Advertisment

ମନ୍ତ୍ରୀଙ୍କୁ ଭେଟି ୫ ଦାବି ରଖିଲେ, WFIର ମୁଖ୍ୟ ମହିଳା ହୁଅନ୍ତୁ ବୋଲି କହିଲେ ରେସଲର

ଏହି ନିମନ୍ତ୍ରଣ ପରେ ଆଜି ଆନ୍ଦୋଳନର ନେତୃତ୍ୱ ନେଉଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ଦିଲ୍ଲୀରେ ଥିବା କ୍ରୀଡ଼ାମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆଲୋଚନା କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Wrestlers

Wrestlers

ଦୀର୍ଘ ଦିନ ହେଲା ଭାରତୀୟ କୁସ୍ତି ମହାସଂଘ(WFI)ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ରେସଲରମାନେ ଆଜି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ତ୍ରୀ ଠାକୁର ବିକ୍ଷୋଭ କରୁଥିବା ଆନ୍ଦୋଳନକାରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ।

Advertisment

ଏହି ନିମନ୍ତ୍ରଣ ପରେ ଆଜି ଆନ୍ଦୋଳନର ନେତୃତ୍ୱ ନେଉଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ଦିଲ୍ଲୀରେ ଥିବା କ୍ରୀଡ଼ାମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆଲୋଚନା କରିଛନ୍ତି। ଏହି ସମୟରେ ସେମାନେ ମୁଖ୍ୟତଃ ୫ଟି ଦାବି ଉପସ୍ଥାପନ କରିଛନ୍ତି। ଏଥିସହ WFIର ମୁଖ୍ୟ ଜଣେ ମହିଳା ରୁହନ୍ତୁ ବୋଲି ଉଭୟ କହିଛନ୍ତି।

୫ ଦିନ ମଧ୍ୟରେ ସରକାର ଓ ରେସଲରଙ୍କ ମଧ୍ୟରେ ଆଲୋଚନା ଦ୍ୱିତୀୟ ଥର ପାଇଁ ହୋଇଛି। ଶନିବାର ରେସଲରମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବ୍ରିଜ ଭୂଷଣ ମହିଳା ରେସଲରମାନଙ୍କୁ କେମିତି ଯୌନ ନିର୍ଯାତନା ଦେଇଥିଲେ, ସେକଥା ଅମିତ ଶାହଙ୍କୁ ଜଣାଇଥିଲେ। ଏଥିସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

Advertisment

ଏବେ ଅନୁରାଗ ଠାକୁରଙ୍କୁ ଭେଟିବା ବେଳେ ରେସଲରମାନେ ୫ଟି ଦାବି ଉପସ୍ଥାପନ କରିଛନ୍ତି। ଏହା ମଧ୍ୟରେ କୁସ୍ତି ମହାସଂଘର ନିର୍ବାଚନ ସଂପୂର୍ଣ୍ଣ ଭାବେ ଅବାଧ ଓ ନିରପେକ୍ଷ ଭାବେ କରିବାକୁ କୁହାଯାଇଛି। ଏଥିସହ ମହାସଂଘର ସଭାପତି ଜଣେ ମହିଳା ହୁଅନ୍ତୁ ଓ ବ୍ରିଜ ଭୂଷଣ କିମ୍ବା ତାଙ୍କ ପରିବାର କୌଣସି ସଦସ୍ୟ WFIର ଅଂଶବିଶେଷ ହୋଇପାରିବେ ନାହିଁ ବୋଲି ସେମାନେ କହିଛନ୍ତି। 

ମେ’ ୨୮ରେ ରେସଲରମାନେ ସଂସଦ ଅଭିମୁଖେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏଥିସହ ସେମାନଙ୍କ ନାଁରେ ମାମଲା ମଧ୍ୟ କରିଥିଲା। ପୁଲିସ୍‌ ରୁଜୁ କରିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ରେସଲରମାନେ ଦାବି ରଖିଛନ୍ତି। ବିଜେପି ସାଂସଦ ବ୍ରିଜ ଭୂଷଣଙ୍କୁ ଗିରଫ କରିବା ପାଇଁ ମଧ୍ୟ ପୁଣିଥରେ ଦୁଇ ରେସଲର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଗରେ ଦୋହରାଇଛନ୍ତି।

ବଜରଙ୍ଗ ପୁନିଆ କହିଛନ୍ତି, “ସରକାର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜୁନ ୧୫ ସୁଦ୍ଧା ପୁଲିସ୍‌ର ତଦନ୍ତ ସରିବ। ଆମେ ରେସଲରଙ୍କ ବିରୋଧରେ ହୋଇଥିବା ସମସ୍ତ ଏଫଆଇଆରକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛୁ। ଯଦି ଜୁନ ୧୫ ସୁଦ୍ଧା କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନ ହୁଏ, ତା’ହେଲେ ଆମେ ଆନ୍ଦୋଳନ ଜାରି ରଖିବୁ। ୧୫ ସୁଦ୍ଧା ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମକୁ ପ୍ରତିଶ୍ରୁତି ମିଳିଛି।” 

ରେସଲରମାନଙ୍କ ଆନ୍ଦୋଳନର ଅନ୍ୟତମ ଚେହେରା ଭିନେଶ ଫୋଗଟ ଆଜିର ବୈଠକରେ ଯୋଗ ଦେଇ ନଥିଲେ। କାରଣ ସେ ଏବେ ତାଙ୍କ ଗାଁ ହରିଆଣାର ବଲାଲିରେ ଆୟୋଜିତ ପଞ୍ଚାୟତରେ ଯୋଗ ଦେବାକୁ ଯାଇଛନ୍ତି।

Protest Indian Wrestler