Advertisment

କରୋନାକୁ ଡର: ୩ ବର୍ଷ କାଳ ପୁଅ ସହ ନିଜକୁ ଘର ଭିତରେ ବନ୍ଦୀ କରି ରଖିଥିଲେ, ଅଳିଆ ବି ଫିଙ୍ଗୁ ନଥିଲେ

ଏହି ୩ ବର୍ଷର ବନ୍ଦୀ ଜୀବନ ବିତାଇବା ସମୟରେ ମୁନମୁନ ତାଙ୍କର ଓ ତାଙ୍କ ପୁଅଙ୍କ ଚୁଟି ଘର ଭିତରେ ହିଁ କାଟୁଥିଲେ।

ଅଦ୍ୟତନ ହୋଇଛି
Corona

Corona

Advertisment

ମହାମାରୀ କରୋନା କେମିତି ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିଥିଲା, ତା’ର ଗୋଟିଏ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଜଣେ ମହିଳା ନିଜ ୧୦ ବର୍ଷର ପୁଅ ସହ ଘର ଭିତରେ ଦୀର୍ଘ ୩ ବର୍ଷ କାଳ ବନ୍ଦୀ ହୋଇ ରହିଥିଲେ। ମହିଳା ଜଣଙ୍କ ଏହି ସମୟରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଘର ଭିତରେ ପଶିବାକୁ ଅନୁମତି ଦେଉ ନଥିଲେ। ଘର ଭିତରେ ଗଦାଗଦା ଅଳିଆ ଓ ଆବର୍ଜନା ରହିଥିଲେ ମଧ୍ୟ ଏହାକୁ ୩ ବର୍ଷ ହେଲା ମହିଳା ଜଣଙ୍କ ବାହାରେ ମଧ୍ୟ ଫିଙ୍ଗି ନଥିଲେ। ଏପରି ଏକ ଘଟଣା ଗୁରୁଗ୍ରାମରୁ ସାମ୍ନାକୁ ଆସିଛି। 

Advertisment

ତେବେ ଧୈର୍ଯ୍ୟ ଅସମ୍ଭାଳ ହେବାରୁ ଗୋଟିଏ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିବା ମହିଳାଙ୍କ ସ୍ୱାମୀ ସୁଜନ ମାଝୀ ମଙ୍ଗଳବାର ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଖବର ପାଇ ଗୁରୁଗ୍ରାମର ଚକ୍ରପୁର ପୁଲିସ୍‌ ପୋଷ୍ଟରେ ମୁତୟନ କର୍ମଚାରୀ, ଡାକ୍ତରୀ ଟିମ ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେମାନେ ଘରର ମୁଖ୍ୟ ଫାଟକ ଭାଙ୍ଗି ତା’ ଭିତରେ ଏକପ୍ରକାରର ବନ୍ଦୀ ଜୀବନ ବିତାଉଥିବା ମୁନମୁନ ମାଝୀ ଓ ତାଙ୍କ ୧୦ ବର୍ଷର ପୁଅଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ଘରର ଭିତରର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଘର ଭିତରେ ପୁଳାପୁଳା ଡ୍ରେସ ଗଦା ହୋଇ ରହିଥିବା ବେଳେ କଟା ଚୁଟି, ଅଳିଆ, ଅଇଁଟା ଜିନିଷ ଓ ଗ୍ରୋସରୀ ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଗଦାଗଦା ଅଳିଆ ଓ ଆବର୍ଜନା ଯୋଗୁ ଘର ଭିତରୁ ମଧ୍ୟ ଦୁର୍ଗନ୍ଧ ବାହାରିବାରେ ଲାଗିଥିଲା। 

Advertisment

ଏହି ୩ ବର୍ଷର ବନ୍ଦୀ ଜୀବନ ବିତାଇବା ସମୟରେ ମୁନମୁନ ତାଙ୍କର ଓ ତାଙ୍କ ପୁଅଙ୍କ ଚୁଟି ଘର ଭିତରେ ହିଁ କାଟୁଥିଲେ। ଗ୍ୟାସ ବଦଳରେ ସେ ଇଣ୍ଡକ୍ସନରେ ରୋଷେଇ କରୁଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ୩ ବର୍ଷ ହେଲା ଘରର ଅଳିଆ ମଧ୍ୟ ସେ ବାହାରକୁ ‍ଫିଙ୍ଗି ନଥିଲେ। ଫଳରେ ଘର ଯାକ ଅଳିଆ ଗଦା ହୋଇ ରହିଥିଲା। 

କେହି ବି ଏହି ୩ ବର୍ଷ ମଧ୍ୟରେ ମୁନମୁନଙ୍କ ଘରକୁ ଯାଇ ନଥିଲେ। ଘରର କାନ୍ଥରେ ୧୦ ବର୍ଷର ପିଲାଟି ଚିତ୍ର ଆଙ୍କୁ ଥିଲେ ଓ କେବଳ ପେନସିଲ ବ୍ୟବହାର କରି ପାଢ଼ ପଢ଼ୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ମୁନମୁନଙ୍କ ପୁଅ ଏହି ୩ ବର୍ଷ ମଧ୍ୟରେ କେବେ ହେଲେ ସୂର୍ଯ୍ୟଙ୍କ ଆଲୋକ ଦେଖିବାକୁ ସକ୍ଷମ ହୋଇ ନାହାନ୍ତି। 

ମୁନମୁନଙ୍କ ଘର ପାଖରେ ଅନେକ ଲୋକ ରହୁଥିଲେ ହେଁ ସେମାନେ ବି ଏସମ୍ପର୍କରେ କିଛି ବି ସୁରାକ ପାଇ ନଥିଲେ। ଜଣେ ପୁଲିସ ଅଧିକାରୀ କହିଛନ୍ତି, ମହାମାରୀ କରୋନାକୁ ଅତ୍ୟନ୍ତ ଭୟ କରୁଥିବାରୁ ମହିଳା ଜଣଙ୍କ ଏପରି କରିଛନ୍ତି। ଯଦି ସେ ଘର ବାହାରକୁ ଯିବେ, ତା’ହେଲେ ତାଙ୍କ ପୁଅ ମରିଯିବ ବୋଲି ଆଶଙ୍କା କରୁଥିଲେ।

ଏହି ୩ ବର୍ଷ ବନ୍ଦୀ ଜୀବନ ବିତାଇବା ସମୟରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଘର ଭିତରକୁ ଆସିବାକୁ ଅନୁମତି ଦେଉ ନଥିଲେ। ପ୍ରଥମ ଲକଡାଉନ ଶେଷ ହେବା ପରେ ମହିଳାଙ୍କ ସ୍ୱାମୀ ଅଫିସ ବାହାରିଥିଲେ। ସେବେଠାରୁ ଆଉ ସିଏ ଘର ଭିତରକୁ ଯାଇ ନାହାନ୍ତି। ସୁଜନ ମାଝୀ କେବଳ ଭିଡିଓ କଲ ଦ୍ୱାରା ନିଜ ପରିବାରର ଯୋଗାଯୋଗରେ ରହିଥିଲେ।

ଘରର ଭଡ଼ା, ମାସିକ ବିଜୁଳି ବିଲ ଓ ପୁଅର ସ୍କୁଲ ଫି’ ସୁଜନ ପୈଠ କରୁଥିଲେ। ସେ ଗ୍ରୋସରୀ ଓ ପରିବା କିଣିବା ପରେ ଘରର ମୁଖ୍ୟ ଦ୍ୱାର ନିକଟରେ ବ୍ୟାଗ ରଖି ଚାଲି ଯାଉଥିଲେ। ହେଲେ ୩ ବର୍ଷ ଧରି ଏପରି ଚାଲିବାରୁ ସୁଜନ ବାଧ୍ୟ ହୋଇ ପୁଲିସରେ ଖବର ଦେଇଥିଲା। ମୁନମୁନ ଓ ତାଙ୍କ ପୁଅଙ୍କୁ ଘର ଭିତରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Corona Cases In India Coronavirus Corona Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe