PM Modi
ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ । ଆଜି ହେଉଛି କାର୍ଗିଲ ବିଜୟ ଦିବସ, ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଉତ୍ସବ ବା ରୌପ୍ୟ ଜୟନ୍ତୀ ।
ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଭାରତ- ପାକିସ୍ତାନ ଯୁଦ୍ଧରେ ନିଜ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏଥିସହ ସେଠାରୁ ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି, ସବୁ ଆତଙ୍କୀ ଷଡ଼ଯନ୍ତ୍ରରେ ଫେଲ୍ ମାରିଛି ପାକିସ୍ତାନ । ନିଜ ଇତିହାସ ଦେଖି କିଛି ବି ଶିଖିପାରିଲାନି।
ମୋଦି କହିଛନ୍ତି, ପାକିସ୍ତାନ ହେଉଛି ଆତଙ୍କୀଙ୍କ ଆକ୍କା, ଲୁଚିଛପି ଭାରତ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ପ୍ରତିଟି ଷଡ଼ଯନ୍ତ୍ରର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା।
କାରଗିଲ୍ ଯୁଦ୍ଧର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ଲଦାଖ ଦ୍ରାସ ଗସ୍ତରେ ଯାଇଛନ୍ତି। ସେଠି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେନାର ଅବଦାନକୁ ଭୁରୀ ଭୁରୀ ପ୍ରଂଶସା କରିଛନ୍ତି ।
କିଛି ଲୋକେ ଭାବୁଛନ୍ତି ସେନା ରାଜନେତାଙ୍କୁ ସାଲୁଟ୍ କରିବା ପାଇଁ, ପରେଡରେ ଭାଗ ନେବା ପାଇଁ ରହିଛନ୍ତି । କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ୍। ସେନା ହେଉଛି ଭାରତର ୧୪୦ କୋଟି ଦେଶବାସୀଙ୍କ ବିଶ୍ୱାସ ଓ ଭରସାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ବିରୋଧୀଙ୍କୁ ଏହି ମଞ୍ଚରୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଲଦାଖସ୍ଥିତ ଦ୍ରାସ ଅଞ୍ଚଳରେ ଥିବା କାରଗିଲ ୱାର ମେମୋରିଆଲ ବି ପରିଦର୍ଶନ କରିଛନ୍ତି। ଏହାକୁ ଲଦାଖର ପ୍ରବେଶ ଦ୍ୱାର କୁହାଯାଇଥାଏ। ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ କାରଗିଲ ବିଜୟ ଦିବସର ୨୫ ବର୍ଷପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ କାରଗିଲ ଯୁଦ୍ଧ ଶହୀଦଙ୍କ ପରିବାରବର୍ଗ ବି ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ କହିଛନ୍ତି, କାଗରିଲ ବିଜୟ ଦିବସ ସବୁ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର । ଯେଉଁମାନେ ଆମ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏହା ଏକ ଦିନ ।
ନିଜ ଲଦାଖ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସିଙ୍କୁନ ଲା ସୁଡ଼ଙ୍ଗ ଯୋଜନାର ପ୍ରଥମ ବିସ୍ଫୋରଣ କରିବେ । ଏହି ସୁଡ଼ଙ୍ଗ ନିର୍ମାଣ ହେଲେ ଏହାର ବିଶ୍ୱର ସବୁଠୁ ଉଚ୍ଚତମ ସୁଡ଼ଙ୍ଗ ହେବ । ଏହି ପ୍ରକଳ୍ପ ୪.୧ କିମି ଲମ୍ବା ହେବ । ନିମୁ- ପଦୁମ- ଦାରଚା ରୋଡରେ ୧୫,୮୦୦ ଫୁଟ ଉଚ୍ଚତାରେ ଏହି ପାସ୍ ନିର୍ମାଣ କରାଯାଉଛି।
ବର୍ଷର ଅଧିକାଂଶ ସମୟ ଖରାପ ପାଗ ଯୋଗୁ ଲଦାଖକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଉଛି। ମାତ୍ର ଏହି ସୁଡ଼ଙ୍ଗ ନିର୍ମାଣ ହେଲେ ଏହି ଅଞ୍ଚଳ ଆଉ ସମଗ୍ର ଦେଶଠୁ ଭିନ୍ନ ହୋଇ ରହିବ ନାହିଁ। ବର୍ଷ ସାରା ଲଦାଖକୁ ଯାତାୟତ ହୋଇ ପାରିବ ।
କାର୍ଗିଲ ବିଜୟ ଦିବସ କ’ଣ ଓ କାହିଁକି ଏହା ପାଳିତ ହୁଏ?
୧୯୯୯ ମେ ୩ ତାରିଖରେ କାର୍ଗିଲ ସେକ୍ଟରରେ କିଛି ସନ୍ଦିଗ୍ଧ ବଙ୍କର ନିର୍ମାଣ କରୁଥିବା ନେଇ ଦେଖିଥିଲେ କିଛି ସ୍ଥାନୀୟ ମେଷ ପାଳକ । ଭାରତୀୟ ସେନା ନିକଟରେ ପହଞ୍ଚିଥିଲା ଏହି ଖବର । ପରେ ଜଣାପଡିଥିଲା ଭାରତୀୟ ମାଟିରେ ପାକିସ୍ତାନୀ ସୈନିକ ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ ।
ପ୍ରଥମେ ମେ ୫ ତାରିଖରେ ସେହି ସ୍ଥାନକୁ ପାଟ୍ରୋଲିଂରେ ଯାଇଥିଲେ ଭାରତୀୟ ସୈନିକ । ହେଲେ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀଙ୍କୁ ଆକ୍ରମଣରେ ସହିଦ ହୋଇଥିଲେ ୫ ଭାରତୀୟ ଯବାନ । ଭାରତୀୟ ସେନାର ପାଲଟା ଆକ୍ରମଣରେ ସେପଟୁ ପ୍ରବଳ ଗୁଳିବର୍ଷଣ ହୋଇଥିଲା । ମୋର୍ଟାର ମାଡ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପାକ୍ ସୈନିକଙ୍କ ଆକ୍ରମଣରୁ ସେମାନଙ୍କ ଯୋଜନା ଭାରତୀୟ ସେନା।
ପାକ ସୈନିକ ଦୀର୍ଘଦିନ ଧରି ଦ୍ରାସ, କାର୍ଗିଲ, ଟାଇଗର ହିଲକୁ ଅକ୍ତିଆର କରି ବଙ୍କର ଆଦି ନିର୍ମାଣ କରି ଆଡ୍ଡା ଜମାଇଥିବା ଭାରତୀୟ ସେନା ଜାଣିପାରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଭାରତର ଜବାବୀ କଡ଼ା କାର୍ଯ୍ୟାନୁଷ୍ଠାନ। ଆରମ୍ଭ ହେଲା ଯୁଦ୍ଧ । ପାକିସ୍ତାନ ପକ୍ଷରୁ କବଜା କରାଯାଇଥିବା ଆଗୁଆ ଘାଟିକୁ ଭାରତୀୟ ସେନା ପୁଣି ଥରେ ନିଜ ଦଖଲକୁ ଆଣିଥିଲା ।
୨ମାସରୁ ଅଧିକ ଦିନ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ୫୨୭ ଜଣ ବୀର ଯବାନ ସହିଦ ହେଲେ। ୧୩ଶହରୁ ଅଧିକ ଯବାନ ଆହତ ହେଲେ । ସେପଟେ ଭାରତୀୟ ସୈନ୍ୟଙ୍କ ଘନ ଘନ ଆକ୍ରମଣରେ ପାକିସ୍ତାନର ୧୨ଶହରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଭାରତ ପକ୍ଷରୁ କୁହାଗଲା । ହଜାର ହଜାର ପାକ୍ ସୈନିକ ବି ଆହତ ହୋଇଥିଲେ।
ଶେଷରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନା ଜୁଲାଇ ମାସରେ ପାକିସ୍ତାନ ମାଟିକୁ ଫେରିଥିଲେ । ଆଉ ଜୁଲାଇ ୨୬ରେ ଯୁଦ୍ଧର ହୋଇଥିଲା ପରିସମାପ୍ତି। ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ଥିବା ଶତ୍ରୁସୈନ୍ୟଙ୍କୁ ପରାସ୍ତ କରି ବିଜୟ ଉଲ୍ଲାସରେ ଉତଫୁଲିତ ହୋଇଥିଲା ସାରା ଦେଶ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us