିବା ଘରୁ ଚୋରି ହୋଇ ଯାଇଥିଲା। ଏନେଇ ସେମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଅଧିକାରୀ ଜଣଙ୍କ କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ନିଜ ଯନ୍ତ୍ରଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି।

Advertisment

ସୋଶାଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ୩୨ ବର୍ଷୀୟ କଳାବତୀ ଲୁହ ଭିଜା ଆଖିରେ ନିଜର ବାହାଘର ପାଇଁ ଘରେ ରହିଥିବା ସୁନା ଅଳଙ୍କାର କେମିତି ଚୋରି ହୋଇଥିଲା ଓ ସ୍ଥାନୀୟ ପୁଲିସ୍‌ ଅଭିଯୋଗ ସତ୍ତ୍ୱେ କାହିଁକି ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା, ସେକଥା କହିଛନ୍ତି।

କଳାବତୀ କହିଛନ୍ତି “ଜୁନ ୨୪ରେ ପୋନ୍ନାଇ ନିକଟ ନାରାୟଣପୁରମ ଗାଁରେ ଥିବା ଘରୁ ଚୋରି ହୋଇଥିଲା। ଚୋରି ସମୟରେ ଭାଇ ଓ ବାପା ଫାର୍ମରେ କାମ କରୁଥିବା ବେଳେ ମା’ ଗାଈ ଚରାଇବାକୁ ଯାଇଥିଲେ। ଘରର ଲକକୁ ଭଙ୍ଗା ଯାଇଥିଲା ଓ ମୋ ବାହାଘର ପାଇଁ ରଖାଯାଇଥିବା ସମସ୍ତ ଅଳଙ୍କାରକୁ ଚୋରି କରାଯାଇଥିଲା।

Advertisment

ମୋ ମା’ ଅପରାହ୍ନ ୫.୩୦ରେ ଘରକୁ ଫେରିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ମୋ ବାପା ମା’ କାନ୍ଦୁ ଥିବା ବେଳେ ଭାଇ ପହଞ୍ଚିଥିଲେ। ସେ ଚୋରି ସମ୍ପର୍କରେ ଜାଣିବା ପରେ ଜୁନ ୨୪ରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। କିନ୍ତୁ ଜୁନ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଡ୍ୟୁଟି ଥିବା ଦାବି କେହି ବି ତଦନ୍ତ କରିବାକୁ ଆସି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ଅର୍ଥାତ ଜୁନ ୨୮ରେ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇ ଏଫଆଇଆର ରୁଜୁ ହୋଇଥିଲା।”

ସିଆରପିଏଫ ପୋଷାକରେ ଥିବା କଳାବତୀ କହିଛନ୍ତି ଯେ ତାଙ୍କ ବାହାଘର ପାଇଁ ଥିବା ଜିନିଷ ଚୋରି ହୋଇଯାଇଥିବାରୁ ପରିବାର ଲୋକ ପୂରା ହତାଶ ହୋଇ ପଡ଼ିଛନ୍ତି। ପୁଲିସ୍‌ ପାଖରେ ପହଞ୍ଚିବାକୁ ସେମାନେ ବାରମ୍ବାର ଚେଷ୍ଟା କରିଥିଲେ ହେଁ ଘଟଣାରେ କୌଣସି ପ୍ରକାରର ପଦକ୍ଷେପ ନିଆଯାଉ ନାହିଁ। ଜଣେ ମହିଳା ସିଆରପିଏଫ ଅଧିକାରୀ ପୁଲିସ ବିରୋଧରେ ଅବହେଳାର ଅଭିଯୋଗ ଆଣିଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ବିଜେପି ନେତା କେ ଆନ୍ନାମଲାଇ ଏକ୍ସରେ ଏହି ଭିଡିଓକୁ ଶେୟାର କରି କରିଛନ୍ତି। ସେ କହିଛନ୍ତି, “ଏହା କେଉଁ ପ୍ରକାରର ଶାସନ ନୀତି ଯେଉଁଠାରେ ଜଣେ ବର୍ଦ୍ଦିରେ ଥିବା ମହିଳା ଅନଲାଇନରେ ନ୍ୟାୟ ପାଇଁ ନେହୁରା ହେଉଛନ୍ତି? ତାଙ୍କ କାନ୍ଧରେ ଜାତୀୟ ପତାକା ମଧ୍ୟ ରହିଛି। ଏହା କେବଳ ବିପର୍ଯ୍ୟସ୍ତ ଆଇନର ବିଷୟବସ୍ତୁ ନୁହେଁ, ବରଂ ଏହା ଡିଏମକେ ଶାସନ ନୀତିର ମଡେଲ। ଏହି ମଡେଲରେ ଅପରାଧୀମାନେ ବାହାରେ ମୁକ୍ତ ଭାବେ ବୁଲୁଛନ୍ତି ଓ ଦେଶର ସୁରକ୍ଷା କରୁଥିବା ଲୋକମାନେ ସହାୟତା ମାଗୁଛନ୍ତି।”

ବିବାଦ ବଢ଼ିବା ପରେ ଭେଲ୍ଲୋର ଜିଲ୍ଲା ପୁଲିସ୍‌ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ କଳାବତୀଙ୍କ ବାପା କୁମାରସାମୀ ଜୁନ ୨୪ରେ ତାଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। କଳାବତୀଙ୍କ ବାହା ଘର ପାଇଁ ଘରେ ଥିବା ସୁନା ଅଳଙ୍କାର, ୫୦ ହଜାର ଟଙ୍କା ଓ ଗୋଟିଏ ସ୍ଲିକ ଶାଢ଼ୀ ଚୋରି ହୋଇଥିବା ସେ କହିଥିଲେ।

ଜୁନ ୨୫ରେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ଫିଙ୍ଗର ପ୍ରିଣ୍ଟ ଓ ସିସିଟିଭି ଫୁଟେଜକୁ ସଂଗ୍ରହ କରିଥିଲା। ଏଥିସହ ସନ୍ଦିଗ୍ଧଙ୍କ ମୋବାଇଲ ଫୋନକୁ ଟ୍ରାକ କରିବାକୁ ବ୍ୟବସ୍ଥା କରାଯାଇଥିଲା।

ଅଭିଯୋଗକାରୀ କୁମାରସାମୀ ଚୋରି ଘଟଣାରେ ସନ୍ତୋଷ ନାମକ ଜଣେ ବ୍ୟକ୍ତି ସାମିଲ ଥିବା ଅଭିଯୋଗ କରିଥିଲେ। ସନ୍ତୋଷ ପୂର୍ବରୁ କଳାବତୀଙ୍କୁ ବିବାହ କରିଥିଲେ ଓ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଛି। ପୁଲିସ୍‌ ଘଟଣାର ତଦନ୍ତରେ କୌଣସି ବିଳମ୍ବ କରି ନଥିଲା ବୋଲି ଏହି ବିବୃତିରେ କୁହାଯାଇଛି।

Tamilnadu CRPF