/odisha-reporter/media/media_files/2026/01/10/hyderabad-2026-01-10-16-40-16.jpg)
ସୁଷମା ଓ ପୁଅ (ଫାଇଲ ଫଟୋ)
ନିଜର ଜନ୍ମ କଲା ପୁଅକୁ ନିଜ ହାତରେ ବିଷ ଦେଇ ହତ୍ୟା କରିଛନ୍ତି ଜଣେ ମା’। ପୁଅକୁ ବିଷ ଦେଇ ମାରିବା ପରେ ୨୭ ବର୍ଷୀୟ ମା’ ଜଣଙ୍କ ମଧ୍ୟ ଜୀବନ ହାରି ଦେଇଛନ୍ତି। ହାଇଦ୍ରାବାଦ(Hyderabad)ରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏପରି ଘଟଣା ପଛର କାରଣ ହେଉଛି ପାରିବାରିକ ବିବାଦ।
ସ୍ୱାମୀଙ୍କ ସହ ଲାଗି ରହିଥିବା ତିକ୍ତତା ଯୋଗୁ ୨୭ ବର୍ଷୀୟ ମହିଳା ଜଣଙ୍କ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମହିଳାଙ୍କ ମା’ ମଧ୍ୟ ନିଜ ଝିଅ ଓ ନାତିର ମୃତ୍ୟୁ ଦେଖି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
୨୭ ବର୍ଷୀୟ ମହିଳା ଜଣଙ୍କ ହେଲେ ସୁଷମା। ସେ ୪ ବର୍ଷ ତଳେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଯଶବନ୍ତ ରେଡ୍ଡୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ୧୦ ମାସର ପୁଅ ହେଉଛନ୍ତି ଯଶବର୍ଦ୍ଧନ ରେଡ୍ଡୀ। ବାହାଘର ପରେ ସବୁ କିଛି ଠିକ ରହିଥିଲା। କିନ୍ତୁ କିଛି ମାସ ହେଲାଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିବା ପରିବାର ଲୋକ କହିଛନ୍ତି।
ପୁଲିସ୍ର କହିବା କଥା ଯେ ସୁଷମା ଘଟଣା ଦିନ ପରିବାରର ଗୋଟିଏ କାର୍ଯ୍ୟକ୍ରମ ପାଇଁ ଶପିଂ ଉଦ୍ଦେଶ୍ୟରେ ତାଙ୍କ ୪୪ ବର୍ଷୀୟ ମା’ ଲଳିତାଙ୍କ ପାଖକୁ ଯାଇଥିଲେ। ଘରେ ଥିବା ବେଳେ ସୁଷମା ନିଜର ପୁଅକୁ ଧରି ଗୋଟିଏ ରୁମକୁ ଯାଇଥିଲେ। ସେଠାରେ ସେ ପୁଅକୁ ବିଷ ଦେବା ସହ ନିଜେ ବିଷ ଦେଇଥିଲେ।
ରାତି ପ୍ରାୟ ୯.୩୦ରେ ଯଶବନ୍ତ ରେଡ୍ଡୀ କାମରୁ ଘରୁ ଫେରିଥିଲେ। ବେଡରୁମ ଭିତରକୁ ଲକ ଥିବାରୁ ସେ ଏହାକୁ ଭାଙ୍ଗି ଧସେଇ ପଶିଥିଲେ। ହେଲେ ବେଡ ଉପରେ ନିଜର ପତ୍ନୀ ଓ ପୁଅଙ୍କୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା ଓ ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା।
ନିଜର ଝିଅ ଓ ନାତିର ମୃତଦେହ ଦେଖି ଲଳିତା ପୂରା ଭାଙ୍ଗି ପଡ଼ିଥିଲେ। ସେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ତାଙ୍କୁ ଉଦ୍ଧାର କରି ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ପୁଲିସ୍ ଗୋଟିଏ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଦମ୍ପତିଙ୍କ ମଧ୍ୟରେ ଥିବା ଘରୋଇ ବିବାଦ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ଅନୁମାନ କରାଯାଉଥିବା ପୁଲିସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
