Advertisment

ପ୍ରେମିକାକୁ ଭେଟିବାକୁ ବିଦ୍ୟୁତ୍‌ ସଂଯୋଗ କାଟୁଥିଲେ ଯୁବକ, ଧରା ପଡ଼ିବାରୁ ପଡ଼ିଲା ହାତଗଣ୍ଠି

ବିଦ୍ୟୁତ୍‌ କାଟ୍‌କୁ ପାୱାର କଟ୍‌ ଭାବି ଲୋକେ ଅତିଷ୍ଠ ହେଉଥିବା ବେଳେ ନିଜ ପ୍ରେମ ରାଇଜରେ ବୁଡ଼ି ରହୁଥିଲେ ପ୍ରେମ ପକ୍ଷୀ।

author-image
Niharika Rout
Love Birds

Love Birds

ପ୍ରେମିକାକୁ ଦେଖା କରିବାକୁ ପ୍ରେମିକ ଆପଣାଇଥିଲା ନୂଆ ତରିକା। ରାତିର ଅନ୍ଧକାରରେ ପ୍ରେମିକା ସହ ନିରୋଳାରେ ଭେଟ କରିବାକୁ ପ୍ରେମିକ ଅନ୍ୟମାନଙ୍କୁ ଅନ୍ଧାରରେ ରଖିବାକୁ ପଛାଉ ନ ଥିଲା। ଏଥିନିମନ୍ତେ ଗାଁର ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ସଂଯୋଗ କାଟି ଦେଉଥିଲ। ଫଳରେ ପାୱାର କଟ୍‌ ଭାବି ଲୋକେ ଏଥିରେ ଅତିଷ୍ଠ ହେଉଥିବା ବେଳେ ନିଜ ପ୍ରେମ ରାଇଜରେ ବୁଡ଼ି ରହୁଥିଲେ ପ୍ରେମ ପକ୍ଷୀ। ହେଲେ ଗ୍ରାମବାସୀ ଉଭୟ ପ୍ରେମ ପକ୍ଷୀଙ୍କୁ କାବୁ କରି ସବୁ ସତ ଓଗାରିବା ପରେ ଉଭୟଙ୍କ ବିବାହ କରାଇଥିବା ଜଣାଯାଇଛି। ଏପରି ଏକ ଅଜବ ଘଟଣା ବିହାରର ଚମ୍ପାରନ ଜିଲ୍ଲାରେ ଘଟିଛି।

Advertisment

ଏହି ପ୍ରେମ ପକ୍ଷୀଦ୍ୱୟ ହେଲେ ରାଜକୁମାର ଓ ପ୍ରୀତି। ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଲୁଚାଛପାରେ ଚାଲିଥିଲା ପୀରତି। ରାତିର ଅନ୍ଧକାରରେ ନିଜ ପ୍ରେମିକାକୁ ଦେଖା କରିବାକୁ ଆସୁଥିବା ରାଜକୁମାରଙ୍କ ମନରେ ସବୁବେଳେ ଧରା ପଡ଼ିଯିବାର ଭୟ ରହିଥିଲ। ତେଣୁ ସେ ଏକ ଅଜବ ତରିକା ଆପଣାଇଥିଲେ।

ପ୍ରେମିକାଙ୍କୁ ଭେଟିବାକୁ ଆସିବା ପରେ ତାଙ୍କ ଗାଁକୁ ସଂଯୋଗ କରିଥିବା ବିଦ୍ୟୁତ୍‌ ସଂଯୋଗକୁ ଟ୍ରାନ୍ସଫର୍ମରରୁ କାଟି ଦେଉଥିଲ। ଏହାପରେ ପ୍ରେମିକା ସହ ଭାବ ଦିଆନିଆ ହେବା ପରେ ପୁଣି ଥରେ ବିଦ୍ୟୁତ୍‌ ସଂଯୋଗ କରି ଚାଲି ଯାଉଥିଲେ।

Advertisment

ପ୍ରତିଦିନ ସନ୍ଧ୍ୟା ପରେ ଏପରି ବିଦ୍ୟୁତ୍‌ କାଟକୁ ନେଇ ଅତିଷ୍ଠ ହୋଇ ପଡ଼ିଥିବା ଗ୍ରାମବାସୀ ଏନେଇ ନିକଟସ୍ଥ ଇଲେକ୍ଟ୍ରି ଅଫିସରେ ଅଭିଯୋଗ କଲେ। ମାତ୍ର ସନ୍ଧ୍ୟା ବେଳେ କୌଣସି ବିଦ୍ୟୁତ୍‌ କାଟ କରାଯାଉ ନ ଥିବା ସେଠାକାର ଅଧିକାରୀ ସଫେଇ ଦେଇଥିଲେ। ଏହାପରେ ଦ୍ୱନ୍ଦ୍ୱରେ ପଡ଼ିଥିବା ଗ୍ରାମବାସୀ ଏହା ପଛର ଅସଲ କାରଣକୁ ଠାବ କରିବାକୁ ଟ୍ରାନ୍ସଫର୍ମର ନିକଟରେ ଛକି ରହିଲେ ।

ମାତ୍ର ଏହା ଜାଣି ନ ଥିବା ରାଜକୁମାର ସବୁ ଦିନ ପରି ଟ୍ରାନ୍ସଫର୍ମର ନିକଟକୁ ଯାଇ ବିଦ୍ୟୁତ୍‌ ସଂଯୋଗ କାଟି ନିଜ ପ୍ରେମିକାଙ୍କ ନିକଟକୁ ଯାଇଥିଲେ। ଗ୍ରାମବାସୀ ତାଙ୍କ ପିଛା କରି ଉଭୟଙ୍କୁ କାବୁ କରିଥିଲେ। ଏହାପରେ ଗ୍ରାମବାସୀଙ୍କ ଚାପରେ ପଡ଼ି ନିକଟସ୍ଥ ମନ୍ଦିରରେ ଉଭୟ ବିବାହ କରିଥିବା ଜଣାଯାଇଛି। ଏବେ ହସଖୁସିରେ ଉଭୟ ନିଜ ନୂଆ ଜୀବନ ଆରମ୍ଭ କରିଥିବା ରାଜକୁମାରଙ୍କ ପରିବାର ଲୋକେ କହିଛନ୍ତି।

Bihar Love Story Marriage