IIT Bombay
ନାମ ନଲେଖାଇ ଆଇଆଇଟି-ବମ୍ବେ ଭଳି ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ବେଆଇନ ଭାବେ ପାଠପଢ଼ିବା ଜଣେ ଯୁବକଙ୍କୁ ଭାରି ମହଙ୍ଗା ପଡ଼ିଛି। ତାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ତାଙ୍କ ନାଁ ବିଲାଲ ତେଲୀ। ତାଙ୍କ ଘର କର୍ଣ୍ଣାଟକାର ମେଙ୍ଗାଲୁରୁରେ।
ପୁଲିସ କହିଛି, ଆଇଆଇଟି-ବମ୍ବେରେ ଅନୁଷ୍ଠିତ ଏକ ଦିନିକିଆ ଷ୍ଟଡି ପ୍ରୋଗ୍ରାମରେ ଯୋଗ ଦେଇଥିଲେ ଅଭିଯୁକ୍ତ। କିନ୍ତୁ ତା’ପରେ ଆଉ କ୍ୟାମ୍ପସ ଛାଡ଼ି ନଥିଲେ। ସେ କ୍ୟାମ୍ପସରେ ରହିଥିଲେ ଓ ଶ୍ରେଣୀଗୃହରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ ବସି ପାଠପଢୁଥିଲେ।
ଜୁନ୍ ୨ରୁ ୭ ତାରିଖ ପର୍ଯ୍ୟନ୍ତ ସେ ଆଇଆଇଟି-ବମ୍ବେ କ୍ୟାମ୍ପସରେ ରହିଥିଲେ ଓ ଶ୍ରେଣୀଗୃହକୁ ଆସୁଥିଲେ। ତା’ପରେ ସେ ଉଭାନ ହୋଇଯାଇଥିଲେ। କିନ୍ତୁ ଜୁନ ୧୭ ତାରିଖରେ ସେ ପୁଣି କ୍ୟାମ୍ପସକୁ ଫେରିଥିଲେ ଓ କ୍ଲାସ କରୁଥିଲେ। ଏହା ପରେ ତାଙ୍କ ପ୍ରତି ସନ୍ଦେହ ଘନୀଭୂତ ହୋଇଥିଲା।
ଜଣେ ପ୍ରଫେସର ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦତ୍ତ ପରିଚୟ ପତ୍ର ଦେଖାଇବା ପାଇଁ ବିଲାଲ ତେଲୀଙ୍କୁ କହିଥିଲେ। କିନ୍ତୁ ସେ ତାହା ଦେଖାଇ ପାରି ନଥିଲେ। ଅଧିକ ଖୋଳତାଡ଼ ପରେ ଜଣାପଡ଼ିଲା ଯେ ସେ ବେଆଇନ ଭାବେ ଆଇଆଇଟି-ବମ୍ବେ କ୍ୟାମ୍ପସରେ ରହୁଛନ୍ତି ଓ କ୍ଲାସ୍ ବି କରୁଛନ୍ତି। ଏହା ପରେ ତାଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ ଆଇଆଇଟି-ବମ୍ବେ କର୍ତ୍ତୃପକ୍ଷ।
ବିଲାଲ ତେଲୀଙ୍କୁ ପୁଲିସ ଗିରଫ କରିଛି। ତେବେ ତାଙ୍କଠାରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ। ସେ କେଉଁ ଉଦ୍ଦେଶ୍ୟ ନେଇ ଆଇଆଇଟି-ବମ୍ବେ କ୍ୟାମ୍ପରେ ବିନା ଅନୁମତିରେ ରହୁଥିଲେ, ତା’ର ତଦନ୍ତ କରୁଛି ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IIT_Bombay_1750854949.jpg)