Advertisment

ରେସଲରଙ୍କ ଆନ୍ଦୋଳନକୁ ନେଇ ବଡ଼ କଥା କହିଲେ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ

୯୦% ଆଥଲେଟ ଓ ସେମାନଙ୍କ ପରିବାର ରେସଲିଂ ମହାସଂଘକୁ ବିଶ୍ୱାସ କରନ୍ତି। ତାଙ୍କ ବିରୋଧରେ ଅଭିଯୋଗ କରିଥିବା ମହିଳା ରେସଲରମାନେ ଗୋଟିଏ ପରିବାରର ଓ ଗୋଟିଏ ଆଖଡ଼ାର ବୋଲି ଶ୍ରୀ ସିଂହ କହିଛନ୍ତି।

author-image
Hemant Lenka
Brij Bhushan Sharan Singh

Brij Bhushan Sharan Singh

ନ୍ୟାୟ ପାଇଁ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ରେସଲମାନଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ। ଗୋଟିଏ ଆଖଡ଼ା ଓ ଗୋଟିଏ ପରିବାର ବୟାନ ଉପରେ ସେ ସ୍ପଷ୍ଟୀକରଣ ଦେବା ସହ ମହିଳା ରେସଲରମାନେ କେବଳ ତାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିବା ସେ ଦାବି କରିଛନ୍ତି।

Advertisment

୯୦% ଆଥଲେଟ ଓ ସେମାନଙ୍କ ପରିବାର ରେସଲିଂ ମହାସଂଘକୁ ବିଶ୍ୱାସ କରନ୍ତି। ତାଙ୍କ ବିରୋଧରେ ଅଭିଯୋଗ କରିଥିବା ମହିଳା ରେସଲରମାନେ ଗୋଟିଏ ପରିବାରର ଓ ଗୋଟିଏ ଆଖଡ଼ାର ବୋଲି ଶ୍ରୀ ସିଂହ କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି, “ପୂରା ବିଶ୍ୱ ଜାଣିଛି ଯେ ଅଭିଯୋଗ କରିଥିବା ମହିଳାମାନେ ମହାଦେବ ରେସଲିଂ ଏକାଡେମୀରୁ ଆସିଛନ୍ତି। କଂଗ୍ରେସ ନେତା ଦୀପେନ୍ଦର ସିଂହ ହୁଡ୍ଡା ଏହାର ପ୍ରତିଷ୍ଠାତା।” ସେ ନିର୍ଦ୍ଦିଷ୍ଟ ଘଟଣା ସମ୍ପର୍କରେ ତଥ୍ୟ ନେଇ ଦାବି କରିଛନ୍ତି ଯେ “ଏବେ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କହିବା ଆରମ୍ଭ କଲେଣି। ଆପଣ କେବେ ହେଲେ ଯନ୍ତରମନ୍ତରରୁ ନ୍ୟାୟ ପାଇବେ ନାହିଁ। ଯଦି ଆପଣ ନ୍ୟାୟ ଚାହାନ୍ତି, ତା’ହେଲେ କୋର୍ଟ ଓ ପୁଲିସ୍‌ ପାଖକୁ ଯାଆନ୍ତୁ। ବର୍ତ୍ତମାନ ସୁଦ୍ଧା ସେମାନେ ଏପରି କରି ନଥିଲେ। ଆମେ କୋର୍ଟର ସବୁ ନିଷ୍ପତ୍ତିକୁ ଗ୍ରହଣ କରିବୁ।”

Advertisment

ଏକାଧିକ ବିରୋଧୀ ଦଳର ନେତା ଆନ୍ଦୋଳନରତ ରେସଲରଙ୍କୁ ସମର୍ଥନ ଜଣାଇ ଯନ୍ତରମନ୍ତର ଯାଉଛନ୍ତି। ହେଲେ ବ୍ରିଜ ଭୂଷଣଙ୍କ ରାଜ୍ୟ ଉତ୍ତର ପ୍ରଦେଶର ବିରୋଧୀ ଦଳ ନେତା ଅଖିଲେଶ ଯାଦବ ଏଯାଏ ଚୁପ ରହିଛନ୍ତି। ଏପରି କି ସେ ରେସଲରଙ୍କ ସମର୍ଥନରେ ଯନ୍ତରମନ୍ତର ମଧ୍ୟ ଯାଇ ନାହାନ୍ତି। ଏହାକୁ ନେଇ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ବ୍ରିଜ ଭୂଷଣ କହିଛନ୍ତି, “ଅଖିଲେଶ ଯାଦବ ସତ କ’ଣ ଜାଣିଛନ୍ତି। ପିଲାଟି ବେଳକୁ ଆମେ ଦୁହେଁ ପରସ୍ପରକୁ ଜାଣିଛୁ। ଉତ୍ତର ପ୍ରଦେଶର ୮୦% ରେସଲର ସମାଜବାଦୀ ପାର୍ଟିର ପରିବାରରୁ ଆସନ୍ତି। ସେମାନେ ମୋତେ ନେତାଜୀ ଡାକନ୍ତି। ସେମାନଙ୍କ ନେତାଜୀ କେମିତି, ସେକଥା ସମସ୍ତେ ଦେଖିଛନ୍ତି।”

ଗତକାଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯନ୍ତରମନ୍ତର ଯାଇ ଆନ୍ଦୋଳନରତ ରେସଲରଙ୍କୁ ସମର୍ଥନ କରିଥିଲେ।

ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆ ଦେଇଥିବା ବୟାନ ଉପରେ ମଧ୍ୟ ବ୍ରିଜ ଭୂଷଣ ପ୍ରତିକ୍ରିୟା ରଖିଛନ୍ତି। ବଜରଙ୍ଗ କହିଥିଲେ ଯେ ଅଭିଯୁକ୍ତ ଜଣକ କେମିତି ଅଭିଯୋଗକାରୀଙ୍କ ପରିଚୟ ଜାଣିଲେ ଓ ସେମାନେ ଗୋଟିଏ ପରିବାରର ବୋଲି କହିଲେ? ଏହାର ଜବାବରେ ବ୍ରିଜୟ ଭୂଷଣ କହିଛନ୍ତି ଯେ “କେବଳ ମୁଁ ନୁହେଁ, ପୂରା ବିଶ୍ୱ ଜାଣିଛି।”

ଆନ୍ଦୋଳକାରୀ ରେସଲରମାନେ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ନାବାଳିକା ଅଭିଯୋଗକାରୀଙ୍କ ପରିଚୟ ସମେତ ପୂରା ତଦନ୍ତ ରିପୋର୍ଟକୁ ଲିକ୍‌ କରାଯାଇଥିବା ସେମାନେ କହିଛନ୍ତି।

Protest Indian Wrestler Brij Bhushan Sharan Singh