Advertisment

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ!

ଆସନ୍ତାକାଲି ଠାରୁ ସଂସଦର ନୂଆ ବିଲଡିଂରେ ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟ ଆରମ୍ଭ ହେବ।

author-image
Hemant Lenka
ଅଦ୍ୟତନ ହୋଇଛି
Pm Modi

Pm Modi

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିବ ମହିଳା ସଂରକ୍ଷଣ ବିଲ୍‌। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ମିଳିଛି। ଲୋକସଭା ଓ ଦେଶର ବିଭିନ୍ନ ରାଜ୍ୟ ବିଧାନସଭାରେ ଏଣିକି ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ହେବ। 

Advertisment

ଆସନ୍ତାକାଲି ଠାରୁ ସଂସଦର ନୂଆ ବିଲଡିଂରେ ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟ ଆରମ୍ଭ ହେବ। ଏହି ସମୟରେ ସରକାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଣିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ମିଳିଛି। ହେଲେ ସରକାର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରି ନାହାନ୍ତି। ସାଧାରଣତଃ କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀମାନେ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଅନ୍ତି।

Advertisment

ହେଲେ ଆଜି ବୈଠକ ପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସାମ୍ବାଦିକ ସମ୍ମିଳନୀ କରାଯାଇ ନାହିଁ। କିନ୍ତୁ ସରକାରୀ ସୂତ୍ର ଅନୁସାରେ କ୍ୟାବିନେଟ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ଦେଇଛି।

ଆଜି ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ପ୍ରଧାମନ୍ତ୍ରରେ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଥିଲେ। ଅଧିବେଶ ଛୋଟ ହୋଇଥିଲେ ମଧ୍ୟ ଏଥିରେ ଐତିହାସିକ ନିଷ୍ପତ୍ତି ନିଆଯିବ ବୋଲି ସେ କହିବା ପରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଏସବୁ ଭିତରେ ହଠାତ୍‌ ସନ୍ଧ୍ୟାରେ କ୍ୟାବିନେଟ ବୈଠକ ବସିବ ବୋଲି ସୂଚନା ମିଳିଥିଲା।

ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟାହ୍ନ ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଥିଲେ। ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ଅମିତ ଶାହ ଓ ନଡ୍ଡାଙ୍କ ପରେ ଦୁଇ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ଏହି ଭେଟଘାଟ ପରେ ସରକାର କୌଣସି ବଡ଼ ନିଷ୍ପତ୍ତି କ୍ୟାବିନେଟରେ ନେବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। କୁହାଯାଇଥିଲା ଯେ ସରକାର ମହିଳା ସଂରକ୍ଷଣ କିମ୍ବା ଅନ୍ୟ ପଛୁଆ ବର୍ଗଙ୍କ ଉପରେ କୌଣସି ନିଷ୍ପତ୍ତି ନେଇ ପାରନ୍ତି।

ସେହିପରି ୱାନ ନେଶନ, ୱାନ ଇଲେକସନ ଓ ଦେଶର ନାଁ କେବଳ ଭାରତ ରଖିବା ସଂକ୍ରାନ୍ତ ବିଲ୍‌ ଉପରେ ମଧ୍ୟ କ୍ୟାବିନେଟ ମୋହର ମାରିପାରେ। ଏସବୁ ଭିତରେ କେନ୍ଦ୍ର କ୍ୟାବିନେଟ ମହିଳା ସଂରକ୍ଷଣ ବିଲ୍ ଉପରେ ମୋହର ମାରିଥିବା ଜଣାପଡ଼ିଛି।

PM Modi Cabinet Meeting