ଦୀର୍ଘ ୩ ଦଶନ୍ଧିର ପ୍ରୟାସ ପରେ ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। ଆଜି କେନ୍ଦ୍ର ସରକାର ନାରୀ ଶକ୍ତି ବନ୍ଦନ ଅଧିନିୟମ ଲୋକସଭାରେ ଆଗତ କରି ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩% ଆସନ ସଂରକ୍ଷଣ କରିବା ଦିଗରେ ଆଉ ପାଦେ ଆଗେଇଛନ୍ତି।
ତେବେ ଯଦି ବି ଏହା ଆଇନରେ ପରିଣତ ହେବ, ତେବେ ୨୦୨୯ ପୂର୍ବରୁ ଏଥିରେ ଥିବା ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ। ୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍ ଆଇନରେ ପରିଣତ ହେଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କେବଳ ପ୍ରଥମ ସୀମା ପୁନଃ ନିର୍ଦ୍ଧାରଣ କିମ୍ବା ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ।
ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବ। ୨୦୨୭ରେ ଯାଇ ଦେଶରେ ଜନଗଣନା କରାଯିବ। ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା।
ଏବେ ୨୦୨୭ରେ ଜନଗଣନା କରିବାକୁ ଯୋଜନା ହୋଇଛି। ୨୦୨୭ରେ ଜନଗଣନା ହେବା ପରେ ୨୦୨୯ ନିର୍ବାଚନ ବେଳକୁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ। ଏହାବାଦ ଆଇନରେ ପରିଣତ ହେବା ପରେ ଏହା ୧୫ ବର୍ଷ ଯାଏ କାର୍ଯ୍ୟକ୍ଷମ ହେବ। ଏହାପରେ ଏହାକୁ ବୃଦ୍ଧି ମଧ୍ୟ କରାଯାଇ ପାରିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରତି ସୀମା ପୁନଃ ନିର୍ଦ୍ଧାରଣ ପରେ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ସିଟ୍ ବଦଳିବ। ବିଲ୍ରେ କୁହାଯାଇଛି ଯେ ଲୋକସଭା ଓ ରାଜ୍ୟ ବିଧାନସଭାର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ। ଏଗୁଡ଼ିକ ସିଧାସଳଖ ନିର୍ବାଚନ ଦ୍ୱାରା ପୂରଣ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟସଭା କିମ୍ବା ରାଜ୍ୟ ବିଧାନ ପରିଷଦ ପାଇଁ ଲାଗୁ ହେବ ନାହିଁ। ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଆସନଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ରହିବ।
ବିଲ୍ରେ ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ। ୧୯୯୬ରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ବେଳେ ମଧ୍ୟ ଓବିସିଙ୍କ ପାଇଁ ବ୍ୟବସ୍ଥା ନଥିଲା। ଖାସ୍ ଏହି କାରଣ ପାଇଁ ଦଶନ୍ଧି ଦଶନ୍ଧି ଧରି ସମାଜବାଦୀ ପାର୍ଟି ଓ ଆରଜେଡି ଭଳି ଦଳ ଏହାକୁ ବିରୋଧ କରି ଆସୁଥିଲେ।
ମନମୋହନ ସିଂହ ସରକାର ୨୦୧୦ରେ କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍ ଆସିଥିଲା। ସେଥିରେ ଯେଉଁ ସବୁ ପ୍ରାବଧାନ ଥିଲା, ଏବେ କେବଳ ସେଥିରେ ଦୁଇଟି ସଂଶୋଧନ କରାଯାଇଛି। ନୂଆ ବିଲ୍ରେ ଆଙ୍ଗଲୋ ଇଣ୍ଡିଆନ କମ୍ୟୁନିଟିଙ୍କୁ ବାଦ ଦିଆଯାଇଛି।
ବର୍ତ୍ତମାନ ମାତ୍ର ୧୪% ମହିଳା ସଂସଦ ଓ ବିଧାନସଭାରେ ରହିଛନ୍ତି। ଏହା ବିଶ୍ୱର ହାରାହାରି ମହିଳା ଭାଗିଦାରୀ ଠାରୁ ଯଥେଷ୍ଟ କମ।