Advertisment

ଝିଅ ସହ ଚ୍ୟାଟିଂ କରିବାରୁ ଯୁବକଙ୍କୁ ପିଟିପିଟି ମାରି ଦେଲେ

ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ୨୦ ବର୍ଷୀୟ ଗୋବିନ୍ଦରାଜୁ। ତାଙ୍କୁ ହତ୍ୟା କରିବା ଅଭିଯୋଗରେ ଅନୀଲ, ଲୋହିତ, ଭରତ ଓ କିଶୋରଙ୍କୁ ଗିରଫ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Beaten To Death

Beaten To Death

ଝିଅ ସହ ଚ୍ୟାଟିଂ କରିବା ଜଣେ ୨୦ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣଙ୍କ ଝିଅଟି ସହ ଚ୍ୟାଟିଂ କରିବାରୁ ତାଙ୍କୁ ୪ ଜଣ ଯୁବକ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣାରେ ପୁଲିସ ଗୁରୁବାର ୪ ଜଣଙ୍କୁ ଗିରଫ କରିଛି।

Advertisment

ପୁଲିସ୍‌ କହିଛି ଯେ ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ୨୦ ବର୍ଷୀୟ ଗୋବିନ୍ଦରାଜୁ। ତାଙ୍କୁ ହତ୍ୟା କରିବା ଅଭିଯୋଗରେ ଅନୀଲ, ଲୋହିତ, ଭରତ ଓ କିଶୋରଙ୍କୁ ଗିରଫ କରାଯାଇଛି। ଗୋବିନ୍ଦରାଜୁ ଜଣେ ଝିଅ ସହ ନିୟମିତ ଚ୍ୟାଟିଂ କରୁଥିଲେ। ଏଥିପାଇଁ ୪ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ରବିବାର ସକାଳେ ଗୋବିନ୍ଦରାଜୁ ଘରେ ରହିଥିଲେ। ଏହି ସମୟରେ ଅନୀଲ ତାଙ୍କ ପାଖରେ ପହଞ୍ଚିଥିଲେ। ଉଭୟ କିଛି କଥାବାର୍ତ୍ତା ହେବା ପରେ ବାଇକ ଯୋଗେ ଅନ୍ଦରାଲି ଚାଲି ଯାଇଥିଲେ। ସେଠାରେ ପୂର୍ବରୁ ଲୋହିତ, ଭରତ ଓ କିଶୋର ଯୋଜନା ମୁତାବକ ଉପସ୍ଥିତ ଥିଲେ। ସେମାନେ ଗୋବିନ୍ଦରାଜୁଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ କାଠଫାଳିଆରେ ତାଙ୍କୁ ଆକ୍ରମଣ କରିଥିଲେ।

Advertisment

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋବିନ୍ଦରାଜୁଙ୍କ ମୃତଦେହକୁ ସେମାନେ ଲୋହିତଙ୍କ କାର୍‌ରେ ରଖି ଦେଇଥିଲେ। ଏହାପରେ ଏହାକୁ ଚାରମୁଡିଘାଟ ଅଞ୍ଚଳର ଗୋଟିଏ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଥିଲେ। ଏଥିସହ ମୋବାଇଲ ଫୋନ ଅଫ କରି ଫେରାର ହୋଇ ଯାଇଥିଲେ

ଏପଟେ ଗୋବିନ୍ଦରାଜୁ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକ ପୁଲିସରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ୪ ଯୁବକଙ୍କୁ ଅଟକ ରଖି ଜେରା କରିଥିଲା। ଜେରା ବେଳେ ସେମାନେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ଏହାପରେ ପୁଲିସ୍‌ ସେମାନଙ୍କ ସୂଚନା ଆଧାରରେ ଗୋବିନ୍ଦରାଜୁଙ୍କ ମୃତଦେହକୁ ଚାରମୁଡ଼ିଘାଟ ଅଞ୍ଚଳରୁ ଜବତ କରିଛି। ତେବେ ଘଟଣା ପଛରେ କେବଳ ଚ୍ୟାଟିଂ ନା ଆଉ କିଛି ରହସ୍ୟ ରହିଛି, ତା’ ଉପରୁ ପରାଦ ଉଠାଇବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Beaten To Death