Advertisment

କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା, ପୋକ୍ସୋ ମାମଲା ହଟିବ

ଆଜି ପୁଲିସ୍‌ ପକ୍ଷରୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ୧୦୦୦ ପୃଷ୍ଠାର ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି।

author-image
Hemant Lenka
BJP

BJP

ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ବା ପିଛା କରିବା ମାମଲା ଚାଲିବ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିବା ପରେ ଦିଲ୍ଲୀ ପୁଲିସ୍‌ ଏହାର ତଦନ୍ତ କରିଥିଲା।

Advertisment

ଆଜି ପୁଲିସ୍‌ ପକ୍ଷରୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ୧୦୦୦ ପୃଷ୍ଠାର ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଏଥିରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ଅଭିଯୋଗର ପ୍ରମାଣ ମିଳିଥିବା ପୁଲିସ ଦର୍ଶାଇଛି। ତେବେ ଜଣେ ନାବାଳିକାଙ୍କୁ ବ୍ରିଜ ଭୂଷଣ ଯୌନ ଶୋଷଣ କରିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ତା’ର ପ୍ରମାଣ ପୁଲିସ୍‌ ପାଇନାହିଁ। ତେଣୁ ପୁଲିସ୍‌ ବ୍ରିଜ ଭୂଷଣଙ୍କ ନାଁରେ ପୋକ୍ସୋ ଆଇନ ଅନୁଯାୟୀ ରୁଜୁ ମାମଲାକୁ ହଟାଇବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ନାଁରେ ଜଣେ ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇବା ଚାର୍ଜ ଲାଗିଛି। ଏହା ଜାମିନବିହୀନ ଅପରାଧ। ଏହାବାଦ ଯୌନ ଶୋଷଣ ଓ ଷ୍ଟଲକିଂ ମାମଲା ବି ଚାଲିବ। ତେବେ ଏହି ଦୁଇ ମାମଲା ଜାମିନ ଯୁକ୍ତ।

Advertisment

ଦିଲ୍ଲୀ ପୁଳିସ୍‌ କହିଛି ଯେ “ଧାରା ୧୭୩ ଅଧୀନରେ ଆମେ ଗୋଟିଏ ପୁଲିସ୍‌ ରିପୋର୍ଟ ଦାଖଲ କରିଛୁ। ଏଥିରେ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ପୋକ୍ସୋ ଦଫାକୁ ହଟାଇବାକୁ ଅନୁରୋଧ କରିଛୁ। ଅଭିଯୋକାରୀ ଓ ତାଙ୍କ ବାପାଙ୍କ ବୟାନକୁ ଆଧାର କରି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତ ବେଳେ ପୋକ୍ସୋ ଅପରାଧ ସଂକ୍ରାନ୍ତରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ।” ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ ହେବ।

ଏପ୍ରିଲ ୨୧ରେ ଜଣେ ନାବାଳିକାଙ୍କ ସମେତ ୭ ଜଣ ମହିଳା ରେସଲର ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନ ଓ ଅନ୍ୟ ବେଆଇନ କାର୍ଯ୍ୟକଳାପର ଅଭିଯୋଗ ଆଣିଥିଲେ। ତେବେ ପୁଲିସ୍‌ କୌଣସି ପ୍ରକାରର ପଦକ୍ଷେପ ନ ନେବାରୁ ଦେଶ ପାଇଁ ପଦକ ଜିତିଥିବା ଷ୍ଟାର ରେସଲରମାନେ ବିକ୍ଷୋଭ ଆରମ୍ଭ କରିଥିଲେ।

ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେବାରୁ ଗତ ସପ୍ତାହରେ ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ବୈଠକ କରିଥିଲେ। ଏହାପରେ ଜୁନ ୧୫ ତାରିଖ ସୁଦ୍ଧା ପୁଲିସ୍‌ ତଦନ୍ତ ରିପୋର୍ଟ ଦାଖଲ କରିବ ବୋଲି କହିଥିଲେ। ଏହି ପ୍ରତିଶ୍ରୁତି ପରେ ରେସଲରମାନଙ୍କ ବିକ୍ଷୋଭ ସ୍ଥଗିତ ହୋଇଥିଲା।

ପ୍ରତିଶ୍ରୁତି ମୁତାବକ ଦିଲ୍ଲୀ ପୁଲିସ୍‌ ଆଜି ତଦନ୍ତ ରିପୋର୍ଟ ଦାଖଲ କରିଛି। ତଦନ୍ତ ବେଳେ ପୁଲିସ୍‌ ବିଭିନ୍ନ ଫଟୋ, ଭିଡିଓ, ସିସିଟିଭି ଫୁଟେଜ ଆଦିର ଯାଞ୍ଚ କରିଥିଲେ। ପ୍ରାୟ ୧୮୦ ଜଣଙ୍କୁ ପଚରାଉଚରା କରିବା ପରେ ରିପୋର୍ଟ ପ୍ରସ୍ତୁତ କରିଥିଲା।

Protest Indian Wrestler Brij Bhushan Sharan Singh