Advertisment

ବାହାଘର ସତ୍ତ୍ୱେ ଆପଣ ବି ବାହାରେ ଯୌନ ସମ୍ପର୍କ ରଖିଥିଲେ, କାହିଁକି ମହିଳାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ?

ବାହାଘର ସତ୍ତ୍ୱେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ବାଦ ବାହାରେ ଶାରୀରିକ ସମ୍ପର୍କ ରଖିଥିବାରୁ ସେ ମଧ୍ୟ ଅପରାଧ କରିଛନ୍ତି। ତେଣୁ ମହିଳାଙ୍କୁ ମଧ୍ୟ ଆଇନ ଜାଲରେ ଫସିବାକୁ ପଡ଼ିପାରେ ବୋଲି ସୁପ୍ରିମକୋର୍ଟ ଶୁଣାଣି ବେଳେ ଆବେଦନକାରୀଙ୍କୁ ସତର୍କ କରାଇଛନ୍ତି।

author-image
Hemant Lenka
SC

SC

ଜଣେ ବିବାହିତ ମହିଳାଙ୍କ ଆବେଦନର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ସାଂଘାତିକ କଥା କହିଛନ୍ତି। ମହିଳା ଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ବ୍ୟକ୍ତି ଜଣଙ୍କ ତାଙ୍କ କଥାରୁ ଓହରି ଯିବାରୁ ମହିଳା ଜଣଙ୍କ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ତେବେ ହାଇକୋର୍ଟ ବ୍ୟକ୍ତିଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଏହାକୁ ବାତିଲ କରିବା ପାଇଁ ମହିଳା ଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ଏହାର ଶୁଣାଣି କରିବା ବେଳେ ମହିଳାଙ୍କୁ ଓଲଟା ଧୋଇଛନ୍ତି ସୁପ୍ରିମକୋର୍ଟ। ବାହାଘର ସତ୍ତ୍ୱେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ବାଦ ବାହାରେ ଶାରୀରିକ ସମ୍ପର୍କ ରଖିଥିବାରୁ ସେ ମଧ୍ୟ ଅପରାଧ କରିଛନ୍ତି। ତେଣୁ ମହିଳାଙ୍କୁ ମଧ୍ୟ ଆଇନ ଜାଲରେ ଫସିବାକୁ ପଡ଼ିପାରେ ବୋଲି ସୁପ୍ରିମକୋର୍ଟ ଶୁଣାଣି ବେଳେ ଆବେଦନକାରୀଙ୍କୁ ସତର୍କ କରାଇଛନ୍ତି।

ମହିଳାଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ବ୍ୟକ୍ତି ଜଣଙ୍କ ବାହାଘରର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ କ୍ଲାଏଣ୍ଟଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଚାଲିଥିଲେ। ଏହା ଶୁଶି ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, “ଆପଣ ଜଣେ ବିବାହିତ ମହିଳା। ଆପଣଙ୍କ ୨ ଜଣ ପିଲା ରହିଛନ୍ତି। ଆପଣ ଜଣେ ପରିପ୍ୱକ ମହିଳା। ଆପଣ ଭଲ ଭାବେ ବୁଝିପାରୁଛନ୍ତି ଯେ ବାହାଘର ବାହାରେ ଆପଣ କେଉଁ ପ୍ରକାରର ସମ୍ପର୍କ ରଖିଛନ୍ତି।”

Advertisment

ଓକିଲ ଜଣଙ୍କ ପୁଣି କହିଥିଲେ ଯେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଫୋନ କରି ବାହାଘର ଆଳରେ ବିଭିନ୍ନ ହୋଟେଲ ଓ ବିଶ୍ରାମ ଗୃହକୁ ଡାକୁଥିଲେ। ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏହା ଶୁଣି ଖଣ୍ଡପୀଠ କହିଛନ୍ତି, “ଆପଣ କାହିଁକି ତାଙ୍କ ଇଙ୍ଗିତରେ ବାରମ୍ବାର ହୋଟେଲକୁ ଯାଉଥିଲେ? ବାହାଘର ସତ୍ତ୍ୱେ ବାହାରେ ଶାରିରୀକ ସମ୍ପର୍କ ରଖି ଆପଣ ମଧ୍ୟ ଅପରାଧ ଘଟାଇଥିବା କଥା ଭଲ ଭାବେ ବୁଝିପାରୁଛନ୍ତି। ଆପଣ ମଧ୍ୟ ବାହାଘର ପରେ ପରକ୍ରୀୟା ପ୍ରୀତିରେ ମାତି ଥିଲେ।”

ଖଣ୍ଡପୀଠ କହିଛନ୍ତି, ପାଟନା ହାଇକୋର୍ଟ ଅଭିଯୁକ୍ତ ଅଙ୍କିତ ବର୍ଣ୍ଣୱାଲଙ୍କୁ ଅନ୍ତରୀଣ ଜାମିନ ଦେଇ ମହିଳାଙ୍କ ଆବେଦନକୁ ଖାରଜ କରି କୌଣସି ତ୍ରୁଟି କରି ନାହାନ୍ତି। ଟ୍ରାଏଲ କୋର୍ଟ ଅଙ୍କିତଙ୍କୁ ଅନ୍ତରୀଣ ଜାମିନ ଦେଇ ନଥିଲେ। ଏହା ବିରୋଧରେ ସେ ହାଇକୋର୍ଟ ଯାଇ ଆଶ୍ୱସ୍ତି ପାଇଥିଲେ। ଏବେ ମହିଳାଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି।

୨୦୧୬ରୁ ବିବାହିତ ମହିଳା ଓ ଅଙ୍କିତ ପରସ୍ପରକୁ ଜାଣିଛନ୍ତି। ସୋଶାଲ ମିଡିଆରୁ ସେମାନଙ୍କ ସମ୍ପର୍କ ଆଗକୁ ବଢ଼ିଥିଲା। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସେ ଅଙ୍କିତଙ୍କ କଥାରେ ପ୍ରଭାବିତ ହୋଇ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ମାର୍ଚ୍ଚ ୬ରେ ଗୋଟିଏ ପରିବାର ଅଦାଲତ ଛାଡ଼ପତ୍ରକୁ ଅନୁମୋଦନ କରିଥିଲେ। ଛାଡ଼ପତ୍ର ପରେ ସେ ଅଙ୍କିତଙ୍କୁ ବିବାହ କରିବାକୁ ଆଗେଇ ଆସିଥିଲେ। କିନ୍ତୁ ଅଙ୍କିତ ଏଥିରେ ରାଜି ହୋଇ ନଥିଲେ।

ଅଙ୍କିତ ବାହା ନ ହେବାରୁ ମହିଳା ଜଣଙ୍କ ବିହାର ପୁଲିସ୍‌ରେ ଅଭିଯୋଗ କରି ଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ହାଇକୋର୍ଟ ଅଙ୍କିତଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ।

ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ହାସଲ କରିବା ପରେ ଅଙ୍କିତ ତାଙ୍କ ସହ କୌଣସି ପ୍ରକାରର ଶାରୀରିକ ସମ୍ପର୍କ ରଖି ନଥିଲେ। ଏହାକୁ ଆଧାର କରି ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ।

Supreme Court