ଅମିତ ଶାହଙ୍କୁ ଭେଟିବା ପରେ ସରକାରୀ ଡ୍ୟୁଟିରେ ଯୋଗଦେଲେ ଆନ୍ଦୋଳନକାରୀ ରେସଲର

ଅମିତ ଶାହଙ୍କ ସହ ଆଲୋଚନା କରିବା ପରେ ରେସଲରମାନେ ନିଜ ନିଜର ସରକାରୀ ଚାକିରିରେ ଯୋଗ ମଧ୍ୟ ଦେଇଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଠାରୁ ଆରମ୍ଭ କରି ଭିନେଶ ଫୋଗଟ ଏବଂ ଅନ୍ୟ ସମସ୍ତ ରେସଲର ଡ୍ୟୁଟି ଆରମ୍ଭ କରିଛନ୍ତି। 

ଦେଶର ୩ ଷ୍ଟାର ରେସଲର (ଫାଇଲ ଫଟୋ)

  • Published: Monday, 05 June 2023
  • , Updated: 05 June 2023, 03:39 PM IST

ଦୀର୍ଘ ଦିନ ହେଲା କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ଆଭିମୁଖ୍ୟ ବଦଳିଛି। ସେମାନେ ନିଜ ଜିଦରେ ଅଟଳ ଥିବା ବେଳେ ହଠାତ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରବିବାର ରାତିରେ ଭେଟିଥିଲେ।

ଅମିତ ଶାହଙ୍କ ସହ ଆଲୋଚନା କରିବା ପରେ ରେସଲରମାନେ ନିଜ ନିଜର ସରକାରୀ ଚାକିରିରେ ଯୋଗ ମଧ୍ୟ ଦେଇଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଠାରୁ ଆରମ୍ଭ କରି ଭିନେଶ ଫୋଗଟ ଏବଂ ଅନ୍ୟ ସମସ୍ତ ରେସଲର ଡ୍ୟୁଟି ଆରମ୍ଭ କରିଛନ୍ତି। 

ଅମିତ ଶାହଙ୍କୁ ଭେଟିବା ପରେ ଆଜି ସାକ୍ଷୀ ଓ ବଜରଙ୍ଗ ପୁନିଆ ନିଜ ନିଜର ସରକାରୀ ଡ୍ୟୁଟିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ସୋଶାଲ ମିଡିଆ ପୋଷ୍ଟରେ ଦୁଇ ରେସଲର ଆନ୍ଦୋଳନ ପ୍ରତ୍ୟାହାର ହୋଇ ନାହିଁ ଏବଂ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି।

ସାକ୍ଷୀ ମଲିକ କହିଛନ୍ତି, “ଆମେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲୁ। ଏହା ଏକ ସ୍ୱାଭାବିକ ଆଲୋଚନା ଥିଲା। ଆମେ ଗୋଟିଏ ଦାବି ଉପସ୍ଥାପନ କରିଥିଲୁ ଓ ତାଙ୍କୁ (ବ୍ରିଜ ଭୂଷଣ ସିଂହ)ଙ୍କୁ ଗିରଫ ପାଇଁ କହିଥିଲୁ। ମୁଁ ଆନ୍ଦୋଳନରୁ ପଛକୁ ହଟି ନାହିଁ।

କିନ୍ତୁ ରେଳବାଇର ଓଏସଡି ଭାବେ ମୁଁ ମୋର କାମ ଆରମ୍ଭ କରିଛି। ଆମେ ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ କରିବୁ। ଆମେ ପଛକୁ ହଟିବୁ ନାହିଁ। ସେ (ନାବାଳିକା ପୀଡ଼ିତା) କୌଣସି ପ୍ରକାରର ଏଫଆଇଆର ପ୍ରତ୍ୟାହାର କରି ନାହାନ୍ତି। ମିଛ କଥାକୁ ପ୍ରଚାର କରାଯାଉଛି।”

ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ସମେତ ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ପଦକ ଜିତିଥିବା ଭିନେଶ ଫୋଗଟ ଓ ଅନ୍ୟମାନେ ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ବ୍ରିଜଭୂଷଣ ଅନେକ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଜାନୁଆରୀ ମାସରୁ ଅଭିଯୋଗ କରି ଆସୁଛନ୍ତି। ଦେଶର ଷ୍ଟାର ରେସଲରମାନଙ୍କ ଅଭିଯୋଗ ସତ୍ତ୍ୱେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ହେଉ ନାହିଁ।

ଏହାକୁ ନେଇ ଗତ ଏପ୍ରିଲ ୨୩ରୁ ରେସଲରମାନେ ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପ୍ରଥମେ ଏଫଆଇଆର ରୁଜୁ କରିବାକୁ ଅମଙ୍ଗ ହେଉଥିବା ଦିଲ୍ଲୀ ପୁଲିସ୍‌ ଏଥିରେ ରାଜି ହୋଇଥିଲା। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦିଲ୍ଲୀ ପୁଲିସ୍‌ ଏଫଆଇଆର ରୁଜୁ କରିଛି। ହେଲେ ବ୍ରିଜ ଭୂଷଣ ବେଧଡ଼କ ବାହାରେ ବୁଲିବାରେ ଲାଗିଛନ୍ତି।

ଏହାକୁ ବିରୋଧ କରି ରେସଲରମାନେ ୨୮ ତାରିଖରେ ସଂସଦର ନୂଆ ବିଲଡିଂ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍‌ ଦେଶ ପାଇଁ ମେଡାଲ ଜିତିଥିବା ରେସଲରମାନଙ୍କୁ ଥାନାରେ ଅଟକ ରଖିଥିଲା। ଦିନକ ପରେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବା ସହ ଯନ୍ତରମନ୍ତରରେ ଥିବା ରେସଲରଙ୍କ ଆନ୍ଦୋଳନ ସ୍ଥଳକୁ ହଟାଇ ଦେଇଥିଲା।

ଏକଦା ଦେଶକୁ ଗୌରବାନ୍ୱିତ କରିଥିବା ରେସଲରଙ୍କ ପ୍ରତି ପୁଲିସ୍‌ ଓ ପ୍ରଶାସନର ଏପରି ପଦକ୍ଷେପକୁ ସମସ୍ତେ ନିନ୍ଦା କରିଥିଲେ। ଏଥିରେ ରେସଲରମାନେ ମଧ୍ୟ ମର୍ମାହତ ହୋଇ ଗତ ମଙ୍ଗଳବାର ଦେଶ ପାଇଁ ଜିତିଥିବା ମେଡାଲକୁ ଗଙ୍ଗା ନଦୀରେ ବିସର୍ଜନ କରିଦେବେ ବୋଲି ଘୋଷଣା କରିଥିଲେ।

ରେସଲରମାନେ ପଦକ ଭସାଇବାକୁ ଯାଉଥିବା ଖବର ପାଇ ଚାଷୀ ନେତା ନରେଶ ଟିକାୟତ ହର କି ପାଉରି ଠାରେ ପହଞ୍ଚିଥିଲେ। ସେ ମେଡାଲ ଧରି କାନ୍ଦୁଥିବା ରେସଲରମାନଙ୍କୁ ବୁଝାସୁଝା କରିଥିଲେ। ଦୀର୍ଘ ସମୟର ବୁଝାସୁଝା କରିବା ସହ ସେ ସମସ୍ତଙ୍କ ଠାରୁ ସେମାନଙ୍କ ମେଡାଲ ମଧ୍ୟ ସଂଗ୍ରହ କରିଥିଲେ।

ଦୀର୍ଘ ସମୟ ଧରି ବୁଝାସୁଝା ପରେ ରେସଲମାନେ ବ୍ରିଜ ଭୂଷଣଙ୍କୁ ଗିରଫ କରିବା ପାଇଁ ୫ ଦିନର ଅଲ୍ଟିମେଟମ ଦେଇଥିଲେ। ଏବେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।

Related story