ସ୍ୱାମୀ ଓ ୬ ପିଲାଙ୍କୁ ଛାଡ଼ି ଭିକାରୀ ସହ ଫେରାର ହୋଇଗଲେ ମହିଳା, ଆଉ ତା’ ପରେ...

ପୁଲିସ୍‌ ଭିକାରୀ ସହ ଫେରାର ହୋଇଥିବା ମହିଳାଙ୍କୁ ଠାବ କରିଛି। ହେଲେ ସେ ଫେରାର ହୋଇ ଯାଇଥିବା ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି।

ଏଆଇ ଦ୍ୱାରା ସୃଷ୍ଟି କରାଯାଇଥିବା ଫଟୋ

  • Published: Tuesday, 07 January 2025
  • , Updated: 07 January 2025, 03:33 PM IST

ସାମ୍ନାକୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୩୬ ବର୍ଷୀୟ ମହିଳା ତାଙ୍କ ସ୍ୱାମୀ ଓ ୬ ପିଲାଙ୍କୁ ଛାଡ଼ି ଭିକ ମାଗିବାକୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଛନ୍ତି। ମହିଳାଙ୍କ ସ୍ୱାମୀ ରାଜୁ ଏନେଇ ଉତ୍ତର ପ୍ରଦେଶର ହରଦୋଇ ପୁଲିସ୍‌ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ପୁଲିସ୍‌ ଭିକାରୀ ସହ ଫେରାର ହୋଇଥିବା ମହିଳାଙ୍କୁ ଠାବ କରିଛି। ହେଲେ ସେ ଫେରାର ହୋଇ ଯାଇଥିବା ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି। ପୁଲିସ୍‌ ଭାରତୀୟ ନ୍ୟାୟ ସଂହିତାର ଧାରା ୮୭ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ହରଦୋଇର ହରପଲପୁରରେ ରହୁଥିବା ୪୫ ବର୍ଷୀୟ ରାଜୁ ତାଙ୍କ ଅଭିଯୋଗରେ କହଛନ୍ତି ଯେ ତାଙ୍କ ପତ୍ନୀ ରାଜେଶ୍ୱରୀ ଓ ୬ ପିଲା ଦୀର୍ଘ ବର୍ଷ ହେଲା ଏଠାରେ ରହୁଥିଲେ। କିଛି ମାସ ହେବ ୪୫ ବର୍ଷୀୟ ନାହ୍ନେ ପଣ୍ଡିତ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ଭିକ ମାଗିବାକୁ ଆସିଥିଲେ। ସମୟକ୍ରମେ ପଣ୍ଡିତ ଓ ରାଜେଶ୍ୱରୀଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଉଭୟ ପରସ୍ପର ସହ ରାସ୍ତାରେ କଥା ମଧ୍ୟ ହୁଅନ୍ତି। ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମର ରୂପ ନେଇଥିଲା। ପଣ୍ଡିତ ଓ ରାଜେଶ୍ୱରୀ ଫୋନରେ ମଧ୍ୟ କଥା ହେଉଥିଲେ।

ଜାନୁଆରୀ ୩ ତାରିଖ ଅପରାହ୍ଣ ପ୍ରାୟ ୨ଟା ବେଳେ ରାଜେଶ୍ୱର ତାଙ୍କ ଝିଅ ଖୁସବୁଙ୍କୁ ମାର୍କେଟ ଯାଉଥିବା କହି ଘରୁ ବାହାରିଥିଲେ। କିଛି କପଡ଼ା ଓ ପରିବା ଆଣିବା ପାଇଁ ସେ ଯାଇଥିଲେ। କିନ୍ତୁ ଆଉ ସେ ଘରକୁ ଫେରି ନଥିଲେ। ରାଜେଶ୍ୱରୀ ଘରକୁ ନ ଫେରିବାରୁ ରାଜୁ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜିବାରେ ଲାଗିଥିଲେ।

ଘରୁ ବାହାରିବା ମଇଁଷି ବିକ୍ରି କରି ରାଜୁ ରଖିଥିବା ଟଙ୍କାକୁ ମଧ୍ୟ ରାଜେଶ୍ୱରୀ ନେଇ ଯାଇଥିଲେ। ରାଜେଶ୍ୱରୀଙ୍କୁ ନ ପାଇବାରୁ ସେ ପଣ୍ଡିତଙ୍କ ଉପରେ ସନ୍ଦେହ କରିଥିଲେ। ସେ ହିଁ ରାଜେଶ୍ୱରୀଙ୍କୁ ନେଇ ଫେରାର ହୋଇଯାଇଥିବା ଆଶଙ୍କା କରି ରାଜୁ ପୁଲିସରେ ଅଭିଯୋଗ କରିଥିଲା।

ପୁଲିସ୍‌ ଅଭିଯୋଗ ପାଇବା ପରେ ରାଜେଶ୍ୱରୀଙ୍କୁ ଠାବ କରିଛି। ତେବେ ପଣ୍ଡିତ ଏଯାଏ ଧରାପଡ଼ି ନାହାନ୍ତି। ରାଜେଶ୍ୱରୀ ନିଜ ଇଚ୍ଛାରେ ତାଙ୍କ ସହ ଯାଇଥିଲେ ନା ତାଙ୍କୁ ଅପହରଣ କରାଯାଇଥିଲା, ତା’ର ଯାଞ୍ଚ ମଧ୍ୟ ପୁଲିସ୍‌ କରୁଛି।

Related story