ବାପା ଚାହୁଁଥିଲେ ପୁଅ ମେଡିକାଲ ଲାଇନରେ ତା’ କ୍ୟାରିୟର ଗଢ଼ୁ। କିନ୍ତୁ ପୁଅର ଏହି ଲାଇନ ପ୍ରତି ଇଚ୍ଛା ନଥିଲା। ଆଉ ଏ ବିବାଦ ନେଇଥିଲା ଭୟଙ୍କର ରୂପ। ବାପାଙ୍କୁ ଗୁଳି କରି ମାରି ଦେବାପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଫୋପାଡ଼ି ଦେଇଥିଲା ପୁଅ। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୌରେ।
ମୃତ ବ୍ୟକ୍ତିଙ୍କ ନାଁ ମାନବେନ୍ଦ୍ର ସିଂହ। ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ଜଣେ ବ୍ୟବସାୟୀ ଥିଲେ। ସେ ଔଷଧ ଓ ମଦ ବେପାର ସହିତ ଜଡ଼ିତ ଥିଲେ। ତାଙ୍କ ପୁଅ ତଥା ଅଭିଯୁକ୍ତଙ୍କ ନାଁ ଅକ୍ଷତ ପ୍ରତାପ ସିଂହ। ତାଙ୍କୁ ୨୧ ବର୍ଷ ହୋଇଛି।
ଗତ ଶୁକ୍ରବାରଠାରୁ ନିଖୋଜ ଥିଲେ ମାନବେନ୍ଦ୍ର ସିଂହ। ହେଲେ ପୁଲିସ ତାଙ୍କ ଘରେ ପହଞ୍ଚି ଖୋଳତାଡ଼ କରିବା ପରେ ପଦାକୁ ଆସିଥିଲା ଅସଲ କଥା। ସେଠାରେ ଏକ ବଡ଼ ପ୍ଲାଷ୍ଟିକ ଡ୍ରମ୍ରୁ ମିଳିଥିଲା ମାନବେନ୍ଦ୍ର ସିଂହଙ୍କ ଶରୀରର କିଛି ଅଙ୍ଗ। ଏହା ପରେ ଅକ୍ଷତ ପ୍ରତାପ ସିଂହଙ୍କୁ ପୁଲିସ ପଚରାଉଚରା କରିବାରେ ସେ ସବୁ କଥା କହିଥିଲେ।
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାନବେନ୍ଦ୍ର ଚାହୁଁଥିଲେ ପୁଅ ଅକ୍ଷତ ମେଡିକାଲ ଲାଇନରେ ତା’ କ୍ୟାରିୟର ଗଢ଼ୁ। କିନ୍ତୁ ଅକ୍ଷତ ଏହାକୁ ବିରୋଧ କରୁଥିଲେ। ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ଝଗଡ଼ା ହେଉଥିଲା। ଏମିତିକି ଏହି ବିବାଦକୁ ନେଇ ଥରେ ଅକ୍ଷତ ଘର ଛାଡ଼ି ପଳାଇଥିଲେ।
ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ପୁଣି ଏହି ପ୍ରସଙ୍ଗକୁ ନେଇ ବାପପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଅକ୍ଷତ ଉତ୍କ୍ଷିପ୍ତ ହୋଇ ଏକ ରାଇଫଲରୁ ବାପା ମାନବେନ୍ଦ୍ରଙ୍କ ଉପରକୁ ଗୁଳି କରି ଦେଇଥିଲେ। ତା’ପରେ ସେ ବାପାଙ୍କ ମୃତଦେହକୁ ଘରର ତୃତୀୟ ମହଲାରୁ ତଳ ମହଲାକୁ ଆଣିଥିଲେ। ସେଠାରେ ଏକ ଖାଲି ପଡ଼ିଥିବା କଠୋରୀରେ ବାପାଙ୍କ ମୃତଦେହକୁ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରି ଦେଇଥିଲେ।
ଅକ୍ଷତଙ୍କ ଭଉଣୀ ଏହା ଦେଖି ପାରିଥିଲେ। ହେଲେ ସେ କାହାକୁ ଏ ବିଷୟରେ କହିଲେ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ ଅକ୍ଷତ। ଭଉଣୀ ସମ୍ମୁଖରେ ବାପାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ ଅକ୍ଷତ। ସେଗୁଡ଼ିକୁ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ସେ ଲକ୍ଷ୍ନୌ ଉପକଣ୍ଠସ୍ଥ ସଦାରାଉନା ଅଞ୍ଚଳରେ ଫୋପାଡ଼ି ଦେଇଥିଲେ। ତେବେ ବାପାଙ୍କ ଶରୀରର କିଛି ଅଂଶକୁ ସେ ଘରେ ଥିବା ଏକ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ୍ରେ ପୂରାଇ ଦେଇଥିଲେ।
ଅକ୍ଷତ ତାଙ୍କ ଦୋଷ ସ୍ୱୀକାର କରିବା ପରେ ଫରେନସିକ୍ ଟିମ୍କୁ ଡକାଇଥିଲା ପୁଲିସ। ଫରେନ୍ସିକ୍ ଟିମ୍ ଅକ୍ଷତଙ୍କ ଘରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ମାନବେନ୍ଦ୍ରଙ୍କ ଶରୀରର ଯେଉଁ ସବୁ ଅଂଶଗୁଡ଼ିକୁ ଅକ୍ଷତ ବାହାରେ ଫୋପାଡ଼ି ଦେଇଥିଲେ, ସେଗୁଡ଼ିକୁ ଖୋଜି ବାହାର କରିବାକୁ ପୁଲିସ ପ୍ରୟାସ କରୁଛି। ଅକ୍ଷତଙ୍କୁ ପୁଲିସ ଗିରଫ କରିଛି। ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ନିଜ ହେପାଜତରେ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/24/father-and-son-2026-02-24-12-09-35.jpg)