/odisha-reporter/media/post_attachments/uploadimage/library/16_9/16_9_0/Police_1743757733.jpg)
Police
ଦେଶର ରାଜଧାନୀ ଦିଲ୍ଲୀରେ ଥିବା ଏମ୍ସର ମହିଳା ଡାକ୍ତରମାନଙ୍କ ହସ୍ପିଟାଲରୁ ଅଳଙ୍କାର ଚୋରି ହେବା ଘଟଣାର ପର୍ଦ୍ଦାଫାସ ହୋଇଛି। ମହିଳା ଡାକ୍ତରଙ୍କ ହଷ୍ଟେଲ ରୁମରୁ ବେଶ କୌଶଳ କ୍ରମେ ଚୋରି କରାଯାଇଥିବା ସୁନା ଅଳଙ୍କାର ସହ ନଗଦ ଟଙ୍କା।
ଚୋରି ଖବର ପୁଲିସ୍ ପାଖରେ ପହଞ୍ଚିଥିଲା ଓ ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍ ଜଣେ ୪୩ ବର୍ଷୀୟ ମହିଳାଙ୍କ ପାଖରେ ପହଞ୍ଚିଛି। ସୁନା ପ୍ରତି ମହିଳାଙ୍କ ପ୍ରବଳ ଲୋଭ ରହିଛି। ପୂର୍ବରୁ ମଧ୍ୟ ସେ ଅନେକ ଥର ଅଳଙ୍କାର ଚୋରି କରିଥିଲେ। ଏମ୍ସର ମହିଳା ଡାକ୍ତରଙ୍କ ହଷ୍ଟେଲ ରୁମରୁ ମଧ୍ୟ ସେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି।
ଅଭିଯୁକ୍ତ ମହିଳା ଜଣଙ୍କ ଗାଜିଆବାଦରେ ରୁହନ୍ତି। ସେ ସାଇନ୍ସରେ ଗ୍ରାଜ୍ୟୁଏଟ କରିବା ସହ ମେଡିକାଲ ଲ୍ୟାବ ଟେକ୍ନୋଲୋଜିରେ ଡିପ୍ଲୋମା ମଧ୍ୟ କରିଛନ୍ତି। ତାଙ୍କୁ ସୁନା ଅଳଙ୍କାର ବେଶ ପସନ୍ଦ। କିନ୍ତୁ ସେଗୁଡ଼ିକ କିଣିବାକୁ ତାଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିଲା। ତେଣୁ ସେ ସୁନା ଅଳଙ୍କାର ଚୋରି କରିବା ଆରମ୍ଭ କରିଥିଲେ।
ମାର୍ଚ୍ଚ ୨୭ରେ ଏମ୍ସର ଜଣେ ମହିଳା ଡାକ୍ତର ତାଙ୍କ ହଷ୍ଟେଲ ରୁମରୁ ଚୋରି ହୋଇଥିବା ନେଇ ପୁଲିସ୍ରେ ଅଭିଯୋଗ କରିଥିଲେ। ତାଙ୍କ ରୁମରୁ ୨ଟି ସୁନା ଚେନ, ଗୋଟିଏ ସୁନା ମୁଦି, ସୁନା କାନ ଫୁଲ, ସୁନା ବ୍ରେସଲେଟ, ନଗଦ ୪,୫୦୦ ଟଙ୍କା ଓ ୫୨୨ ମାଲେସିୟା ମୁଦ୍ରା ଚୋରି ହୋଇ ଯାଇଥିବା ସେ ପୁଲିସ୍କୁ କହିଥିଲେ। ପୁଲିସ୍ ଅଭିଯୋଗ ପାଇବା ପରେ ଏଫଆଇଆର ରୁଜୁ କରିଥିଲା ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ପୁଲିସ୍ ଏମ୍ସ ହସ୍ପିଟାଲ ପରିସରରେ ଲାଗିଥିବା ପ୍ରାୟ ୧୦୦ରୁ ଅଧିକ ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲା। ଏହି ସମୟରେ ଜଣା ପଡ଼ିଥିଲେ ଯେ ଅଧିକାଂଶ ଡାକ୍ତର କାମକୁ ବାହାରି ଯାଇଥିବା ବେଳେ ଜଣେ ମହିଳା ସେମାନଙ୍କ ହଷ୍ଟେଲର କରିଡରରେ ବୁଲୁଛନ୍ତି। ପୁଲିସ୍ ତାଙ୍କ ଉପରେ ସନ୍ଦେହ କରିଥିଲା। ସିସିଟିଭିରେ ଦେଖିବାକୁ ମିଳିଥିଲା ଯେ ମହିଳା ଜଣଙ୍କ ନିଜକୁ ଡାକ୍ତର ଭାବେ ଚିତ୍ରିତ କରିଥିଲେ। ଏଥିପାଇଁ ସେ ମହିଳା ଡାକ୍ତରଙ୍କ ଭଳି ନିଜ ପୋଷାକ ଉପରେ ଧଳା କୋଟ ମଧ୍ୟ ପିନ୍ଧିଥିଲେ।
କିନ୍ତୁ ସେ ହଷ୍ଟେଲର କରିଡରରେ ବୁଲିବା ସମୟରେ ଏକାଧିକ ରୁମ ଖୋଲିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଦେଖି ପୁଲିସ୍ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ଆଉ ଏକ ସିସିଟିଭିରେ ସେ ଏମ୍ସକୁ ଆସିବା ଓ ଗୋଟିଏ ସ୍କୁଟିରେ ସେଠାରୁ ଚାଲି ଯାଉଥିବା ଦୃଶ୍ୟ ରହିଥିଲା। ସ୍କୁଟିର ନମ୍ବରକୁ ଆଧାର କରି ପୁଲିସ୍ ଗାଜିଆବାଦର ବ୍ରିଜ ବିହାର ଠାରେ ପହଞ୍ଚିଥିଲା। ସେଠାରେ ରହୁଥିବା ମହିଳାଙ୍କୁ ଘନଘନ ଜେରା କରିବାରୁ ସେ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି।
ଜେରା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କୁ ସୁନା ଅଳଙ୍କାର ପିନ୍ଧିବାକୁ ବହୁତ ଭଲ ଲାଗେ ଓ ଏଥିପାଇଁ ସେ ଅପରାଧ ଦୁନିଆରେ ପାଦ ଦେଇଥିଲେ। ମହିଳା ଜଣଙ୍କ ଗୋଟିଏ ଘରୋଇ ହସ୍ପିଟାଲରେ ଲ୍ୟାବ ଆସିସଷ୍ଟାଣ୍ଟ ଭାବେ କାମ କରନ୍ତି। ଏକଦା ସେ ଏମ୍ସକୁ ଆସିବା ବେଳେ ଜାଣିବାକୁ ପାଇଥିଲେ ଯେ ଅଧିକାଂଶ ମହିଳା ଡାକ୍ତର କାମକୁ ଯିବା ବେଳେ ସେମାନଙ୍କ ହଷ୍ଟେଲ ରୁମକୁ ଲକ କରନ୍ତି ନାହିଁ। ଏହାର ଫାଇଦା ଉଠାଇ ସେ ଗୋଟିଏ ଡାକ୍ତର କୋଟ ଆଣିଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଏମ୍ସର ମହିଳା ଡାକ୍ତରଙ୍କ ହଷ୍ଟେଲରେ ପହଞ୍ଚିଥିଲେ। ସେଠାରୁ ମଉକା ଦେଖି ସୁନା ଅଳଙ୍କାର ଚୋରି କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
