/odisha-reporter/media/media_files/2026/01/23/murder-2026-01-23-18-14-54.jpg)
ନାଗରାଜୁ ଓ ମାଧୁରୀ (ଫାଇଲ ଫଟୋ)
ପରକୀୟା ପ୍ରୀତି ଯୋଗୁ ବିଷାକ୍ତ ହୋଇଥିଲା ବୈବାହିକ ଜୀବନ। ଶେଷରେ ଏହି ବିଷ ଗୋଟିଏ ଭୟଙ୍କର ହତ୍ୟାକାଣ୍ଡ ଘଟାଇଛି। ଦୁଇ ଛୁଆର ମା’ ହୋଇ ମଧ୍ୟ ପର ପୁରୁଷ ସହ ସମ୍ପର୍କ ରଖିବାକୁ ପଛାଉ ନଥିଲେ। ନିଜର ପରକୀୟା ପ୍ରୀତିରେ ସ୍ୱାମୀ ବାଧକ ସାଜିବାକୁ ପତ୍ନୀ ଘଟାଇଛନ୍ତି ଜଘନ୍ୟକାଣ୍ଡ। ନିଜର ପ୍ରେମିକ ସହ ମିଶି ସେ ସ୍ୱାମୀଙ୍କୁ ନିଦ ବଟିକା ଦେବା ସହ ଅଣନିଃଶ୍ୱାସୀ କରି ହତ୍ୟା(Murder) କରିଛନ୍ତି।
ଖାଲି ସେତିକି ନୁହେଁ, ସ୍ୱାମୀଙ୍କ ଶବ ପାଖରେ ବସି ରାତି ସାରା ପତ୍ନୀ ଜଣଙ୍କ ମୋବାଇଲରେ ବିଭିନ୍ନ ପ୍ରକାରର ପର୍ଣ୍ଣ ଭିଡିଓ ମଧ୍ୟ ଦେଖିଥିଲେ। ଭୋର ସମୟରେ ହିଁ ସ୍ୱାମୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦେଇ ବେଶ ଭଲ ଭାବେ ନାଟକ ମଧ୍ୟ କରିଥିଲେ। କିନ୍ତୁ ପୁଲିସ୍ ତଦନ୍ତରୁ ମହିଳାଙ୍କ ସବୁ ଗୁମର ଖୋଲି ଯାଇଛି। ଆନ୍ଧ୍ର ପ୍ରଦେଶରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ କହିଛି ଯେ ମୃତକ ହେଲେ ଲୋକମ ଶିବନାଗାରାଜୁ। ସେ ରାଜ୍ୟର ଜଣେ ପିଆଜ ବ୍ୟବସାୟୀ।
ତାଙ୍କୁ ଜାନୁଆରୀ ୧୮ ତାରିଖ ରାତିରେ ତାଙ୍କ ପତ୍ନୀ ଲକ୍ଷ୍ମୀ ମାଧୁରୀ ଖାଇବାରେ ପ୍ରଥମେ ନିଦ ବଟିବା ଦେବା ସହ ପରେ ତାଙ୍କୁ ତକିଆ ଦ୍ୱାରା ଅଣନିଃଶ୍ୱାସୀ କରି ହତ୍ୟା କରିଛନ୍ତି। ଶିବନାଗରାଜୁ ୨୦୦୭ରେ ଲକ୍ଷ୍ମୀ ମାଧୁରୀଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ଜଣ ପୁଅ ମଧ୍ୟ ରହିଛନ୍ତି।
ତଦନ୍ତରୁ ଜଣାପଡ଼ିଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବେଶ କିଛି ବର୍ଷ ହେଲା ନିୟମିତ ପାଟିତୁଣ୍ଡ ହେଉଥିଲା। ଲକ୍ଷ୍ମୀ ମାଧୁରୀ ବିଜୟୱାଡା ସ୍ଥିତ ଗୋଟିଏ ସିନେମା ହଲ ଟିକେଟ କାଉଣ୍ଟରରେ କାମ କରୁଥିଲେ। ଏହି ସମୟରେ ତାଙ୍କର ଅନୈତିକ ସମ୍ପର୍କ ଗୋପୀ ନାମକ ଜଣେ କାର ଟ୍ରାଭେଲ ଅପରେଟରଙ୍କ ସହ ଆରମ୍ଭ ହୋଇଥିଲା। ସ୍ୱାମୀଙ୍କ ପିଆଜ ବ୍ୟବସାୟକୁ ଲକ୍ଷ୍ମୀ ମାଧୁରୀ ଆଦୌ ପସନ୍ଦ କରୁ ନଥିଲେ।
ଏଥିପାଇଁ ସେ ତାଙ୍କୁ ବ୍ୟବସାୟ ଛାଡ଼ିବାକୁ ବାଧ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ସ୍ୱାମୀଙ୍କ ପାଇଁ ଗୋଟିଏ କାମ ହାଇଦ୍ରାବାଦରେ ବୁଝି ଦେଇଥିଲେ। ଗୋପୀଙ୍କ ବ୍ୟବସାୟ ମଧ୍ୟ ହାଇଦ୍ରାବାଦରେ ରହିଛି। କାମ ପାଇଁ ଶିବନାଗରାଜୁ ହାଇଦ୍ରାବାଦ ଚାଲି ଯିବାରୁ ମାଧୁରୀ ଏପଟେ ନିଜ ପରକୀୟା ପ୍ରୀତିକୁ ଆହୁରି ତୀବ୍ର କରିଥିଲେ। କିନ୍ତୁ ଶିବନାଗରାଜୁ କିଛି ମାସ ପରେ ଘରକୁ ଫେରିବା ସହ ଘରୁ କାମ କରିବା ଆରମ୍ଭ କରିଥିଲେ। ଏହା ମାଧୁରୀଙ୍କ ଅନୈତିକ ସମ୍ପର୍କରେ ବାଧା ସୃଷ୍ଟି କରିଥିଲା।
ଏଥିପାଇଁ ମାଧୁରୀ ନିଜର ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ଅନୁସାରେ, ଜାନୁଆରୀ ୧୮ ତାରିଖରେ ମାଧୁରୀ ଘରେ ବିରିୟାନୀ କରିଥିଲେ। ହେଲେ ଏଥିରେ ୨୦ଟି ନିଦ ବଟିକା ମିଶାଇ ସ୍ୱାମୀଙ୍କୁ ଖାଇବାକୁ ଦେଇଥିଲେ। ଏହାକୁ ଖାଇବା ପରେ ନାଗରାଜୁ ଗଭୀର ନିଦକୁ ଚାଲି ଯାଇଥିଲେ।
ରାତି ପ୍ରାୟ ୧୧.୩୦ରେ ଗୋପୀ ଆସି ମାଧୁରୀଙ୍କ ଘରେ ପହଞ୍ଚିଥିଲେ। ସେ ନାଗରାଜୁଙ୍କୁ ଚିତ କରି ତାଙ୍କ ଛାତିରେ ବସି ପଡ଼ିଥିଲେ। ମାଧୁରୀ ଗୋଟିଏ ତକିଆରେ ସ୍ୱାମୀଙ୍କ ନାଗ ଓ ପାଟିକୁ ବନ୍ଦ କରି ଦେଇଥିଲେ। ନାଗରାଜୁଙ୍କ ନିଃଶ୍ୱାସ ବନ୍ଦ ହେବା ଯାଏ ଉଭୟ ସେହି ଅବସ୍ଥାରେ ରହିଥିଲେ। ନାଗରାଜୁଙ୍କୁ ହତ୍ୟା କରିବା ପରେ ଗୋପୀ ତୁରନ୍ତ ସେଠାରୁ ଚାଲି ଯାଇଥିଲେ।
ମାଧୁରୀ ଏକାକୀ ଶବ ସହ ଘରେ ରହିଥିଲେ। ରାତି ସାରା ସେ ସ୍ୱାମୀଙ୍କ ଶବ ପାଖରେ ବସି ବିଭିନ୍ନ ପ୍ରକାରର ପର୍ଣ୍ଣଗ୍ରାଫି ଭିଡିଓ ଦେଖିଥିଲେ। ରାତି ପ୍ରାୟ ୪ଟା ବେଳେ ସେ ପଡ଼ୋଶୀଙ୍କୁ ଖବର ଦେବା ସହ ହାର୍ଟଆଟାକରେ ସ୍ୱାମୀଙ୍କ ମୃତ୍ୟୁ ହୋଇ ଯାଇଥିବା କହି ବେଶ ନାଟକ କରିଥିଲେ।
ହେଲେ ତାଙ୍କ ହାବଭାବକୁ ଦେଖି ପଡ଼ୋଶୀମାନେ ସନ୍ଦେହ କରିଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡ଼ା ଓ ମାଧୁରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ମଧ୍ୟ ସେମାନଙ୍କୁ ଜଣାଥିଲା। ଏହାବାଦ ନାଗରାଜୁଙ୍କ କାନ ପାଖରୁ ରକ୍ତ ବାହାରୁ ଥିବା ଦେଖି ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ।
ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ନାଗରାଜୁଙ୍କ ଛାତି ପାଖରେ ଆଘାତ ଲାଗିଛି। ହାର୍ଟ ଆଟାକ ନୁହେଁ, ବରଂ ଅଣନିଃଶ୍ୱାସ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।
ଏହାପରେ ପୁଲିସ୍ ମାମଲା ରୁଜୁ କରି ମାଧୁରୀଙ୍କୁ ଜେରା ଆରମ୍ଭ କରିଥିଲା। ଜେରା ବେଳେ ମାଧୁରୀ ସବୁ କିଛି ମାନି ନେଇଛନ୍ତି। ପୁଲିସ୍ ତାଙ୍କୁ ଗିରଫ କରିଥିବା ବେଳେ ଗୋପୀ ଏଯାଏ ଫେରାର ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
