Advertisment

ଜେଲ୍‌ରେ ଥିବା ସ୍ୱାମୀଙ୍କ ଆଗରେ ବେହୋସ ହେଲେ ଗର୍ଭବତୀ ପତ୍ନୀ, ଆଉ ଆଖି ଖୋଲିଲେନି

ଜେଲ୍‌ରେ ଥିବା ସ୍ୱାମୀଙ୍କୁ ଦେଖିବାକୁ ଯାଇଥିବା ଗର୍ଭବତୀ ପତ୍ନୀ ସ୍ୱାମୀଙ୍କ ସମ୍ମୁଖରେ ହିଁ ବୋହୋସ ହୋଇପଡ଼ିଲେ । ଏହାପରେ ଶତ ଚେଷ୍ଟା ପରେ ବି ସେ ଆଉ ଆଖି ଖୋଲିଲେନି।

author-image
Niharika Rout
Family

Family

ଆଉ ମାସେ ପରେ କୁଆଁ କୁଆଁ ରାବରେ ଫାଟି ପଡ଼ିଥାନ୍ତା ଘର ଅଗଣା । ହସଖୁସିରେ ଫାଟି ପଡ଼ିଥାନ୍ତା ପରିବେଶ । ହେଲେ ସହିଲାନି ଦଇବ । ମାସେ ପୂର୍ବରୁ ଘଟିଲା ଅଘଟଣ ଓ ଛାରଖାର ହୋଇଗଲା ଖୁସିର ସଂସାର। ଜେଲ୍‌ରେ ଥିବା ସ୍ୱାମୀଙ୍କୁ ଦେଖିବାକୁ ଯାଇଥିବା ଗର୍ଭବତୀ ପତ୍ନୀ ସ୍ୱାମୀଙ୍କ ସମ୍ମୁଖରେ ହିଁ ବୋହୋସ ହୋଇପଡ଼ିଲେ । ଏହାପରେ ଶତ ଚେଷ୍ଟା ପରେ ବି ସେ ଆଉ ଆଖି ଖୋଲିଲେନି। ମହିଳାଙ୍କ ସହ ତାଙ୍କ ଗର୍ଭରେ ଥିବା ଶିଶୁଟି ବି ଦୁନିଆ ଦେଖିବା ପୂର୍ବରୁ ହିଁ ଆଖି ବୁଜି ଦେଇଛି। ଏପରି ଏକ ହୃଦୟ ବିଦାରକ ଓ ଲୋମ ଟାଙ୍କୁରା ଘଟଣା ବିହାରର ଭାଗଲପୁରରେ ଘଟିଛି।

Advertisment

ଭାଗଲପୁର ଅଞ୍ଚଳର ଗୋବିନ୍ଦପୁରର ଗୁଡ୍ଡୁ ଯାଦବ ପଲ୍ଲବୀ ଯାଦବଙ୍କୁ ୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ଏହ ମଧ୍ୟରେ ପଲ୍ଲବୀ ଗର୍ଭବତୀ ହୋଇଥିବା ବେଳେ ଆସନ୍ତା ମାସ ତାଙ୍କର ପ୍ରସବ ହୋଇଥାନ୍ତା ।

ଇତି ମଧ୍ୟରେ ଏକ କେସ୍‌ରେ ଫସି ଗୁଡ୍ଡୁ ଜେଲ୍‌ ଯାଇଥିବା ବେଳେ ଭାଗଲପୁର ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଥିଲେ। ୮ ମାସର ଗର୍ଭବତୀ ଥିବା ପଲ୍ଲବୀ ଗତ କାଲି ସ୍ୱାମୀଙ୍କୁ ଦେଖା କରିବାକୁ ଜେଲ୍‌କୁ ଯାଇଥିଲେ। ଦୀର୍ଘ ସମୟର ଅପେକ୍ଷା ପରେ ଗୁଡ୍ଡୁ ତାଙ୍କ ସମ୍ମୁଖକୁ ଆସିଥିଲେ। ମାତ୍ର ସ୍ୱାମୀଙ୍କୁ ଦେଖୁ ଦେଖୁ କୋହ ସମ୍ଭାଳି ନ ପାରି ହଠାତ୍‌ ବେହୋସ ହୋଇ ପଡ଼ିଲେ ପଲ୍ଲବୀ।

Advertisment

ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମାୟାଗଞ୍ଜ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପଲ୍ଲବୀଙ୍କ ସହ ତାଙ୍କ ପେଟରେ ଥିବା ଛୁଆ ବି ସବୁ ଦିନ ପାଇଁ ଆଖି ବୁଜି ଦେଇଛି।

ଏହି ଘଟଣା ପାଇଁ ଗୁଡ୍ଡୁଙ୍କ ପରିବାର ଲୋକେ ପୁଲିସ୍‌ ପ୍ରଶାସନକୁ ଦାୟୀ କରିଛନ୍ତି। ପୁଅକୁ ମିଛ କେସ୍‌ରେ ଫସାଇ ପୁଲିସ୍‌ ଜେଲ୍‌ରେ ରଖିଥିବାରୁ ଏପରି ଅଘଟଣ ଘଟିଲା ଓ ପୁଅ ପରିବାର ଛାରଖାର ହୋଇଗଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏପରିକି ଉତ୍ତ୍ୟକ୍ତ ପରିବାର ଲୋକେ ବୋହୂର ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇ ନ ଥିଲେ। ପତ୍ନୀଙ୍କ ମୃତ୍ୟୁ ଖବର ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଗୁଡ୍ଡୁ ଆସି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ଓ ମୁଖାଗ୍ନି ଦେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି।

Police Bihar Deadbody