/odisha-reporter/media/post_attachments/uploadimage/library/16_9/16_9_0/meeting_1674183353.jpg)
meeting
ଭାରତୀୟ କୁସ୍ତି ମହାସଂଘ ଓ ଏହାର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ପଦକ ବିଜେତା ରେସଲରମାନେ ଆଣିଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି କ୍ରୀଡ଼ା ମନ୍ତ୍ରଣାଳୟ। ଗତକାଲି ବିଳମ୍ବିତ ରାତିରେ ରେସଲରମାନଙ୍କ ସହ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କର ଦିଲ୍ଲୀରେ ପ୍ରଥମ ବୈଠକ ବସିଥିବା ବେଳେ ଏହାର କୌଣସି ସମାଧାନ ବାହାରି ପାରି ନ ଥିବା ଜଣାଯାଇଛି।
ଭିନେଶ ଫୋଗଟ, ରବି କୁମାର ଦାହିୟା, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ପ୍ରମୁଖ ଆଗ ଧାଡ଼ିର ଖେଳାଳୀ ଗତକାଲି ରାତି ପ୍ରାୟ ୧୦ଟାରେ କ୍ରୀଡ଼ା ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଏହି ବୈଠକ ଚାଲିଥିଲା। ରାତି ପ୍ରାୟ ୨ଟା ପରେ ଖେଳାଳିମାନେ କ୍ରୀଡ଼ା ମନ୍ତ୍ରୀଙ୍କ ବାସଭବନରୁ ବାହାରି ମିଡିଆକୁ କିଛି ସୂଚନା ନ ଦେଇ ଚାଲି ଯାଇଥିଲେ। ଆଜି ପୁନର୍ବାର ବୈଠକ ବସିବ ବୋଲି ଜଣାଯାଇଛି।
ଗତକାଲି ଆୟୋଜିତ ବୈଠକରେ ରେସଲରମାନେ WFI ଅଧ୍ୟକ୍ଷଙ୍କ ଇସ୍ତଫା ସହ ଏହାକୁ ଭଙ୍ଗ କରିବାକୁ ଦାବି ଜଣାଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଭରସା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ଠାକୁର ।
ଏହି ବୈଠକ ସମ୍ପର୍କରେ କିଛି ସୂଚନା ଦିଆଯାଇ ନ ଥିବା ବେଳେ ଆଜି ସକାଳେ ପୁଣି ଥରେ ଉଭୟ ପକ୍ଷ ମଧ୍ୟରେ ବୈଠକ ବସି ବୋଲି ଜଣାଯାଇଚି। ଏନେଇ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, WFI ତରଫରୁ ଏହି ମାମଲାର ସ୍ପଷ୍ଟିକରଣ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ରେସଲରଙ୍କୁ କହିଛନ୍ତି କ୍ରୀଡ଼ା ମନ୍ତ୍ରୀ।
ବୁଧବାରଠାରୁ ଜନ୍ତର ମନ୍ତରଠାରେ ଆଗ ଧାଡ଼ିର ରେସଲରଙ୍କ ସମେତ ପ୍ରାୟ ୨ଶହ ଜଣ କୁସ୍ତି ଯୋଦ୍ଧା ମହାସଂଘ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନୂଆଦିଲ୍ଲୀରେ ଏହି ବିକ୍ଷୋଭ ପ୍ରଦର୍ଶନ ଚାଲୁଥିବା ବେଳେ ଏଥିରେ ସାମିଲ ଖେଳାଳିଙ୍କୁ ରାଜନୈତିକ ସମର୍ଥନ ମଧ୍ୟ ମିଳିବା ଆରମ୍ଭ ହୋଇଛି।
ନିଜ ରାଜ୍ୟର ଖେଳାଳି ତଥା କନ୍ୟା ରତ୍ନଙ୍କର ଧ୍ୟାନ ରଖାଯିବ ବୋଲି କହିଛନ୍ତି ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଏହାବାଦ ଦିଲ୍ଲୀ ପହଞ୍ଚି ଖେଳାଳୀଙ୍କ ସମର୍ଥନ କରାଯିବ ବୋଲି ଖାପ୍ ପଞ୍ଚାୟତ ପକ୍ଷରୁ ଘୋଷଣା କରାଯାଇଛି।
ଏନେଇ ପୁନିଆ କହିଛନ୍ତି, ପ୍ରାୟ ୬ ଜଣ ମହିଳା ଏହି ନିର୍ଯାତନାର ଶିକାର ହୋଇଛନ୍ତି। ଏନେଇ ଆମ ପାଖରେ ସମସ୍ତ ପ୍ରମାଣ ବି ଅଛି। ଅପରପକ୍ଷେ ଖେଳାଳୀ ସାକ୍ଷୀ ମଲିକ କହିଛନ୍ତି, ସରକାର ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ନାହାନ୍ତି। ସେମାନେ କେବଳ ଭରସା ଦେଇଛନ୍ତି, ଯେଉଁଥିରେ ଆମେ ସନ୍ତୁଷ୍ଟ ନୁହଁ।
ନିଜ ପକ୍ଷ ରଖିବାକୁ କେନ୍ଦ୍ର ସରକାର WFIକୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହାବାଦ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ମନ୍ତ୍ରାଳୟ WFI ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବ ବୋଲି ଜଣାଯାଇଛି ।
ଅପରପକ୍ଷେ, ନିଜ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ ଆପେ ଆପେ ଇସ୍ତଫା ଦେଇଦେବେ ବୋଲି ସୂଚନା ଦେଇଛନ୍ତି WFI ଅଧ୍ୟକ୍ଷ । ଏହା ପଛରେ ରାଜନୈତିକ ଷଡଯନ୍ତ୍ର ଥିବା କହିବା ସହ ‘ଅପରାଧୀ’ ଟ୍ୟାଗ୍ ସହ ସେ ଇସ୍ତଫା ଦେବେନି ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
